ଯେଉଁ ଭାଷାକୁ ଭିତ୍ତିକରି ଆମେ ଐତିହ୍ୟସଂପନ୍ନ ଅନନ୍ୟ ଭୂମିଟିଏ ପାଇଛେ, ତାହାକୁ ନେଇ ପ୍ରତିଟି ଓଡ଼ିଆ ଗର୍ବ କରିବା ଉଚିତ। କେବଳ ସେତିକି ନୁହେଁ, ନୂୂଆପିଢ଼ିଙ୍କ ଭିତରେ ଆମ ଭାଷାର ବ୍ୟବହାର କିଭଳି ଅଧିକ ପ୍ରସାରିତ ହେବ ସେ ଦିଗରେ ଗୁରୁତ୍ବ ଦେବା ବି ଜରୁରି। ଆଉ ଗୋଟିଏ ଦିନ ପରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୮୯ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ଅବସରରେ ଆମ ମାତୃଭାଷାର ମହତ୍ତ୍ବକୁ ନେଇ ବିଶେଷ ଆଲେଖ୍ୟ...
ଉପସ୍ଥାପନା: ଡ. ଦେବାଶିଷ ମହାପାତ୍ର
ଆଉ ଗୋଟିଏ ଦିନ ପରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୮୯ ବର୍ଷରେ ପଦାର୍ପଣ କରିବ। ଆଉ ୧୧ ବର୍ଷ ପରେ ଅର୍ଥାତ୍ ୨୦୩୬ରେ ଆମେ ଶତବାର୍ଷିକୀ ପାଳନ କରିବା। ଯେଉଁ ଭାଷାକୁ ଭିତ୍ତିକରି ଆମେ ବହୁବର୍ଣ୍ଣା ପ୍ରାକୃତିକ ସଂପଦ ଭରା ଭୂଇଁଟିଏ ପାଇଛେ, ତାହାକୁ ନେଇ ପ୍ରତିଟି ଓଡ଼ିଆ ଗୌରବାନ୍ବିତ ହେବା ଉଚିତ ଏବଂ ଆମ ଭାଷାର ବ୍ୟବହାର କିଭଳି ନୂଆ ପିଢ଼ି ମଧ୍ୟରେ ଅଧିକ ପ୍ରସାରିତ ହେବ ସେ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ। ସମୟ ଥିଲା, ଗାଁରୁ ସହରଯାଏ, ଅଧିକାଂଶ ଓଡ଼ିଶାବାସୀ ଓଡ଼ିଆ ଭାଷାରେ ହିଁ ପାଠ ପଢୁଥିଲେ। ଏବେ ଦୃଶ୍ୟପଟ୍ଟ ବଦଳିଛି। ଓଡ଼ିଶାରେ ଇଂରାଜୀ ମାଧ୍ୟମ ସ୍କୁଲର ସଂଖ୍ୟା ଓ ଆଦର ବଢ଼ିଛି। ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକ କ୍ରମଶଃ ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଅଲୋଡ଼ା ହୋଇପଡୁଥିବା ପରିଲକ୍ଷିତ ହେଉଛି। ଓଡ଼ିଆ ଯୁବପିଢ଼ି ଓ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ଭାଷାରେ ଦକ୍ଷ ହେବା ଜରୁରି, ଏଥିସହ ମାତୃଭାଷାରେ ମଧ୍ୟ ସେମାନଙ୍କର ସମଭାବେ ଦକ୍ଷତା ରହିବା ଉଚିତ ବୋଲି ବହୁ ବିଦ୍ବାନ୍ ମତ ଦିଅନ୍ତି। ଅନ୍ତତଃ ଘରେ ଓଡ଼ିଆ ଭାଷାରେ ସମସ୍ତେ କଥା ହେବା ଓ ବ୍ୟକ୍ତିଗତ ଜୀବନରେ ଓଡ଼ିଆରେ ଲେଖାପଢ଼ା କରିବା ବାଞ୍ଛନୀୟ।
