 ଲିଭିଂ ଡୋନର୍ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍‌(ଏଲ୍‌ଡିଏଲ୍‌ଟି)ର ଫାଇଦା କ’ଣ?
କ୍ରନିକ୍‌ ଲିଭର ରୋଗରେ ଆକ୍ରାନ୍ତ ଅଧିକାଂଶ ରୋଗୀ ପ୍ରତିରୋପଣ ଅପେକ୍ଷାରେ ମୃତ୍ୟୁବରଣ କରୁଛନ୍ତି। ରାଜ୍ୟ କିମ୍ବା ଜାତୀୟ ରେଜିଷ୍ଟ୍ରିରେ ପ୍ରତୀକ୍ଷା ତାଲିକା ବହୁତ ଲମ୍ବା ଏବଂ ଠିକ୍‌ ସମୟରେ ଉପଯୁକ୍ତ ଦାତା ପାଇବାର ସମ୍ଭାବନା କମ୍‌ ହୋଇଥାଏ। ତେଣୁ ଜଣେ ଲିଭର ଦେବା ଲାଗି ରାଜି ହେବା ପରେ ଏଭଳି ପ୍ରତିରୋପଣ ସମ୍ଭବ ହୋଇଥାଏ। ଲିଭିଂ ଡୋନର୍‌ ଲିଭର ପ୍ରତିରୋପଣର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତୀକ୍ଷା ତାଲିକା ମୃତ୍ୟୁହାରକୁ ହ୍ରାସ କରିବା। 
 କାଡାଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (ଡିଡିଏଲ୍‌ଟି) ଅପେକ୍ଷା ଏଲ୍‌ଡିଏଲ୍‌ଟି ଭଲ କି?
ଉଭୟ ଏଲ୍‌ଡିଏଲ୍‌ଟି ଓ ଡିଡିଏଲ୍‌ଟିର ନିଜସ୍ୱ ସୁବିଧା ଓ ଅସୁବିଧା ରହିଛି; କିନ୍ତୁ ପ୍ରତିରୋପଣ ପରେ ସମଗ୍ର ଫଳାଫଳ ସମାନ ରହିଥାଏ। 
 ଏଲ୍‌ଡିଏଲ୍‌ଟିରେ ଦାତା କେତେ ସୁରକ୍ଷିତ?
ଡୋନର୍‌ ସର୍ଜରିରେ ସଂପୂର୍ଣ୍ଣ ବିପଦ ନାହିଁ ବୋଲି କହିହେବ ନାହିଁ। ତେବେ ଦାତା ଅସ୍ତ୍ରୋପଚାର ଜରିଆରେ ସ୍ୱେଚ୍ଛାକୃତ ଅଙ୍ଗ ଦାନ କରୁଥିବାରୁ ତାଙ୍କର ସୁରକ୍ଷାକୁ ଖୁବ୍‌ ଗୁରୁତ୍ବ ଦିଆଯାଇଥାଏ। ସାଧାରଣତଃ ଡୋନର୍ ସର୍ଜରିରେ ଜଟିଳତାର ଆଶଙ୍କା ୧%ରୁ କମ୍ ଥାଏ ଏବଂ ଜୀବନ ପ୍ରତି ବିପଦ ୦.୧% ଥାଏ।
 ଭଲ ଲିଭର ଡୋନର୍‌ କିଏ?
ବ୍ଲଡ୍ ଗ୍ରୁପ୍ ମେଳ ଖାଉଥିବା ସୁସ୍ଥସବଳ ବ୍ୟକ୍ତି ହିଁ ଜଣେ ଭଲ ଡୋନର୍। ସୁସ୍ଥ ଓ ସକ୍ରିୟ ଲିଭର ଥିବା ଏବଂ ମଦ୍ୟପାନ କରୁ ନଥିବା ବା ମଧୁମେହ ନଥିବା ୧୮ରୁ ୫୦ ବର୍ଷୀୟ ବ୍ୟକ୍ତି ହିଁ ଲିଭର ଦାନ ପାଇଁ ଯୋଗ୍ୟ ହୋଇପାରିବେ। ତେବେ ସେ ପ୍ରତିରୋପଣ ପୂର୍ବର ସମସ୍ତ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦରକାର।
  ପ୍ରତିରୋପଣ ପାଇଁ ଲିଭରର କେତେ ଅଂଶ ନିଆଯାଇପାରିବ? ଉପଯୁକ୍ତ ଦାତାଙ୍କ ପାଇଁ ଦୀର୍ଘକାଳୀନ ଜଟିଳତା ରହିଛି କି?
ଏକ ସୁସ୍ଥ ଯକୃତର ୭୦ ଭାଗ ପର୍ଯ୍ୟନ୍ତ ନିରାପଦରେ ନିଆଯାଇପାରେ। ସାଧାରଣତଃ ପ୍ରତିରୋପଣ ପାଇଁ ୫୦ରୁ ୬୦% ଅଂଶ ନିଆଯାଏ, ଯାହା ଯଥେଷ୍ଟ ତଥା ନିରାପଦ ଅଟେ। କାରଣ ଅନ୍ୟ ଅଙ୍ଗ ତୁଳନାରେ ଲିଭରର ସ୍ବୟଂକ୍ରିୟ ବିକାଶ ଶକ୍ତି ଯଥେଷ୍ଟ ଅଧିକ। ପ୍ରାୟତଃ ଦାତାମାନଙ୍କର କୌଣସି ଦୀର୍ଘକାଳୀନ ଜଟିଳତା ନଥାଏ, ବିଶେଷ କରି ଲାପ୍ରୋସ୍କୋପିକ୍‌ ଅସ୍ତ୍ରୋପଚାରରେ। ଏଥିରେ ହରମୋନ୍ ଅପରିବର୍ତ୍ତିତ ଥାଏ ଏବଂ ସେମାନେ ସୁସ୍ଥଜୀବନ ଅତିବାହିତ କରନ୍ତି।

Advertisment