ମଣିଷର କାଖ ଶରୀରର ଏକ ଅବହେଳିତ ଅଂଶ ହୋଇ ରହିଯାଇଥାଏ, ମାତ୍ର ତାହା ଜଣଙ୍କର ଚେହେରା ଓ ସର୍ବାଙ୍ଗୀନ ସୁସ୍ଥତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ସୁସ୍ଥ କାଖ କେବଳ ଜଣଙ୍କର ଆତ୍ମପ୍ରତ୍ୟୟ ବଢ଼ାଇ ନଥାଏ, ବରଂ ଏହା ଝାଳୁଆ ଦୁର୍ଗନ୍ଧ, କୁଣ୍ଡାଇ ହେବା ଭଳି ଅପ୍ରୀତିକର ପରିସ୍ଥିତିକୁ ମଧ୍ୟ ଦୂରେଇ ଦେଇଥାଏ। ବିଶେଷ କରି କଳା କାଖତଳ ଯୋଗୁଁ ସ୍ଲିଭ୍‌ଲେସ୍‌ ପୋଷାକ ପିନ୍ଧିବା ପାଇଁ ମନରେ କୁଣ୍ଠା ସୃଷ୍ଟି ହୋଇଥାଏ। ତେବେ ସାଧାରଣ ଉପଚାର ଦ୍ବାରା କଳା ବା ଅସ୍ବାସ୍ଥ୍ୟକର କାଖ ତଳ ସମସ୍ୟା ଦୂର କରିହେବ। ଏଠାରେ ସେପରି କିଛି ଉପାୟ ବାବଦରେ ଆଲୋଚନା କରିବା। 
କାଖକୁ ଉଜ୍ଜ୍ବଳ ତଥା ସୁନ୍ଦର କରିବା ପାଇଁ ପ୍ରଥମ ଓ ପ୍ରଧାନ କାମ ହେଲା, କାଖତଳେ ଲାଖି ରହିଥିବା ମୃତ ଜୀବକୋଷଗୁଡ଼ିକୁ ନିୟମିତ ଭାବେ ଅପସାରଣ (ଏକ୍ସଫୋଲିଏସନ୍‌) କରିବା। ନଡ଼ିଆତେଲ ଓ ଚିନିର ଏକ ମିଶ୍ରଣକୁ କାଖରେ ଲଗାଇ ତାହାକୁ ୧-୨ ମିନିଟ୍‌ ଧରି ହାଲୁକା ଘଷିବା ପରେ 
ଧୋଇଦିଅନ୍ତୁ। ପରେ ତହିଁରେ ଘିକୁଆଁରୀ ରସ ଲଗାଇ କାଖତଳ ଚର୍ମକୁ ଆର୍ଦ୍ର କରିବାକୁ ପଡ଼ିବ। ଏହି ଅଭ୍ୟାସ ମୃତ ଜୀବକୋଷଗୁଡ଼ିକୁ ବାହାର କରିଦେବା ସହ କାଖତଳେ ନୂତନ ଲୋମସୃଷ୍ଟିକୁ ମଧ୍ୟ ରୋକିଥାଏ। ସପ୍ତାହକୁ ଅନ୍ତତଃ ଦୁଇ ଥର ଏପରି କଲେ କାଖର କଳାଦାଗଗୁଡ଼ିକ 
ଧୀରେ ଧୀରେ ଫିକା ହୋଇଯିବ। 

Advertisment

ଝାଳ ସହିତ କୌଣସି ବୀଜାଣୁ ମିଶିଲେ କାଖତଳୁ ଦୁର୍ଗନ୍ଧ ବାହାରିବା ସହ ତାହା କୁଣ୍ଡାଇହୁଏ। ତେଣୁ ତାହାକୁ ଦୂରେଇବା ପାଇଁ କାଖତଳକୁ ପାଣି ଓ ମୃଦୁ ସାବୁନ୍‌ରେ ଧୋଇ ଝାଳମୁକ୍ତ ରଖନ୍ତୁ। ଏହା ପରେ କାଖକୁ କପଡ଼ାରେ ପୋଛି ଶୁଖାଇବା ଜରୁରି; ଆର୍ଦ୍ର ରହିଲେ ସେଠାରେ ବୀଜାଣୁ ବୃଦ୍ଧିର ଆଶଙ୍କା ଥାଏ। ସେହିପରି କାଖରେ ମଏଶ୍ଚରାଇଜର୍‌ ଲଗାଇ ତାହାକୁ ସୁସ୍ଥ ରଖିହେବ। ପ୍ରାକୃତିକ ଡିଓଡରାଣ୍ଟ୍‌ ମଧ୍ୟ ଏ ଦିଗରେ ଉପାଦେୟ। ବଜାରରେ ମିଳୁଥିବା ଡିଓଡରାଣ୍ଟଗୁଡ଼ିକରେ କ୍ଷତିକାରକ ରସାୟନ, ଆଲ୍‌କୋହଲ୍‌ ଓ ସୁଗନ୍ଧକ ରହିଥାଏ, ଯାହା ଚର୍ମ ପାଇଁ ହାନିକାରକ। ତେଣୁ ଘରେ ପ୍ରାକୃତିକ ଡିଓଡରାଣ୍ଟ ପ୍ରସ୍ତୁତ କରିପାରିଲେ ଭଲ। ସେହିପରି କାଖରେ ପ୍ରତିକ୍ରିୟାଶୀଳ କ୍ରିମ୍‌ ନ ଲଗାଇ ପିଏଚ୍‌-ସନ୍ତୁଳିତ ପ୍ରସାଧନ ଲଗାଇବା ଭଲ। ଲେମ୍ବୁରସ, ଘିକୁଆଁରୀ ରସ, ଖାଇବା ସୋଡା ଓ ଆପଲ୍‌ ସାଇଡର୍‌ର ଏକ ମିଶ୍ରଣ ପ୍ରସ୍ତୁତ କରି କାଖରେ ଲଗାଇ ମଧ୍ୟ କଳାଦାଗ ଦୂର କରିବା ସମ୍ଭବ। ସର୍ବୋପରି ପବନ ଯା’ଆସ କରିପାରୁଥିବା ସୂତା କପଡ଼ାର ଢିଲା ପୋଷାକ ପିନ୍ଧିବା ଉଚିତ। କାରଣ ପଲିଷ୍ଟର୍‌ କପଡ଼ା ଝାଳକୁ ଧରିରଖି ବୀଜାଣୁ ବୃଦ୍ଧିରେ ସହାୟକ ହୋଇଥାଏ।