ସିନ୍ଦୁକ ଓ କୁଞ୍ଚି କୋଲପର ଯୁଗ କୋଉକାଳୁ ଗଲାଣି। ଏବେ ଟଙ୍କାପଇସା ବ୍ୟାଙ୍କରେ ରହୁଛି ଏବଂ ଆମେ ବିନା ଦସ୍ତଖତରେ ଏଟିଏମରୁ ଟଙ୍କା ଉଠାଇ ପାରୁଛୁ। କମ୍ପ୍ୟୁଟର ମାଧ୍ୟମରେ କୋଟିକୋଟି ଟଙ୍କାର ଦେଣନେଣ ହୋଇପାରୁଛି। ଏଣୁ ସାଧାରଣ ମଣିଷଟି ମନରେ ଅସୁମାରି ଭୟ ଓ ଆଶଙ୍କା।
ବ୍ୟାଙ୍କମାନେ ଯେତେ ଭରସା ଦେଲେ ମଧ୍ୟ, ଗଣମାଧ୍ୟମରେ ଆଜିକାଲି ଡିଜିଟାଲ ଜାଲିଆତିର ଏତେ ଖବର ଆସୁଛି ଯେ ଗ୍ରାହକ ମନରେ ଅସୁରକ୍ଷାର ଭାବନା ବଢ଼ିଯାଉଛି। ଏଭଳି ଏକ ଖବର ହେଉଛି ‘କେୱାଇସି ଜାଲିଆତି’, ଯାହା ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବ୍ରୁଆରି ୨ ତାରିଖରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।
କେୱାଇସି କ’ଣ?
‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ’ ବା ‘ନୋ ୟୋର୍ କଷ୍ଟମର’ ର ସଂକ୍ଷିପ୍ତ ନାମ ହେଲା କେ.ୱାଇ.ସି.। ବେନାମୀ ବ୍ୟାଙ୍କ ଖାତା ଓ ବେଆଇନ ଆର୍ଥିକ କାରବାରକୁ ରୋକିବା ପାଇଁ ସାରା ବିଶ୍ୱରେ ଏହି ବ୍ୟବସ୍ଥାଟି ପ୍ରଚଳିତ ହୋଇଛି। ଏଥିପାଇଁ ବ୍ୟାଙ୍କରେ ଖାତା ଖୋଲିଲାବେଳେ ଗ୍ରାହକଙ୍କୁ ନିଜର ପରିଚୟପତ୍ର ଓ ଠିକଣା ଆଦିର ନିର୍ଭରଯୋଗ୍ୟ ପ୍ରମାଣ ଦାଖଲ କରିବା ଜରୁରୀ ହୋଇଥାଏ। ମଝିରେ ମଝିରେ ଆବଶ୍ୟକ ପଡ଼ିଲେ ବ୍ୟାଙ୍କ ତରଫରୁ ଏହି ତଥ୍ୟର ତନଖି ପାଇଁ ସଦ୍ୟତମ ପ୍ରମାଣ ଲୋଡ଼ା ଯାଇଥାଏ।
କେୱାଇସି ଜାଲିଆତି କିଭଳି ହୁଏ?
