ଗ୍ଲାସ୍‌ଗୋଠାରେ ନଭେମ୍ବର ପହିଲାରେ ଅନୁଷ୍ଠିତ ବିଶ୍ବ ଜଳବାୟୁ ସମ୍ମିଳନୀ ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସାମ୍ପ୍ରତିକ ପରିସ୍ଥିତିକୁ ସ୍କଟ୍‌ଲାଣ୍ଡର ସନ୍ତାନ ତଥା ରହସ୍ୟ ଉପନ୍ୟାସର ଗୋଇନ୍ଦା ଜେମ୍ସ ବଣ୍ଡ୍‌ଙ୍କ ‘ଡୁମ୍‌ସ ଡେ ଡିଭାଇସ୍’ (ପ୍ରଳୟକାରକ ଯନ୍ତ୍ର) ଦ୍ବାରା ପ୍ରହୃତ ହେବାସହ ତୁଳନା କରିଛନ୍ତି, ଯାହା ଏ ପୃଥିବୀକୁ ଧ୍ବଂସ କରିଦେବ। କାଉଣ୍ଟଡାଉନ ଟାଇମର ଶୂନ ଆଡ଼କୁ ଦ୍ରୁତଗତିରେ ଆଗଉଥିବାବେଳେ ଜେମ୍ସ ବଣ୍ଡ୍ ଅତି ବ୍ୟାକୁଳଭାବରେ ଏହାକୁ ଡିଫ୍ୟୁଜ୍ କରିବାକୁ ଚେଷ୍ଟା କରିଛନ୍ତି। ତା’ପରେ ଜନସନ କହିଲେ, ଆମେ ଏବେ ପ୍ରାୟ ସେହି ସ୍ଥିତିରେ ରହିଛୁ ଏବଂ ମୋର ବନ୍ଧୁ ବିଶ୍ବ ନେତାମାନେ ହେଉଛନ୍ତି ଜେମ୍ସ ବଣ୍ଡ୍‌ଙ୍କ ପରି। କେବଳ ଏତିକି ଫରକ ଚଳିଚ୍ଚିତ୍ରର ଡୁମ୍ସ ଡେ ଡିଭାଇସ୍ କାଳ୍ପନିକ ହୋଇଥିବାବେଳେ ଆମେ ବର୍ତ୍ତମାନ ‘ପରିବେଶ ପ୍ରଦୂଷଣ, ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ’ ରୂପକ ଯେଉଁ ଡୁମ୍ସ ଡେ ଡିଭାଇସ୍‌ର ସମ୍ମୁଖୀନ ହୋଇଛୁ ତାହା ହେଉଛି ବାସ୍ତବ। ଏବେ ମଧ୍ୟରାତ୍ର ହେବାକୁ ଆଉ ଗୋଟିଏ ମିନିଟ୍ ବାକି। ତା’ ପୂର୍ବରୁ ଜଳବାୟୁ ବିପର୍ଯ୍ୟୟକୁ ରୋକିବା ପାଇଁ ଉକ୍ତ ଅସଲି ଡୁମ୍ସ ଡେ ଡିଭାଇସ୍‌କୁ ଡିଫ୍ୟୁଜ୍ କରିବାକୁ ପଡ଼ିବ।