ଓଡ଼ିଆରେ ଗୋଟିଏ ବହୁ ପ୍ରଚଳିତ ଢଗ ଅଛି- ଆପଣା ସୁନା ତ ଭେଣ୍ଡି! ଯଦି ଏହାକୁ ଆମ ମାତୃଭାଷା ପରିପ୍ରେକ୍ଷୀରେ ବ୍ୟବହାର କରିବା, ତେବେ କହିବାକୁ ପଡ଼ିବ- ଆପଣା ଭେଣ୍ଡି ତ ସୁନା! କାହିଁକି ନା ଆମ ଭାଷା ଶତପ୍ରତିଶତ ଖାଣ୍ଟିସୁନା। ଏଠାରେ ଲୋକପ୍ରିୟ ସଂଗୀତଜ୍ଞ ସ୍ବରୂପ ନାୟକଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାର ପ୍ରସ୍ତୁତ ଗୀତର ଧାଡ଼ିଟେ ମନେପଡ଼େ- ‘‘ଓଡ଼ିଶା ମୋ ଓଡ଼ିଶା, କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା।’’ ସତରେ ଆମ ଓଡ଼ିଆ ଭାଷାର ମାଧୁର୍ଯ୍ୟ ଓ ଲାଳିତ୍ୟ କ୍ବଚିତ୍ ଦେଖିବାକୁ ମିଳେ। ଆମ ଭାଷାର ଏହି ବୈଶିଷ୍ଟ୍ୟ ସଂପର୍କରେ ଦେଶବିଦେଶର ବହୁ ବରେଣ୍ୟ ବିଦ୍ବାନ ସ୍ବୀକାର କରିଛନ୍ତି। ସାର୍ ଜର୍ଜ ଗ୍ରିୟର୍ସନ୍, ଜନ୍ ବୀମ୍ସ, ଓ. ମାଲି, ସୁନୀତି କୁମାର ଚାଟାର୍ଜୀ, ରାଖାଲ୍ ଦାସ ବାନାର୍ଜୀ, ହର୍ମାନ୍ କୁଲ୍କେଙ୍କ ନାମ ଏହି କ୍ରମରେ ଅଗ୍ରଗଣ୍ୟ। ସ୍ବତନ୍ତ୍ର, ସମୃଦ୍ଧ, ପ୍ରାଚୀନ ଓ ପୂର୍ଣ୍ଣାଙ୍ଗ ଆମ ଭାଷା- ଓଡ଼ିଆ ଭାଷା।
ଶ୍ରୀକୃଷ୍ଣ ଶିଖିଥିବା ୬୪ ଲିପିରେ ଓଡ଼ିଆ
ପ୍ରାଚୀନତା ଦୃଷ୍ଟିରୁ ପରଖିଲେ ଦେଖିବା, ବହୁ ଗ୍ରନ୍ଥରେ ଆମ ଲିପି ଓ ଆମ ଭାଷା କଥା କୁହାଯାଇଛି। ଆଦିକବି ସାରଳା ଦାସ ତାଙ୍କ ରଚିତ ‘ମହାଭାରତ’ର ମଧ୍ୟପର୍ବରେ ସୂଚାଇଛନ୍ତି ଯେ ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ତାଙ୍କ ଗୁରୁ ସନ୍ଦିପନୀଙ୍କ ଠାରୁ ୬୪ଟି ଭାଷା ଶିକ୍ଷା କରିଥିଲେ। ତା’ ମଧ୍ୟରେ ଥିଲା ଓଡ଼ିଆ। ସାରଳା ଦାସଙ୍କ ନିମ୍ନୋକ୍ତ ପଂକ୍ତି ତାହା ସୂଚାଏ-
