କେମିତି ହେବ କଲେଜ୍ରେ ନାମଲେଖା? ପ୍ରବେଶିକା ପରୀକ୍ଷା ଏକମାତ୍ର ବିକଳ୍ପ!
କରୋନା ଦ୍ବିତୀୟ ଲହରର ଭୟାବହତା ପାଇଁ ବାତିଲ ହୋଇଛି ମାଟ୍ରିକ୍ ପରୀକ୍ଷା। ନିର୍ଦ୍ଧାରିତ ସମୟରେ ପରୀକ୍ଷା ହୋଇଥିଲେ ଏବେ ପରୀକ୍ଷାଫଳ ବାହାରିବା କଥା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ସାର୍ଟିଫିକେଟ୍ ଦେବ ବୋଲି ଘୋଷଣା କରିଛି। କିନ୍ତୁ କେଉଁ ଆଧାରରେ ନମ୍ବର ଦିଆଯିବ, ତାହାକୁ ନେଇ ଏଯାଏ କିଛିଟା ଦ୍ବନ୍ଦ୍ବ ରହିଛି। କିନ୍ତୁ ଆଗକୁ କଲେଜରେ କେମିତି ଆଡମିସନ ନେବେ, ତାହାକୁ ନେଇ ଏବେ ରାଜ୍ୟର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଆଶଙ୍କାରେ ରହିଛନ୍ତି। କଲେଜରେ ନାମଲେଖା ପାଇଁ ଦଶମ ଶ୍ରେଣୀ କ୍ଲାସ୍ ପରୀକ୍ଷାର ନମ୍ବରକୁ ବିଚାର କରାଯିବ ନା ସମସ୍ତଙ୍କ ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା କରାଯିବ? ଯଦି ସାଧାରଣ ପ୍ରବେଶିକା ପରୀକ୍ଷା ହେବ, ତେବେ ସବ୍ଜେକ୍ଟିଭ୍ ଶୈଳୀରେ ପ୍ରଶ୍ନ ଆସିବ ନା ଅବ୍ଜେକ୍ଟିଭ୍ ଢ଼ାଞ୍ଚାରେ ପରୀକ୍ଷା ହେବ? ପୁଣି ଅନ୍ଲାଇନରେ ପରୀକ୍ଷା ହେବ କି ପରିସ୍ଥିତି ସୁଧୁରିଲେ, ପୁଣି ଅଫ୍ଲାଇନ୍ରେ ପରୀକ୍ଷା ହେବ? ଏଭଳି ଅନେକ ପ୍ରଶ୍ନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ, ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଏହାକୁ ନେଇ ବିଭିନ୍ନ କଲେଜ୍ର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଯାହା କହନ୍ତି…..
Sambad is now on WhatsApp
Join and get latest news updates delivered to you via WhatsApp
ସବୁ ପରିସ୍ଥିତି ଉପରେ ନିର୍ଭର କରୁଛି
କରୋନା ପାଇଁ ଏେବ ଘରୁ ବାହାରିବା ବିପଦ। ସେଥିପାଇଁ ସରକାର ମାଟ୍ରିକ୍ ପରୀକ୍ଷା ବାତିଲ କରିବା ସହ ସବୁ କ୍ଲାସ୍ ବନ୍ଦ ପାଇଁ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଦଶମ ପିଲାଙ୍କୁ କିଭଳି ପାସ୍ କରାଯିବ ବୋର୍ଡ କର୍ତ୍ତୃପକ୍ଷ ତାହାର ମାନଦଣ୍ଡ ନିର୍ଧାରଣ କରୁଛନ୍ତି। ଏମିତି ସମୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରବେଶିକା ପରୀକ୍ଷା କରାଇ ସେହି ଆଧାରରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଡ୍ମିସନ୍ କରିବା ଉଚିତ ମନେ ହେଉଛି। କିନ୍ତୁ ପ୍ରବେଶିକା ପରୀକ୍ଷା କରାଯିବ କିପରି ତାହା ଏକ ଜଟିଳ ପ୍ରଶ୍ନ। ଅନ୍ଲାଇନ୍ ପରୀକ୍ଷା କଲେ ସବୁ ପିଲାଙ୍କ ପାଖରେ ଅନ୍ଲାଇନ୍ ସୁବିଧା ଅଛି କି ନାହିଁ ତାହା ବିଚାର କରିବା ଦରକାର। ପିଲାଙ୍କୁ ଏକାଠି ନ କରିବା ପାଇଁ ତ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଛି। ପୁଣି ପ୍ରବେଶିକା ପରୀକ୍ଷାକୁ ଅଫ୍ଲାଇନ୍ରେ କରିବା ଆହୁରି ବିପଦପୂର୍ଣ୍ଣ ହେବ। ତେଣୁ ପିଲାଙ୍କ ଆଡମିସନର ଆଧାର କଣ ହେବ, ସବୁ ପରିସ୍ଥିତି ଉପରେ ନିର୍ଭର କରୁଛି। ଯୁକ୍ତ ଦୁଇ ଆଡ୍ମିସନ୍ ଜୁନ୍/ଜୁଲାଇରେ ସରିଯାଏ ଓ ଅଗଷ୍ଟ ପ୍ରଥମ ସପ୍ତାହରୁ କ୍ଲାସ୍ ଆରମ୍ଭ ହୁଏ। ଏ ବର୍ଷ ତ ସବୁ ବିଳମ୍ବରେ ଚାଲିଛି। ଆଗକୁ ପରିସ୍ଥିତି ସୁଧୁରିଲେ, ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆେମ କାର୍ଯ୍ୟ କରିବୁ।
ଡକ୍ଟର ମଧୁସ୍ମିତା ମିଶ୍ର, ଅଧ୍ୟକ୍ଷ, ଜେକେବିକେ ମହାବିଦ୍ୟାଳୟ
ପ୍ରଫେସ୍ନାଲ କୋର୍ସ ଆଡ୍ମିସନ୍ ଭଳି ଯୁକ୍ତ ଦୁଇରେ ପ୍ରବେଶିକା ପରୀକ୍ଷା ହେଉ
ଆମେ ଯାହା ଜାଣିଛୁ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ୨/୩ଟି ପ୍ରାକ୍ଟିସ୍ ଟେଷ୍ଟ ଦେଇ ସାରିଛନ୍ତି। ଯଦି ସେହି ନମ୍ବର ପିଲାମାନଙ୍କୁ ଦିଆଯାଇ ପାସ୍ କରାଯାଏ ଓ ସାର୍ଟିଫିକେଟ୍ ମିଳେ, ତେବେ ସେହି ନମ୍ବରକୁ ବିଚାର କରି ଆମେ ମଧ୍ୟ ପିଲାମାନଙ୍କୁ କଲେଜର ଆଡ୍ମିସନ୍ କରାଇବୁ। ଦ୍ବିତୀୟ ହେଲା, ପ୍ରଫେସ୍ନାଲ କୋର୍ସ ଢ଼ାଞ୍ଚା। ଆଇଆଇଟି, ଡିପ୍ଲୋମା ଭଳି ପ୍ରଫେସ୍ନାଲ କୋର୍ସରେ ଆଡ୍ମିସନ୍ କଲା ବେଳେ ପିଲାମାନଙ୍କୁ ଏକ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥାଏ। ଏହି ପ୍ରବେଶିକା ପରୀକ୍ଷାର ମେରିଟ୍ ଓ ଅନୁଷ୍ଠାନର ସିଟ୍ ସଂଖ୍ୟାକୁ ଦେଖି ପିଲାଙ୍କୁ କଲେଜରେ ସିଟ୍ ମିଳିବ। ଦ୍ବିତୀୟଟି ଅପେକ୍ଷାକୃତ ଭଲ ହେବ।
ଡକ୍ଟର ସୁରେଖା ସୁନ୍ଦରୀ ସ୍ବାଇଁ
ଅଧ୍ୟକ୍ଷା, ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ
ଜେଇଇ ଭଳି ଏକ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ କରିବା ଠିକ୍ ହେବ
ଏବେ ଦଶମରେ ପଢ଼ୁଥିବା ପିଲାମାନେ ୩/୪ଟି କ୍ଲାସ ଟେଷ୍ଟ ଦେଇଛନ୍ତି। ଯଦି ବୋର୍ଡ କର୍ତ୍ତୃପକ୍ଷ ଏହାକୁ ବିଚାର କରି ପିଲାଙ୍କୁ ଦଶମ ଶ୍ରେଣୀରେ ନମ୍ବର ଦିଅନ୍ତି, ପିଲାମାନେ ସେହି ଆଧାରରେ କଲେଜରେ ଆଡ୍ମିସନ କରିପାରିେବ। କିନ୍ତୁ ଦେଖାଯାଇଛି, କ୍ଲାସ୍ ପରୀକ୍ଷାରେ ଅନେକ ସମୟରେ ପିଲାମାନେ ଅସାଧୁ ଉପାୟ ଅବଲମ୍ବନ କରିଥାନ୍ତି। ଆଉ କିଛି ପିଲା ଏଥିରେ ଅନୁପସ୍ଥିତ ମଧ୍ୟ ରହିଥାନ୍ତି। ତେଣୁ କ୍ଲାସ୍ ପରୀକ୍ଷାକୁ ମେଧା ମାପିବାର ମାନଦଣ୍ଡ ଧରିବାରେ କେତେ ଦୂର ସ୍ବଚ୍ଛ ଆଉ ଯଥାର୍ଥ ହେବ ତାହା ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରୁଛି। ଦ୍ବିତୀୟଟି ହେଲା, ଜେଇଇ ଭଳି ସବୁ ପିଲାଙ୍କ ପାଇଁ ଏକ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ବ୍ୟବସ୍ଥା। ଏହା ସବୁଠାରୁ ଉତ୍ତମ ଉପାୟ ହେବ। ଯଦି ସ୍ବଚ୍ଛତାର ସହିତ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଏ, ପିଲାମାନେ କପି କରିପାରିବେ ନାହିଁ। ତେଣୁ ସେମାନଙ୍କର ପ୍ରକୃତ ମେଧା ଜଣା ପଡ଼ିଯିବ। ଏହି ପରୀକ୍ଷାର ଫଳାଫଳ ଅନୁସାରେ ପିଲାଙ୍କୁ କଲେଜରେ ଆଡ୍ମିସନ ମିଳିବା ଉଚିତ।
ଡକ୍ଟର ଦେବାଶିଷ ଆଚାର୍ଯ୍ୟ,
ପୂର୍ବତନ ଅଧ୍ୟକ୍ଷ, ଷ୍ଟିୱାର୍ଟ ସାଇନ୍ସ କଲେଜ, କଟକ