Advertisment

publive-image Financial Times

ଜଳବାୟୁ ପରିବର୍ତ୍ତନର ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି)ର ରିପୋର୍ଟ ଅନୁସାରେ ବର୍ତ୍ତମାନ ଯେଉଁ ହାରରେ ଉତ୍ତାପ ବଢ଼ୁଛି, ଅପରିବର୍ତ୍ତନୀୟ ଜଳବାୟୁ ବିପର୍ଯ୍ୟୟ ପାଇଁ ଶତାବ୍ଦୀ ଶେଷ ଯାଏ ଅପେକ୍ଷା କରିବାକୁ ପଡ଼ିବନି, ଯାହା ଆଗରୁ ଆକଳନ କରାଯାଇଥିଲା। ବରଂ ୨୦୫୦ ସୁଦ୍ଧା ପୃଥିବୀ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ବିଶ୍ବ ତାପମାତ୍ରା ବୃଦ୍ଧି ପାଇଁ ଦାୟୀ ଗ୍ୟାସ୍‌ଗୁଡ଼ିକୁ କୁହାଯାଏ ଗ୍ରୀନ୍‌ହାଉସ୍ ଗ୍ୟାସ୍ (ସବୁଜଗୃହ ବାଷ୍ପ)। ପେଟ୍ରୋଲିୟମ୍, କୋଇଲା ପରି ଜୀବାଶ୍ମ ଇନ୍ଧନର ବ୍ୟାପକ ଦହନ ଯୋଗୁ ଏହା ଗତ ୧୦୦ ବର୍ଷ ଭିତରେ ପ୍ରାୟ ଦୁଇଗୁଣ ହୋଇଯାଇଛି। ଏହାଫଳରେ ହାରାହାରି ବିଶ୍ବ ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ୍ ବୃଦ୍ଧି ପାଇସାରିଲାଣି। ସେଥିପାଇଁ ବର୍ତ୍ତମାନ ପାଣିପାଗ ଢାଞ୍ଚାରେ ଘନଘନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବନ୍ୟା, ବାତ୍ୟା ଓ ମରୁଡ଼ିର ସଂଖ୍ୟା ତଥା ତୀବ୍ରତା ବୃଦ୍ଧି ପାଇଛି। ବହୁ ସଂଖ୍ୟାରେ ଧନଜୀବନ ହାନି ହେଉଛି। ଗତ ଦୁଇ ଦଶନ୍ଧି ଭିତରେ ଏପରି ବିପର୍ଯ୍ୟୟ ବହୁତ ଘଟିଛି। ମେରୁସ୍ଥ ହିମଚ୍ଛତ୍ର (ପୋଲାର ଆଇସ୍‌କ୍ୟାପ୍) ଦ୍ରୁତ ସଂକୁଚିତ ହେଉଛି, ଯାହାଫଳରେ ସମୁଦ୍ରର ଜଳସ୍ତର ପ୍ରାୟ ୨୩ ସେଣ୍ଟିମିଟର ବୃଦ୍ଧି ପାଇଲାଣି। ଏହା ଅନେକ ଦ୍ବୀପଦେଶ ଏବଂ ମୁମ୍ବାଇର କିଛି ଅଂଶ ସହ ଉପକୂଳବର୍ତ୍ତୀ ନଗରୀଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। କିଛି କିଛି ଅଂଶ ବି ବୁଡ଼ିବାକୁ ଆରମ୍ଭ କଲାଣି।

ଏହିଭଳି ଏକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସ୍‌ଗୋରେ ସବୁଜଗୃହ ବାଷ୍ପ ହ୍ରାସ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ୨୦୭୦ ସୁଦ୍ଧା ଆମେ ନେଟ୍ ଜିରୋ ହୋଇଯିବୁ ବୋଲି ଘୋଷଣା ମଧ୍ୟ କରିଥଲେ। ସେ କହିଥିଲେ, ଆମେ ସମସ୍ତେ ଜାଣୁ ଯେ ଜଳବାୟୁ ଫାଇନାନ୍ସ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପର୍ଯ୍ୟନ୍ତ ଅପୂର୍ଣ୍ଣ ଅଛି। ଆଜି ଯେତେବେଳେ ଭାରତ ଏକ ନୂତନ ପ୍ରତିବଦ୍ଧତା ଓ ଉତ୍ସାହ ସହ ଆଗକୁ ବଢ଼ିବାକୁ ପ୍ରତିଶ୍ରୁତି ଦେଉଛି, ସେହି ସମୟରେ ଜଳବାୟୁ ଫାଇନାନ୍ସ ଏବଂ ସ୍ୱଳ୍ପ ମୂଲ୍ୟର ସବୁଜ ପ୍ରଯୁକ୍ତି ହସ୍ତାନ୍ତର ଅଧିକ ମହତ୍ତ୍ବପୂର୍ଣ୍ଣ ହେବ।

publive-image CitySpidey

୧. ବ୍ୟାଟେରି-ଚାଳିତ ଗାଡ଼ି
ଆମର ଯାତାୟାତ ବା ଗମନାଗମନ ହେଉଛି କାର୍ବନ ନିର୍ଗମନର ଏକ ପ୍ରମୁଖ କାରଣ। ପରିବହନ କ୍ଷେତ୍ର ବିଶ୍ବ ସବୁଜଗୃହ ବାଷ୍ପ ନିର୍ଗମନର ପ୍ରାୟ ୧୬ ପ୍ରତିଶତ ପାଇଁ ଦାୟୀ। ଏଥିରୁ ୪୮ ପ୍ରତିଶତ ୯୦୦ ନିୟୁତ ଯାତ୍ରୀବାହୀ କାର ଦ୍ୱାରା ଉତ୍ପନ୍ନ ହୋଇଥାଏ। ତେବେ ବିଦ୍ୟୁତ୍ ଚାଳିତ ଏବଂ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା କାରଗୁଡିକ ଏବେ ରାସ୍ତାରେ ଚାଲିବା ଆରମ୍ଭ କଲାଣି। ଭାରତରେ ଏହାର ଲୋକପ୍ରିୟତା ବଢ଼ିବା ଦେଖାଯାଉଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନ ବଜାର ବର୍ଷକୁ ୪୦ ପ୍ରତିଶତରୁ ଅଧିକ ହିସାବରେ ବୃଦ୍ଧି ପାଇଚାଲିଛି। ଏହି ଅଭିବୃଦ୍ଧି ସତ୍ତ୍ବେ ରାସ୍ତାରେ ଥିବା ୮ ନିୟୁତ ବୈଦ୍ୟୁତିକ କାର ବିଶ୍ବର ଯାତ୍ରୀବାହୀ କାର ବଜାରର ଏକ ପ୍ରତିଶତରୁ ବି କମ୍। ଭାରତରେ ଏକ ଡଜନରୁ ଅଧିକ ବୈଦ୍ୟୁତିକ ଯାନ ନିର୍ମାତା ଥିବାବେଳେ ଇଲେକ୍ଟ୍ରିକ୍ କାର ଦେଶରେ ସମୁଦାୟ ଯାତ୍ରୀବାହୀ ଯାନର ଏକ ଅତି କ୍ଷୁଦ୍ର ଅଂଶ ମାତ୍ର।