‘‘ଓଡ଼ିଆ, ତେଲଙ୍ଗୀ ଆଉ ନାଗରୀ ଦକ୍ଷିଣୀ
କନଉଜ ଦ୍ରାବିଡ଼ ଯେ ଆଦି ଭାଷା ଘେନି
ଏହିପରି ଲେଖିଲେ ଯେ ଭାଷା ଚଉଷଠି
ନବଦିନେ ଲେଖିଲେ ଯେ ତାଳପତ୍ର ଚିଠି।’’
କେବଳ ସେତିକି ନୁହେଁ, ବୌଦ୍ଧ ଓ ଜୈନ ଧର୍ମର ଗ୍ରନ୍ଥଗୁଡ଼ିକରେ ବି ଏକଥାର ସ୍ପଷ୍ଟ ଉଲ୍ଲେଖ ରହିଛି। ବୌଦ୍ଧ ଧର୍ମଗ୍ରନ୍ଥ ‘ଲଳିତ ବିସ୍ତର’ରେ କୁହାଯାଇଛି, ବୁଦ୍ଧଦେବ ୬୪ ପ୍ରକାର ଲିପି ଶିକ୍ଷା କରିଥିଲେ। ସେଥିରୁ ଗୋଟିଏ ଥିଲା ଉଡ୍ରଲିପି। ଜୈନ ଧର୍ମଗ୍ରନ୍ଥ ‘ସମବାୟ ସୂତ୍ର’, ‘ପ୍ରଜ୍ଞାପନୀ ସୂତ୍ର’, ‘ନନ୍ଦୀ ସୂତ୍ର’ରେ ଉଡ୍ରଲିପି ଓ ଉଡ଼ିୟା ଭାଷାର ଉଲ୍ଲେଖ ଅଛି।
ବିଦେଶୀ ବିଦ୍ବାନ୍ଙ୍କ ବ୍ୟୁତ୍ପତ୍ତି
୨୦୧୪ ମସିହା ମାର୍ଚ୍ଚ ମାସ ୧୧ ତାରିଖରେ ଷଷ୍ଠ ଶାସ୍ତ୍ରୀୟ ଭାଷାର ସ୍ବୀକୃତି ପାଇଥିବା ଆମ ଓଡ଼ିଆ ଭାଷା ଉପରେ ବହୁ ବିଦେଶୀ ବିଦ୍ବାନ୍ ଓ ଗବେଷକ ମଧ୍ୟ ମତ ଦେଇଛନ୍ତି। ବେଙ୍ଗଲ୍ ଡିଷ୍ଟ୍ରିକ୍ଟ ଗେଜେଟିଅରସ୍ (୧୯୦୭)ରେ ବିଶିଷ୍ଟ ବିଦେଶୀ ବିଦ୍ବାନ୍ ଏଲ୍. ଏସ୍. ଏସ୍. ଓ ମାଲେ କହିଛନ୍ତି, ‘‘ଦ ଓଡ଼ିଆ ଭର୍ବାଲ୍ ସିଷ୍ଟମ୍ ଇଜ୍ ଆଟ୍ ୱାନ୍ସ ସିମ୍ପଲ୍ ଆଣ୍ଡ୍ କମ୍ପ୍ଲିଟ୍। ଇଟ୍ ହାଜ୍ ଏ ଲଙ୍ଗ୍ ଆରେ ଅଫ୍ ଟେନ୍ସେସ୍ ବଟ୍ ଦ ହୋଲ୍ ଇଜ୍ ସୋ ଲଜିକାଲି ଆରେଞ୍ଜଡ୍।’’ ସେହିଭଳି ‘ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ’ରେ ସାର୍ ଜର୍ଜ ଗ୍ରିୟର୍ସନ୍ ଓଡ଼ିଆ ଶବ୍ଦାବଳୀର ସ୍ବାତନ୍ତ୍ର୍ୟ ସଂପର୍କରେ ଉଲ୍ଲେଖ କରିଛନ୍ତି। ବ୍ୟାକରଣ ଦୃଷ୍ଟିରୁ ଓଡ଼ିଆ ନାମବାଚକ ଶବ୍ଦ ହେଉ କି କ୍ରିୟା, ଅବ୍ୟୟ, ଅଯୋଗବାହ ସବୁ ଦୃଷ୍ଟିରେ ଏହାର ସ୍ବାତନ୍ତ୍ର୍ୟ ସ୍ପଷ୍ଟ। ଓଡ଼ିଆ ଧ୍ବନି ଓ ଶବ୍ଦର ଉଚ୍ଚାରଣ, ବାକ୍ୟ ଗଠନ ପଦ୍ଧତି, ଓଡ଼ିଆ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଓଡ଼ିଆ ଭାଷାର ବୈଶିଷ୍ଟ୍ୟଗତ ସ୍ବକୀୟତା ବହନକରେ। ସେହିପରି ଓଡ଼ିଆ ଲିପିର ଆଙ୍ଗିକ ସୌନ୍ଦର୍ଯ୍ୟ ଅନନ୍ୟ। ଏହା ଆକାରରେ ବର୍ତ୍ତୁଳ ଏବଂ ପୁଡ଼ା, ଲାଞ୍ଜ ଓ ଟୋପର ଏହାକୁ ଆହୁରି ଆକର୍ଷକ କରାଏ। କେତେକ ଗବେଷକ କହନ୍ତି, ଓଡ଼ିଆ ଲିପିର ଗୋଲାକାର ରୂପ ବହୁକାଳ ତାଳପତ୍ର ଉପରେ ଲେଖାଯିବା ଯୋଗୁଁ ହୋଇଛି, କାରଣ ତାଳପତ୍ରରେ ଲେଖିଲା ବେଳେ ସିଧା ରେଖାସବୁ ଏହାକୁ ଚିରିପକାଇବାର ଭୟ ଥାଏ।
ସର୍ଜନାରେ ସମୃଦ୍ଧ ଭାଷା
ଆମ ସୃଜନଶୀଳ ସ୍ରଷ୍ଟା ଓଡ଼ିଆ ସ୍ବରବର୍ଣ୍ଣକୁ ଆଦ୍ୟରେ ରଖି ଷୋଡ଼ଶା, ବ୍ୟଞ୍ଜନବର୍ଣ୍ଣକୁ ନେଇ ଚଉତିଶା (କ’ ଠାରୁ କ୍ଷ’ ପର୍ଯ୍ୟନ୍ତ) ଏପରିକି ସନ୍ଥକବି ଭୀମଭୋଇ ଓଲଟ ଚଉତିଶା ‘କ୍ଷିତିମଣ୍ଡଳ ଚଉତିଶା’ (କ୍ଷ’ ଠାରୁ କ’) ରଚନା କରି ନିଜ ମାତୃଭାଷାକୁ ଋଦ୍ଧିମନ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟର ଇତିହାସରେ ଓଡ଼ିଆ ଭାଷାର ମିଠାପଣ ବାରମ୍ବାର ପ୍ରମାଣିତ ହୋଇଆସିଛି।
ନବାକ୍ଷରୀ ଛନ୍ଦରେ ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’, ବନାନ ନ ଥାଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଅବନାରସ ତରଙ୍ଗ’ ଠାରୁ ଆରମ୍ଭ କରି ଆଧୁନିକ ସମୟର ପ୍ରସନ୍ନ ପାଟ୍ଟଶାଣୀଙ୍କ ଝାଡୁ, ଦା’, ହାତୁଡ଼ି ଆଦି ଅନେକ ଆକାରକୁ ନେଇ ‘ଆକାର କବିତା’। ସେମିତି ‘ବ’ ଆଦ୍ୟରେ ରଖି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୟାନବେ ଛାନ୍ଦରେ ବୃହଦ୍କାୟ ରାମକାବ୍ୟ ‘ବୈଦେହୀଶ ବିଳାସ’, ଚିତ୍ର ଆଧାରରେ ‘ଚିତ୍ରକାବ୍ୟ ବାଞ୍ଛୋଦୟ’, କବି ଦୀନକୃଷ୍ଣ ଦାସ ‘କ’ ଆଦ୍ୟରେ ରଖି ‘ରସକଲ୍ଲୋଳ’ ଆଦି ରଚନା କରି ଓଡ଼ିଆ ଭାଷାର ବ୍ୟବହାର ଦିଗର ବିବିଧତା ଦର୍ଶାଇଛନ୍ତି। ଏଇ ନିକଟରେ ଆମ ଗହଣରୁ ବିଦାୟ ନେଇଥିବା କବି ରମାକାନ୍ତ ରଥଙ୍କ ଅଧିକାଂଶ କବିତା ସଂକଳନର ଶୀର୍ଷକ ଓଡ଼ିଆ ଭାଷାର ମିଠାପଣ ସୂଚକ- ସଚିତ୍ର