ଆଜିକାଲି ଉପଭୋକ୍ତାମାନଙ୍କ ସୁବିଧା ପାଇଁ ବିଭିନ୍ନ ହୋଟେଲ୍‌, କାଫେ, ବିମାନବନ୍ଦର, ରେଳ ଷ୍ଟେସନ, ସିନେମା ହଲ୍‌, ମଲ୍‌ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନମାନଙ୍କରେ ଲାପ୍‌ଟପ୍‌ କି ମୋବାଇଲ୍‌ ଫୋନ୍‌ ଚାର୍ଜିଂ କରିବା ଲାଗି ସଂଖ୍ୟାଧିକ ଚାର୍ଜିଂ ପୋର୍ଟ ଉପଲବ୍ଧ କରାଯାଉଛି। ତେବେ ସେଭଳି ସାର୍ବଜନୀନ ସ୍ଥଳରେ ଚାର୍ଜିଂ କଲାବେଳେ ଆମ ଅଜାଣତରେ ଆମ ଫୋନ୍‌ କି ଲାପ୍‌ଟପ୍‌ରେ ରହିଥିବା ଗୋପନୀୟ ବ୍ୟାଙ୍କ ପାସ୍‌ଵାର୍ଡ, କ୍ରେଡିଟ୍‌ କାର୍ଡ ସୂଚନା ଓ ଠିକଣା ପରି ବ୍ୟକ୍ତିଗତ ତଥ୍ୟଗୁଡ଼ିକ ହଡ଼ପ ହୋଇଯିବାର ଆଶଙ୍କା ରହିଛି। ସାଇବର ଠକମାନେ ସେଥିରେ କୌଣସି ମାଲୱେର୍‌ ଖଞ୍ଜି ଏଭଳି ତଥ୍ୟ ହଡ଼ପ କରିବାରେ ସକ୍ଷମ ହେଉଛନ୍ତି। ଏ ପ୍ରକାର ସାଇବର ଆକ୍ରମଣକୁ ‘ଜୁସ୍‌ ଜ୍ୟାକିଂ’ କୁହାଯାଏ। କିଭଳି ଆମେ ଏହାର ଶିକାର ହେଉ ସେ ସମ୍ପର୍କରେ ଜାଣିବା ଏବଂ ସେଥିରୁ ବର୍ତ୍ତିବା ଉପାୟ ଆଲୋଚନା କରିବା।

Advertisment

ଏଭଳି ତଥ୍ୟ ଚୋରି ଆକ୍ରମଣକୁ ଠଉରେଇବା ଖୁବ୍ କଠିନ। ଯଦି କୌଣସି ଫୋନ୍‌ ଏହାର ଶିକାର ହୋଇଥାଏ, ତେବେ ସେଥିରେ ସନ୍ଦିଗ୍ଧପୂର୍ଣ୍ଣ ସଂକେତ ଦେଖାଯାଇଥାଏ। ହଠାତ୍‌ ଫୋନ୍‌ର କାର୍ଯ୍ୟଦକ୍ଷତା ଧିମା ହୋଇଯିବା, ଅସ୍ବାଭାବିକ ଭାବେ ଫୋନ୍‌ଟି ଗରମ ହୋଇଯିବା କି ଫୋନ୍‌ରେ ବୁଝିନହେଲା ପରି ବାର୍ତ୍ତା ଦେଖାଯିବା ଆଦି ଏହାର ଲକ୍ଷଣ। ତେଣୁ ଏଭଳି ଠକାମିରୁ ମୁକ୍ତ ରହିବାର ଶ୍ରେଷ୍ଠ ଉପାୟ ହେଉଛି ସେଭଳି ସର୍ବସାଧାରଣ ସ୍ଥାନରେ ଫୋନ୍‌ ଚାର୍ଜ ନ କରିବା। ତାହା ପରିବର୍ତ୍ତେ ସାଙ୍ଗରେ ପାଵାର ବ୍ୟାଙ୍କ ନେଇ ଯିବା ଅଥବା ନିଜର ଚାର୍ଜର ମାଧ୍ୟମରେ ଚାର୍ଜିଂ କରିବା ଶ୍ରେୟସ୍କର। ଅପରପକ୍ଷେ, ୟୁଏସ୍‌ବି ଡାଟା ବ୍ଲକର୍‌ ବ୍ୟବହାର କରି ମଧ୍ୟ ଜୁସ୍‌ ଜ୍ୟାକିଂକୁ ରୋକିହେବ। ଏହା ଚାର୍ଜିଂ ଷ୍ଟେସନର ତାର ଓ ଫୋନ୍‌ ମଧ୍ୟରେ ଲାଗୁଥିବା ଏଭଳି ଏକ ସରଞ୍ଜାମ ଯାହା ଚାର୍ଜିଂ ବେଳେ ଫୋନ୍‌ରୁ କୌଣସି ତଥ୍ୟ ଚୋରି ହେବାକୁ ଦେଇନଥାଏ।