ଲିଥିୟମ୍-ଆୟନ (ଲି-ଅନ୍) ପ୍ରଯୁକ୍ତି ବ୍ୟାଟେରୀ ବଜାରକୁ ଦଖଲ କରିନେଇଥବା ବେଳେ ବୈଦ୍ୟୁତିକ ଯାନରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ରହିଛି। ଗତ ଦଶନ୍ଧିରେ ବ୍ୟାଟେରୀ ମୂଲ୍ୟ ୮୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ତଥାପି ଟେକ୍ନୋଲୋଜି ପଛୁଆ ରହିଛି। ଲି-ଅନ୍ ବ୍ୟାଟେରୀ-ଚାଳିତ ଯାନଗୁଡିକର ମାଇଲେଜ୍ ପ୍ରାୟ ୨୦୦ କିଲୋମିଟର ଭିତରେ ରହୁଛି ଏବଂ ସମ୍ପୂର୍ଣ୍ଣ ରିଚାର୍ଜ କରିବାକୁ ୪-୬ ଘଣ୍ଟା ସମୟ ଲାଗୁଛି। ଏହା ସହରଗୁଡିକରେ ଚାଳିତ କାରଗୁଡିକ ପାଇଁ ଅନୁକୂଳ ହୋଇପାରେ, କିନ୍ତୁ ଦୂରଦୂରାନ୍ତକୁ ଯାଉଥିବା କାର୍ ଏବଂ ମାଲବାହୀ ଟ୍ରକ୍‌ଗୁଡ଼ିକ ପାଇଁ ଉପଯୁକ୍ତ ନୁହେଁ।

ଲିଥିୟମ୍-ସଲଫର୍ ଏବଂ ଜିଙ୍କ୍-ଏୟାର ଭଳି ନୂତନ କେମିଷ୍ଟ୍ରି ସମେତ ‘ପୋଷ୍ଟ ଲି-ଅନ୍ ବ୍ୟାଟେରୀ’ କୁହାଯାଉଥିବା ବିଷୟ ଉପରେ ଅନେକ ପ୍ରମୁଖ ଅନୁସନ୍ଧାନ କେନ୍ଦ୍ର କାର୍ଯ୍ୟ କରୁଛନ୍ତି। ଜୁନ୍ ମାସରେ ଆମେରିକାର ଏକ ସାଇନ୍ସ କମ୍ପାନୀ ବାଣିଜ୍ୟିକ ଗ୍ରାଫାଇଟ୍ ପାଉଡରରେ ସିଲିକନ୍ ନାନୋୱେୟାରଗୁଡ଼ିକୁ ସଂଯୁକ୍ତ କରି ବୈଦ୍ୟୁତିକ ଯାନ ବ୍ୟାଟେରୀର ଦକ୍ଷତା ବଢ଼ାଇବାରେ ସଫଳ ହୋଇପାରିଛି। ଫଳସ୍ୱରୂପ ବ୍ୟାଟେରୀର ଚାର୍ଜ ସମୟ ଏବଂ ମୂଲ୍ୟ ହ୍ରାସ ପାଇଲାବେଳେ ମାଇଲେଜ୍ ତିନିଗୁଣ ହୋଇପାରିଛି। ଏହି ବ୍ୟାଟେରୀ-ଚାଳିତ ଗାଡ଼ିଗୁଡ଼ିକ ପାଇଁ ଚାର୍ଜିଂ ସେଣ୍ଟର ସମେତ ଭିତ୍ତିଭୂମି ଯୋଗାଇବା ଗୁରୁତ୍ୱପୂର୍ଣ୍ଣ। ଆପାର୍ଟମେଣ୍ଟ, ଡାକ୍ତରଖାନା, ମଲ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପାର୍କିଂ ସ୍ଥାନରେ ବୈଦ୍ୟୁତିକ ଯାନ ଚାର୍ଜିଂ ପାଇଁ ବ୍ୟବସ୍ଥା କରି ଅଳ୍ପ ଦେୟ ଆଦାୟ କରିପାରିବେ ବୋଲି ନିକଟରେ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