ଅନ୍ଧାର, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, କେତେଦିନର, ଅନେକ କୋଠରୀ, ଫେରିଚାହିଁଲେ, ଶ୍ରୀରାଧା ଓ ଶ୍ରୀ ପଳାତକ। ଜୀବନୀ ଓ ଆତ୍ମଜୀବନୀ ପୃଷ୍ଠାରେ ବି ଶୀର୍ଷକର ମିଠାପଣ ଅନୁଭବ କରିହୁଏ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ‘କୁମ୍ଭାରଚକ’, ବିନୋଦ କାନୁନ୍ଗୋଙ୍କ ‘ପାଠ ପଛେ ପଛେ ଅପାଠୁଆ’, ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’, ଗୋପୀନାଥ ମହାନ୍ତିଙ୍କ ‘ଧୂଳିମାଟିର ସନ୍ଥ’, ପ୍ରତିଭା ରାୟଙ୍କ ‘ପଦ୍ମପତ୍ରରେ ଜୀବନ’, ଦାଶ ବେନହୁରଙ୍କ ‘ପଗଡ଼ି ପୁରୁଷ’ଏହାର ଗୋଟିଏ ଗୋଟିଏ ଉଦାହରଣ। ଓଡ଼ିଆ ଭାଷାର ମିଠାପଣ ହିଁ ଆଞ୍ଚଳିକ ବିବିଧତା ଉପରେ ବି ଉଦାର ଗ୍ରହଣଶୀଳତାକୁ ଆଦରି ନେଇଛି। ତେଣୁ ପାଣି, ପାଏନ୍, ଜଳ, ନୀର ହେଉ କି କ୍ଷୀର, ଦୁଧ, ନିତ୍ୟାନି, ଗୁରସ୍ ସବୁ ଆମର ଏକାନ୍ତ ନିଜସ୍ବ। ଏମିତି ଅନେକ ଶବ୍ଦର ଅନେକ ବ୍ୟବହାର, ଅନେକ ପ୍ରୟୋଗ।
ଭୂଗୋଳରେ ଭାଷାର ସୌନ୍ଦର୍ଯ୍ୟ
ଆମେ ଯାହା କହୁ, ତାହା ଲେଖୁ। ଆମ ଭାଷାର ଧ୍ବନିମାଳାର ଉଚ୍ଚାରଣ ସ୍ପଷ୍ଟ, ପ୍ରାଞ୍ଜଳ। ଧ୍ବନିଗୁଡ଼ିକ ସ୍ଥାନ ଓ ମାନ ଦୃଷ୍ଟିରୁ ସ୍ବତନ୍ତ୍ର। ଆମ ଭାଷା ମିଠା ବୋଲି ତ ଆମ ଭୂଖଣ୍ଡରେ ତିହିଡ଼ି, ଚିକିଟି, ପିପିଲି, ବିରିଡ଼ି ଭଳି ନାମ ରହିଛି। ଠିକ୍ ସେମିତି ଆମ ଗଁାଗୁଡ଼ିକ ନଁା କ’ଣ କମ୍ ମଧୁର? ଏଇ ଯେମିତି ସୁନ୍ଦରଗ୍ରାମ, ମାଣିକପାଟଣା, ଦଧିମାଛଗାଡ଼ିଆ, ଶରଣକୂଳ, କାଇପଦର, ଉଦଳା, କୋଦଳା, ହୀରାପୁର, ପାଟସୁନ୍ଦରପୁର, ଖଇରପଙ୍କ, ସୋରିଷପଦା, ଆନନ୍ଦପୁର, ମଙ୍ଗଳପୁର। ସେମିତି ‘ବାଲି’ ଶବ୍ଦକୁ ନେଇ ବାଲିଅନ୍ତା, ବାଲିପାଟଣା, ଶରଧାବାଲି, ଥେରୁବାଲି, ଟିକାବାଲି ଏବଂ ‘ଗଡ଼’କୁ ନେଇ ବରଗଡ଼, ଆଠଗଡ଼, ନୟାଗଡ଼, ନରଣଗଡ଼, ବୋଲଗଡ଼, ଦେବଗଡ଼, ସୁନ୍ଦରଗଡ଼, ବଡ଼ଗଡ଼। ଇଏ କେବଳ ଭାତହାଣ୍ଡିରୁ କେତୋଟି, ଏଭଳି ଶହ ଶହ ନାମ ଶବ୍ଦ ଆମ ଭାଷାରେ ରହିଛି। ଯଦି ନଦୀନାଳ ପାଖକୁ ଆସିବା ତେବେ ମହାନଦୀ, ଚିତ୍ରୋତ୍ପଳା, ବିରୂପା, କୁଆଖାଇ, କାଠେଯାଡ଼ି, ଭାର୍ଗବୀ, ଦୟା, ଋଷିକୁଲ୍ୟା, ରତ୍ନଚିରା, ସୁବର୍ଣ୍ଣରେଖା, ପ୍ରାଚୀ, ବ୍ରାହ୍ମଣୀ, ବୈତରଣୀ, ଶଙ୍ଖ, ତେଲ, ବୁଢ଼ାବଳଙ୍ଗ, ନାଗାବଳୀ, ବଂଶଧାରା, ଇନ୍ଦ୍ରାବତୀ ଭଳି ଶବ୍ଦ ପାଇବା। ଓଡ଼ିଶାର ପାହାଡ଼ପର୍ବତର ନାମ ବି ଆମ ଭାଷାର ମିଠାପଣକୁ ସୂଚାଏ। ଏଇ ଯେମିତି- ଧଉଳି, ମେଘାସନ, ଦେଓମାଳି, ମହେନ୍ଦ୍ରଗିରି, ନିୟମଗିରି, ଗନ୍ଧମାର୍ଦ୍ଦନ, ଗୁଡ଼ହାଣ୍ଡି, ବରୁଣେଇ ଇତ୍ୟାଦି। ଏହି ତାଲିକା ବହୁ ଦୀର୍ଘ। ଏଠାରେ ଉଦାହରଣ ଭାବେ ଅଳ୍ପ କେେତକ ଉପସ୍ଥାପନ କରାଯାଇଛି।
ଆମ ଭାଷା କେବଳ ମିଠା ନୁହେଁ, ଗ୍ରହଣଶୀଳ ମଧ୍ୟ। ସେଇଥିପାଇଁ ତ ଆମେ ଅନେକ ଇଂରାଜୀ ଶବ୍ଦକୁ ଓଡ଼ିଆ କରି ଆମ ଶବ୍ଦଭଣ୍ଡାରରେ ସାମିଲ କରିଛୁ। ଟ୍ୟାକ୍ସକୁ ଟିକସ, ହସ୍ପିଟାଲକୁ ହାସ୍ପାତାଳ, ଡିଗ୍ରିକୁ ଡିଗିରି, ଟିକେଟକୁ ଟିକଟ, ସ୍ଲେଟ୍କୁ ସିଲଟ, ଟାୱେଲ୍କୁ ତଉଲିଆ କରି ଆମ ଗ୍ରହଣଶୀଳତାର ପରିଚୟ ଦେଇଛୁ। ପୋଥିପତ୍ର, ପ୍ରତ୍ନତତ୍ତ୍ବର ପଦଚିହ୍ନ ଛାଡ଼ିଥିବା ଦୁଇ ହଜାରରୁ ଅଧିକ ବର୍ଷ ପୁରୁଣା ଆମ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ ତୃତୀୟ ଶତକେର ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତକେର ଖାରବେଳଙ୍କ ଉଦୟଗିରି ହାତୀଗୁମ୍ଫା ଶିଳାଲେଖ ଠାରୁ ଅାରମ୍ଭ କରି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭିତରେ ଥିବା ଜୟବିଜୟ ଶିଳାଲେଖ ଏହାର ପ୍ରମାଣ। ଶହ ଶହ ସନନ୍ଦ ବା ତାମ୍ରପତ୍ର, ହଜାର ହଜାର ତାଳପତ୍ର ପୋଥି ଆମ ଓଡ଼ିଆ ଭାଷାର ଗୌରବ ସୂଚକ। ଓଡ଼ିଆ ଭାଷା ପ୍ରତି ଆମର ଆଦର, ଅାତ୍ମୀୟତା ଓ ଆନ୍ତରିକତା ଅବ୍ୟାହତ ରହୁ। ଆଉ ଯେତେ ଭାଷା ଶିଖିଲେ ବି ଓଡ଼ିଆ ଭାଷାକୁ ଘରେ ଓ ବାହାରେ ଅଧିକ ବ୍ୟବହାରର ମାନସିକତା ବଢୁ। ଆଜି ଏହି ଅବସରରେ ୧୯୧୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ବ୍ରହ୍ମପୁରର ସାପ୍ତାହିକ ‘ଆଶା’ରେ ପ୍ରକାଶ ପାଇଥିବା ସିଂହଭୂମ ଅଞ୍ଚଳର କବି କିଶୋରଚନ୍ଦ୍ର ଦେବଙ୍କ ଗୋଟିଏ କବିତାର ଦୁଇପଦ ଉଦ୍ଧାର କରାଯାଇପାରେ-
‘‘ଓଡ଼ିଆ ଆମ୍ଭ ମାତୃଭାଷା
ଓଡ଼ିଆ ଆମ ପ୍ରାଣ
ଓଡ଼ିଶା ଦେଶରେ ଜନ୍ମ ଆମର
ଓଡ଼ିଆର କରୁ ଟାଣ
ଆସ ଆସ ଭାଇ ମନପ୍ରାଣ ଦେଇ
ରଖିବା ଓଡ଼ିଆ ମାନ
କହିବା ଓଡ଼ିଆ, ପଢ଼ିବା ଓଡ଼ିଆ
ଗାଇବା ଓଡ଼ିଆ ଗାନ।’’
ମୋ ଭାଷା ମୋତେ ମିଠା
‘‘ଦେଶବିଦେଶର କେତେକେତେ ଭାଷାକୁ ନେଇ କାମ କରିଛି। ହେଲେ ମୋ ଓଡ଼ିଆ ଭାଷା ମତେ ମିଠା। ପିଲାଦିନେ ବୋଉଠୁ ପିମ୍ପୁଡ଼ିର ଆଉଗୋଟେ ନଁା ‘ଚାଣ୍ଟି’, ଦୁଧର ଆଉଗୋଟେ ନଁା ‘ନିତ୍ୟାନି’ ଜାଣି ମୋ ଭାଷାକୁ ଅଧିକ ଜାଣିବାକୁ ଯୋଉ ଆଗ୍ରହ ହୋଇଥିଲା, ସେ ଆଗ୍ରହ ଆଜି ବି ଅଛି।’’
- ଭାଷାବିଜ୍ଞାନୀ ଡ.ଦେବୀପ୍ରସନ୍ନ ପଟ୍ଟନାୟକ
ମୋ ଭାଷା ଯେତିକି ସୁନ୍ଦର, ସେତିକି ଶକ୍ତିଶାଳୀ
‘‘ମୋ ବୋଉ ଯେମିତି ସୁନ୍ଦର, ମୋ ଭାଷା ସେମିତି ମଧୁର। ମୋ ଭାଷା ସେତିକି ସୁନ୍ଦର ଓ ଶକ୍ତିଶାଳୀ ହୋଇ ନ ଥିଲେ ସାରଳା ଦାସ ଆଞ୍ଚଳିକ ଭାଷାର ବିସ୍ମୟ ‘ଓଡ଼ିଆ ମହାଭାରତ’ ଲେଖିପାରି ନଥାନ୍ତେ। କଥିତ ଭାଷାର ମିଠାପଣକୁ ସେ ତାଙ୍କ ମହାଭାରତରେ ଲିଖିତ ମିଠାପଣରେ ଯେଭଳି ଉପସ୍ଥାପନ କରିଛନ୍ତି ତାହା ଆଉ କୌଣସି ଆଞ୍ଚଳିକ ଭାଷାର ମହାଭାରତରେ ମିଳେନାହିଁ। କେତେ ଗଭୀର ଚିନ୍ତନକୁ ସେ କେମିତି ଲେଖିଛନ୍ତି ତାହା ହିଁ ଆମ ଭାଷାର ବୈଶିଷ୍ଟ୍ୟ।’’
- ଡ. ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ଭାଷାବିଜ୍ଞାନୀ ତଥା ପ୍ରାକ୍ତନ ପ୍ରାଧ୍ୟାପକ, ଆଇଆଇଟି, କାନପୁର
ନାତିନାତୁଣୀଙ୍କୁ ଶିଖାଉଛି ମୋ ଭାଷାର ମିଠାପଣ