ଡିଜିଟାଲ ଆର୍ଥିକ କାରବାର ସମୟରେ ଆମେ ନିଜ ପାସୱାର୍ଡ ବା ମୋବାଇଲକୁ ଆସିଥିବା ଓଟିପି (ଥରେ ମାତ୍ର ବ୍ୟବହାରଯୋଗ୍ୟ ପାସୱାର୍ଡ- ୱାନ୍ ଟାଇମ୍ ପାସୱାର୍ଡ) ମାଧ୍ୟମରେ ଆମର ପରିଚୟ ପ୍ରମାଣିତ କରିଥାଉ। ଅର୍ଥାତ ଏହାକୁ ଦେବାପରେ କମ୍ପ୍ୟୁଟର ବୁଝିନିଏ ଠିକ୍ ଲୋକ ଦେଣନେଣ କରୁଛନ୍ତି ବୋଲି। ଏହା ଅତ୍ୟନ୍ତ ଗୋପନୀୟ।
ଆମ ନାମରେ ଜାଲିଆତି କରିବାକୁ ଚାହୁଁଥିବା ବ୍ୟକ୍ତି କୌଣସି ଉପାୟରେ ଆମଠାରୁ ଏହି ଗୋପନୀୟ କୁଞ୍ଚିକାଠିଟି ହାସଲ କରିବା ପାଇଁ ଚାହାଁନ୍ତି। ଏଥିପାଇଁ ତାଙ୍କୁ ଆମ ପରିଚୟର ଗୋପନ ତଥ୍ୟ- ଆକାଉଣ୍ଟ ନମ୍ବର, ଆଧାର ନମ୍ବର, ଜନ୍ମ ତାରିଖ ଆଦି ଜାଣିବା ଆବଶ୍ୟକ ହୁଏ। ଏହା ଆମର କେୱାଇସି ତଥ୍ୟରେ ଉପଲବ୍ଧ ଥାଏ। ତେଣୁ ସେମାନେ ମୋବାଇଲ କଲ୍, ମେସେଜ ବା ଇମେଲ ମାଧ୍ୟମରେ ବ୍ୟାଙ୍କରୁ କଲ୍ କରୁଛନ୍ତି କହି ଆମଠାରୁ କେୱାଇସି ନବୀକରଣ ପାଇଁ ତଥ୍ୟ ମାଗନ୍ତି। ତଥ୍ୟ ନଦେଲେ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ଭୟ ଦେଖାନ୍ତି। ସରଳ ଗ୍ରାହକଟି ଏହି ତଥ୍ୟ ଦେଇଦେଲେ, ସେ ତାହାକୁ ବ୍ୟବହାର କରି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନିଅନ୍ତି।
ରିଜର୍ଭ ବ୍ୟାଙ୍କର ସତର୍କ ସୂଚନା:
ଗ୍ରାହକ ନିଜସ୍ବ ତଥ୍ୟ ଟେଲିଫୋନ ମାଧ୍ୟମରେ କୌଣସି ଅଜଣା ଲୋକକୁ ନଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ରିଜର୍ଭ ବ୍ୟାଙ୍କ କହେ -
କେୱାଇସି ତଥ୍ୟ ଅତ୍ୟନ୍ତ ଗୋପନୀୟ।ଏଭଳି ତଥ୍ୟ ଦେବାପାଇଁ କଲ୍ ବା ମେସେଜ୍ ପାଇବା ମାତ୍ରେ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାହକ ପ୍ରଥମେ ବ୍ୟାଙ୍କ ସହ ଯୋଗାଯୋଗ କରିବା ଉଚିତ।
ଏହି ଯୋଗାଯୋଗ ପାଇଁ ବ୍ୟାଙ୍କର ଅଧିକୃତ ୱେବସାଇଟ ହିଁ ବ୍ୟବହାର କରନ୍ତୁ ବା ନିଜେ ଯାଇ ବ୍ୟାଙ୍କ ଅଧିକାରୀଙ୍କୁ ଭେଟନ୍ତୁ।
ଜାଲିଆତିର ଶିକାର ହେଲେ ଏ ସମ୍ପର୍କରେ ତୁରନ୍ତ ସାଇବର୍ ଅପରାଧ ହେଲ୍ପଲାଇନକୁ (ଫୋନ ନମ୍ବର ୧୯୩୦) ଜଣାନ୍ତୁ। ଜାତୀୟ ସାଇବର ଅପରାଧ ପୋର୍ଟାଲ www.cybercrime.gov.in ରେ ମଧ୍ୟ ଏତଲା ଦିଆଯାଇପାରିବ।
କେୱାଇସି ଜାଲିଆତିରୁ ବଞ୍ଚିବେ କିପରି?
/sambad/media/post_attachments/wp-content/uploads/2024/02/fshfshfsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)