ନାରୀ କେବଳ ସ୍ତ୍ରୀ ବା ବୋହୂ ନୁହେଁ, ସେ ମଧ୍ୟ ମାଆ। ତାକୁ ମା’ର କର୍ତ୍ତବ୍ୟ ବି କରିବାକୁ ପଡ଼ିଥାଏ। ସେ କିପରି ବୋହୂ, କିପରି ସ୍ତ୍ରୀ ଓ କିପରି ମାଆ, ତାହା ତା’ର ସନ୍ତାନକୁ ଦେଖିଲେ ଜଣାପଡ଼େ। ଶ୍ବଶୁରଗୃହ ହେଉଛି ତା’ର ବିଶ୍ବବିଦ୍ୟାଳୟ ଏବଂ ସନ୍ତାନ ହେଉଛି ତା’ର ସାର୍ଟିଫିକେଟ୍। ମା’ ଶବ୍ଦଟି  ଆସିଛି - ‘ମା’ ଧାତୁରୁ। ଯାହାର  ଅର୍ଥ  ମାପିବା। ଅର୍ଥାତ୍ ମାଆ ବାପାଙ୍କଠାରୁ ସନ୍ତାନକୁ ମାପିକରି ଆଣେ। ବାପାଙ୍କ ଗୁଣସୂତ୍ରରେ ଅସଂଖ୍ୟ ଜିନ୍ ଥାଏ। ସେଥିମଧ୍ୟରୁ ବାପାଙ୍କ ଯେଉଁ ଗୁଣଗୁଡ଼ିକୁ ମାଆ ଭଲ ପାଏ ବା ପସନ୍ଦ କରେ, ସେହି ଗୁଣଗୁଡ଼ିକ ହିଁ ସନ୍ତାନ ରୂପରେ ଜନ୍ମ ଗ୍ରହଣ କରେ। ସ୍ତ୍ରୀର ସ୍ବାମୀଙ୍କ ସହ ମିଳନ ସମୟର ଭାବ ଅନୁଯାୟୀ ସନ୍ତାନ ଜନ୍ମଗ୍ରହଣ କରେ। ସେଥିପାଇଁ ଭାଗବତରେ ଲେଖାଯାଇଛି, ‘‘ପିତାମାତାଙ୍କ ସଂଯୋଗ କ‌ାଳେ। ବିହି ଯା ଲେଖିଲା କପାଳେ।।’’ ସ୍ତ୍ରୀକୁ ଜାୟା କୁହାଯାଏ କାରଣ ସେ ସ୍ବାମୀଙ୍କୁ ସନ୍ତାନ ରୂପରେ ଜନ୍ମ ଦିଏ। ସ୍ତ୍ରୀ ଯଦି ସ୍ବାମୀଙ୍କଠାରେ ଦୋଷ ଦେଖେ, ତେବେ ସେହି ଦୋଷ ହିଁ ସନ୍ତାନ ରୂପରେ ଜନ୍ମନିଏ। 

Advertisment

ଜଣେ ରୂପସୀ ମହିଳା ଜଣେ ବୈଜ୍ଞାନିକଙ୍କୁ ସ୍ବାମୀ ରୂପରେ ବରଣ କଲେ। ସେ କହୁଥିଲେ, ମୋର ରୂପ ଓ ବୈଜ୍ଞାନିକ ସ୍ବାମୀଙ୍କ ଗୁଣ ନେଇ ସନ୍ତାନ ଜନ୍ମ ହେବ। କିନ୍ତୁ ବୈଜ୍ଞାନିକ ଜଣକ ଥିଲେ କୁରୂପ। ବିବାହର କିଛିଦିନ ପରେ ରୂପସୀ ମହିଳାଙ୍କ ମନରେ ଦୁଃଖ ଜାତ ହେଲା, ଏପରି ଜଣେ କୁରୂପ ପୁରୁଷକୁ ବିବାହ କରିଥିବାରୁ। ସ୍ବାମୀଙ୍କର ଦାନ୍ତଟା ଥିଲା ଅସୁନ୍ଦର ଓ ମୁହଁର ଗଢ଼ଣ ଥିଲା କଦାକାର। ମହିଳା ଜଣକ ସବୁବେଳେ ଭାବୁଥାନ୍ତି, ଗୁଣ ଥିଲେ କ’ଣ ହେଲା ସ୍ବାମୀ ମୋର ଅସୁନ୍ଦର। ମୋର ସାଙ୍ଗମାନେ କେତେ ସୁନ୍ଦର ସୁନ୍ଦର ପୁରୁଷଙ୍କୁ ବିବାହ କରିଛନ୍ତି, ମୁଁ ବୋକୀ ଏପରି କୁରୂପ ପୁରୁଷଙ୍କୁ କାହିଁକି ବାଛିଲି? ଶେଷରେ ସନ୍ତାନ ଜନ୍ମ ହେଲା- ସେ ଥିଲା ତାଙ୍କ ଆଶାଠାରୁ ସମ୍ପୂର୍ଣ୍ଣ ବିପରୀତ। ପୁଅର ରୂପ ଥିଲା ବୈଜ୍ଞାନିକଙ୍କ ପରି କୁରୂପ। ସମସ୍ତେ ଭାବିଥିଲେ ରୂପ ଯେତେବେଳେ ବାପାଙ୍କ ପରି ହୋଇଛି, ଗୁଣ ବି ତାଙ୍କରି ପରି ହେବ। ନିଶ୍ଚୟ ସେ ଜଣେ ବୈଜ୍ଞାନିକ ହେବ। କିନ୍ତୁ ତାହା ବି ହେଲା ନାହିଁ। କାରଣ ରୂପସୀ ମହିଳା ଜଣକ ସ୍ବାମୀଙ୍କ ଗୁଣକୁ ଭଲ ପାଇ ପାରି ନ ଥିଲେ, ତାଙ୍କୁ କେବଳ ସ୍ବାମୀଙ୍କ କଦାକାର ରୂପ ହିଁ ଦେଖାଯାଉଥିଲା। 

ନିଜ ଗର୍ଭରେ ସ୍ଥାନ ଦେବାଠାରୁ  ଆରମ୍ଭ କରି ମଣିଷ କରି  ଗଢି ତୋଳିବା  ସବୁ କିଛି ନିର୍ଭର କରେ ମା’ ଉପରେ। ସାଧାରଣତଃ  ପିଲାମାନେ  ସେମାନଙ୍କ  ଶିକ୍ଷା  ମା’ର  ବୋଧ, ବାକ୍ୟ, ଚଳନ ଓ ଚରିତ୍ରରୁ ପାଇଥାନ୍ତି। ମା’ମାନଙ୍କର ଏହିଗୁଡିକ ଯେତେ ପୁଷ୍ଟ ଓ  ମାର୍ଜିତ  ହେବ ପିଲାମାନଙ୍କର  ଶିକ୍ଷାର  ଭିତ୍ତି  ସେତେ  ଦୃଢ଼  ହେବ। ତେଣୁ  ପିଲାଟିକୁ  ମଣିଷ  କରିବାକୁ  ହେଲେ  ପ୍ରଥମେ  ନିଜକୁ  ନିୟନ୍ତ୍ରିତ  କରିବାକୁ ହେବ। ତାହାର ଭୁଲକୁ  ବୁଝାଇ  ସୁଧାରିବାକୁ  ହେବ। ସବୁ ସମୟରେ  ତାକୁ  ନଜରରେ ଓ ହିସାବରେ ରଖିବାକୁ ହୁଏ। ୫ରୁ  ୧୦  ବର୍ଷ ମଧ୍ୟରେ  ତାର ଜୀବନର  ମୂଳ ଭିତ୍ତି ଗଠନ ହୋଇଯାଏ। ବାପାମାଆ ଯଦି ପିଲା ଆଗରେ ଝଗଡ଼ା କରନ୍ତି, ତେବେ ତା’ର କୁପ୍ରଭାବ ପିଲା ଉପରେ ପଡ଼େ।

ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି- 

ବାପା ମାଆ ଝଗଡ଼ା କରେ,ପିଲାପିଲି ଦେଖେ,
ସର୍ବନାଶର ସଦର ଦ୍ବାରେ ପିଲାମାନଙ୍କୁ ରଖେ।

ଛୋଟ ଛୋଟ କଥାରେ ବାରମ୍ବାର ବାଡ଼ିଆପିଟା କରି ପିଲାମାନଙ୍କୁ ଶାସନ କରିବା ମଧ୍ୟ ଠିକ୍ ନୁହେଁ। ଏହାଦ୍ବାରା ମାଡ଼ଟା ପିଲାର ଦେହସୁହା ହୋଇଯାଏ। ପରେ ମାଡ଼ ଦ୍ବାରା ତାକୁ ଆଉ ନିୟନ୍ତ୍ରଣ କରିହୁଏ ନାହିଁ। ମା’ର ଆଚାର-ବ୍ୟବହାର, ଚଳନ-ଚରିତ୍ର ଯେତେ ମନୋଜ୍ଞ ହୋଇଉଠେ, ସେତେ ପୁଅକୁ ତାହା ଭଲ ଲାଗେ। ସେ ସେଇଭଳି ହେବାକୁ ଚେଷ୍ଟା କରେ। ପୁଅ ମଧ୍ୟରେ ଅଛି ତା’ର ବାପା ଆଉ ମା’। ବାପାଙ୍କ ଆଚାର-ବ୍ୟବହାର ଯେପରି ପୁଅ ମଧ୍ୟରେ ଫୁଟିଉଠେ, ମା’ର ଉଚିତ ତା’ହିଁ କରିବା।  ଏହା କରୁ କରୁ ପୁଅ ମାତୃଭକ୍ତ ହୋଇଉଠେ। ଏହିଭଳି ଅଭ୍ୟାସ କରାଇବା ଭିତର ଦେଇ ମା’ ପିଲାଦିନୁ ହିଁ ପୁଅର ଜୀବନକୁ ଠିକ୍ କରିଦେଇପାରେ।

‌ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