‘‘ଓଡ଼ିଆ ଭାଷା ମୋ ପ୍ରାଣ, ମୋ ମନ, ମୋ ଆତ୍ମାର ଭାଷା। ଓଡ଼ିଆ ଭାଷା ପ୍ରତି ମୋର ଯୋଉ ଆଦର ଓ ଆତ୍ମୀୟତା ତାହା ଅନ୍ୟ ଭାଷା ପ୍ରତି କଦାପି ହୋଇପାରିବନି। ପିଲାଦିନେ ଆଈଠୁ ଶିଖିଥିଲି- ‘‘ଆଲୋ ମୋ କଟକୀ ସୁନା, ଚିପିଦେଲେ ପୁଚ୍କିନା’। ଏଇ ମିଠାକଥା ମୁଁ ଏବେ ବି ମୋ ନାତିନାତୁଣୀଙ୍କୁ କହୁଛି, ଏଇଟା ହିଁ ମୋ ଭାଷାର ମିଠାପଣ।’’
- କଥାଶିଳ୍ପୀ ଡ.ଅର୍ଚ୍ଚନା ନାୟକ
ଏଭଳି ମିଠାପଣ ଆଉ କୋଉ ଭାଷାରେ ପାଇନି
‘‘ମୋ ବୋଉ ମୋ ଓଠରେ ଯୋଉ ଭାଷା ଦେଇଛି ସେ ଭାଷା ସବୁବେଳେ ମିଠା। ସେଥିପାଇଁ ତ କୁହାଯାଏ, ମା’ କ୍ଷୀର ଭଳି ମାତୃଭାଷା ମିଠା। ଅନ୍ୟ ଯେତେ ଭାଷା ଶିଖିଲେ, ଜାଣିଲେ ବି ଓଡ଼ିଆ ଭାଷାର ମିଠାପଣ ଆଉ କୋଉ ଭାଷାରେ ମୁଁ ଏଯାଏ ଅନୁଭବ କରିନି। ମୋ ଭାଷା ଚିରଞ୍ଜୀବୀ ହେଉ।’’
- ଡ. ବିଜୟଲକ୍ଷ୍ମୀ ମହାନ୍ତି, ପ୍ରାକ୍ତନ ପ୍ରାଧ୍ୟାପିକା,
ପୂର୍ବାଞ୍ଚଳ ଭାଷା କେନ୍ଦ୍ର
ମାତୃଭାଷା ହେଉଛି ଜୀବନର ଭାଷା
‘‘ମୋ ଭାଷା ହୃଦୟର ଭାଷା, ଆବେଗର ଭାଷା। ଶୈଶବରୁ ଶେଷଶଯ୍ୟା ଯାଏ ମୋ ଭାଷା ମତେ ଭଲ ଲାଗି ଆସିଛି। ମା’ ଓ ଶିଶୁର ପରସ୍ପର ସଂପର୍କର ସେତୁ ମାତୃଭାଷା। ଅନ୍ୟ ଭାଷା ପଢ଼ାଯାଏ, ଶିଖାଯାଏ; ହେଲେ ମୋ ଭାଷା ମନର ଭାଷା, ଆବେଗର ଭାଷା, ଜୀବନର ଭାଷା।’’
- ଡ. ତମସା ଦାସ ମହାପାତ୍ର,
ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶିକା
ମୋ ଭାଷାର ଗୋଲ ଅକ୍ଷର ଭାରି ସୁନ୍ଦର
‘‘ଶଳାର ଶଳାକୁ, ବାପାର ବାପାକୁ କହିବା ପାଇଁ ମୋ ଭାଷାର ନିର୍ଦ୍ଦିଷ୍ଟ ଶବ୍ଦ ଅଛି। ମୋ ଭାଷାର ଗୋଲ ଅକ୍ଷର ସୁନ୍ଦର। ମୋ ଫଟୋ ମତେ ସୁନ୍ଦର, ମୋ ବାପା ମତେ ସୁନ୍ଦର, ମୋ ପୁଅ ମତେ ସୁନ୍ଦର, ଆମେ ଆଜି ଆମ ମା’, ଆମ ଗଁାକୁ ଭୁଲିଗଲା ଭଳି ଭାଷାକୁ ବି ଭୁଲିଯାଉଛେ, ମୋ ଭାଷାଠୁ କୋଉ ଭାଷା ମିଠା?’’
- ଜ୍ଞାନ ହୋତା, ବ୍ୟଙ୍ଗକାର