ନୂଆଦିଲ୍ଲୀ: ଆପଣ କମ୍ପ୍ୟୁଟର କିମ୍ବା ମୋବାଇଲରେ କିଛି କାମ କରୁଛନ୍ତି, ଆଉ ଲାଗୁଛି ଯେ କେହି ଆପଣଙ୍କ ଆଡକୁ ଚାହିଁ ରହିଛନ୍ତି। ଯେତେବେଳେ ଆପଣ ମୁଣ୍ଡ ଉଠାଇ ଦେଖନ୍ତି ସତରେ ସେ ଆପଣଙ୍କୁ ଦେଖୁଥାନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି, ନ ଦେଖି ଆପଣ କେମିତି ଅନୁଭବ କଲେ ଯେ କେହି ଆପଣଙ୍କୁ ଦେଖୁଛନ୍ତି? ଏହାକୁ କୁହାଯାଏ ଗେଜ୍ ଡିଟେକ୍ସନ।
ପ୍ରାୟତଃ ଯେତେବେଳେ କେହି ଆମକୁ ଅନାଇଥାଏ, ଆମେ ନ ଦେଖି ମଧ୍ୟ ଜାଣିପାରିଥାଉ। ଗେଜ୍ ଡିଟେକ୍ସନ କିମ୍ବା ଗେଜ୍ ପରସେପ୍ସନ ପଛରେ ଏକ ସମ୍ପୂର୍ଣ୍ଣ ବିଜ୍ଞାନ ରହିଛି। ମଣିଷର ଆଖି ପଶୁ ଓ ପକ୍ଷୀମାନଙ୍କ ଆଖିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍କ୍ଲେରା ହେଉଛି ଆଖିର ଚାରିପାଖରେ ଧଳା ଅଂଶ, ଯାହା ବହୁତ ବଡ। ଏହା ଏତେ ବିସ୍ତାର ହୋଇଛି ଯେ ଯଦି କୈଣସି ଦିଗକୁ ଆଖି ଡୋଳା ଗତି କରିବ କିମ୍ବା ସେଥିରେ କୈଣସି ପରିବର୍ତ୍ତନ ଆସିବ ତେବେ ବଡ଼ ଧଳା ଅଂଶ ହେତୁ ଏହା ସହଜରେ ଜଣାପଡିବ । ଅନ୍ୟପଟେ ପଶୁମାନଙ୍କ ଠାରେ ଆଖି ଡୋଳା ଅଧିକ ସ୍ଥାନ ଦଖଲ କରିଥିବାବେଳେ ସ୍କ୍ଲେରା ପାଇଁ କମ୍ ସ୍ଥାନ ରହିଛି।
ମସ୍ତିଷ୍କର ଦଶଟି ବିଭିନ୍ନ ଅଂଶ ମାନବ ଦୃଷ୍ଟି ସହିତ ସଂଯୁକ୍ତ ରହିଛି । ଭିଜୁଆଲ୍ କର୍ଟେକ୍ସ ଏହାର ମୁଖ୍ୟ ଅଟେ । ଏହା ମସ୍ତିଷ୍କର ପଛ ଭାଗର ଏକ ବଡ଼ ଅଂଶ, ଯାହା ଦେଖିବାରେ ସାହାଯ୍ୟ କରେ। ଏମିଗ୍ଲେଡା ମଧ୍ୟ ସମାନ କାମ କରେ, କିନ୍ତୁ ଏହାର ମୁଖ୍ୟ କାମ ହେଉଛି ଦେଖିବା, ଅର୍ଥାତ୍ ନଜରକୁ ପ୍ରକ୍ରିୟାକରଣ ଓ ଚିହ୍ନଟ କରିବା । ଅନ୍ୟ କାହାକୁ ଦେଖିବା ପରେ ଯଦି ଲାଗେ ଯେ ବିପଦ ଅଛି, ତେବେ ବ୍ୟକ୍ତି ତୁରନ୍ତ ସତର୍କ ହୋଇଯାଏ । ଆମ ଚାରିପାଖରେ ଠିଆ ହୋଇଥିବା ଲୋକଙ୍କ ଆଖି ଏଠାରୁ ସେଠାକୁ ବୁଲୁଥାଏ, ତେବେ ଆମର ଆଖି ମଧ୍ୟ ଏହାକୁ ଅନୁସରଣ କରେ । କିନ୍ତୁ ନ ଦେଖି, ଆମେ କିପରି ଜାଣୁ ଯେ କେହି ଆମକୁ ଦେଖୁଛି ବୋଲି? ବୈଜ୍ଞାନିକମାନେ ଏମିଗ୍ଲେଡାକୁ ଏହା ପଛର ପ୍ରତ୍ୟକ୍ଷ କାରଣ ବୋଲି ବିବେଚନା କରନ୍ତି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଆମର ମସ୍ତିଷ୍କ ଆମକୁ କ୍ରମାଗତ ଭାବରେ କିଛି ବିପଦ ବିଷୟରେ ସଚେତନ କରିଥାଏ । ଗେଜ୍ ଡିଟେକ୍ସନ ହେଉଛି ଏହାର ଏକ ଅଂଶ । ଅଧ୍ୟୟନରୁ ଜଣାପଡିଛି, ଆମେ ଜାଣିପାରିବା ଯେ ଆଖିର ପାରିପାର୍ଶ୍ୱିକ ସ୍ତରରେ ଶରୀରର ଗତିବିଧି ଆଧାରରେ କାହାର ଆଖି ଆମ ଉପରେ ଅଛି । ଗେଜ୍ ଡିଟେକ୍ସନ କେବଳ ବୟସ୍କମାନଙ୍କଠାରେ ନୁହେଁ, ନବଜାତ ଶିଶୁମାନଙ୍କଠାରେ ମଧ୍ୟ ଦେଖାଯାଏ। ଆଖିର ଗତିବିଧି କିମ୍ବା ଦୃଷ୍ଟି ଆକର୍ଷଣ କରିବା ମାନବ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ । ୫ ଦିନର ଶିଶୁମାନେ ମଧ୍ୟ ଆଖିର ଗତି ବୁଝିପାରନ୍ତି ।
୨୦୧୩ରେ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଯେତେବେଳେ ଜଣେ ଭୟଭୀତ ଥାଏ ସେତେବେଳେ ସେ ଅନୁମାନ କରନ୍ତି ଯେ କେହି ତାଙ୍କୁ କ୍ରମାଗତ ଭାବରେ ଦେଖୁଛି। ଅନ୍ୟ ଏକ ଅଧ୍ୟୟନରେ କୁହାଯାଇଛି ଯେ, କେହି ଆମକୁ ଦେଖୁଛନ୍ତି, ଏହା ଜାଣିବାରେ କୈଣସି ବିଜ୍ଞାନ କିମ୍ବା ସିକ୍ସ ସେନ୍ସ ନାହିଁ, ବରଂ ଏହା ମାନବୀୟ ଭୟ। ଯଦି ଆମ ଚାରିପାଖରେ କେହି ଅଛନ୍ତି ତେବେ ଆମେ ଅନୁମାନ କରୁ ଯେ ସେ ନିଶ୍ଚୟ ଆମକୁ ଦେଖୁଛନ୍ତି, ଏବଂ ପ୍ରାୟତଃ ଏହା ସତ ହୋଇଯାଏ ।