publive-image Power Technology

୨. ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍‌
ଅକ୍ଷୟ ଶକ୍ତିର ସବୁଠାରୁ ବଡ଼ ଉତ୍ସ ହେଉଛନ୍ତି ସୂର୍ଯ୍ୟ। ମୋଦୀଙ୍କ ନେତୃତ୍ୱରେ ଭାରତ ଏହାର ସୌର ଉତ୍ପାଦନ କ୍ଷମତାକୁ ୨୦୧୪ରେ ୨.୬ ଗିଗାୱାଟ୍‌ରୁ ବର୍ତ୍ତମାନ ୪୦ ଗିଗାୱାଟ୍‌କୁ ବୃଦ୍ଧି କରିଛି ଏବଂ ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଗ୍ଲାସ୍‌ଗୋଠାରେ ମୋଦୀ ଘୋଷଣା କରିଥିଲେ ଯେ, ଭାରତ ତା’ ଶକ୍ତି ଚାହିଦାର ୫୦ ପ୍ରତିଶତ ସୌର, ଜଳ, ପବନ ଏବଂ ଜୈବିକ ଶକ୍ତିରୁ ପୂରଣ କରିବ। ଏହାର ଅର୍ଥ ହେଉଛି ଅଣ-ଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତାକୁ ୫୦୦ ଗିଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯେଉଁଥିରେ ସୌରଶକ୍ତିର ଯୋଗଦାନ ୬୦ ପ୍ରତିଶତ ରହିବ।

ସୌର ଶକ୍ତିର ତଥାପି କିଛି ଅସୁବିଧା ଅଛି। ସୋଲାର ପ୍ୟାନେଲ କେବଳ ଦିନରେ ସୂର୍ଯ୍ୟାଲୋକରେ ହିଁ କାର୍ଯ୍ୟକ୍ଷମ ହୋଇପାରିବ। ରାତିରେ ବ୍ୟବହାର ପାଇଁ ଶକ୍ତି ସଂରକ୍ଷଣ ଅନ୍ୟ ଏକ ପ୍ରତିବନ୍ଧକ। ତେବେ ଭଲ ଖବର ହେଉଛି ଷ୍ଟୋରେଜ୍ ଟେକ୍ନୋଲୋଜି ଦ୍ରୁତ ଉନ୍ନତି କରୁଛି ଏବଂ ଗୋଟିଏ ବ୍ୟାଟେରୀ ଫାର୍ମ ବା ବ୍ୟାଟେରୀ ବ୍ୟାଙ୍କରେ ୧ ଗିଗାୱାଟ୍ ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ କରାଯାଇପାରିବ। ତଥାପି ଏଗୁଡ଼ିକର ମଧ୍ୟ ସୀମା ଅଛି। ଏହାକୁ ଦୂର କରିବା ପାଇଁ ଗ୍ଲାସ୍‌ଗୋ ଶିଖର ସମ୍ମିଳନୀରେ ବ୍ରିଟେନ ଓ ଭାରତ ନେତୃତ୍ୱରେ ଗ୍ରୀନ୍ ଗ୍ରୀଡ୍ ଇନିସିଏଟିଭ୍ (ଜିଜିଆଇ) ସହିତ ଆଇଏସ୍‌ଏ (ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ) ୱାନ୍ ସନ୍, ୱାନ୍ ୱାର୍ଲ୍ଡ, ୱାନ୍ ଗ୍ରୀଡ୍ (ଓଏସ୍‌ଓଡବ୍ଲୁଓଜି) ନାମକ ଏକ ପ୍ରମୁଖ ପଦକ୍ଷେପ ଆରମ୍ଭ କରିଛି।

ଆଇଏସ୍‌ଏ ମହାନିର୍ଦ୍ଦେଶକ ଅଜୟ ମାଥୁର କହିଛନ୍ତି ଯେ ଗ୍ଲୋବାଲ ଟେଲିଫୋନି ପରି ସବୁଜ ବିଦ୍ୟୁତ୍ ପାଇଁ ଆମର ଏକ ଅନ୍ତର୍ଜାତୀୟ ଗ୍ରୀଡ୍ ହୋଇପାରିବ। ଦେଶଗୁଡ଼ିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ଗ୍ରୀଡ୍ ପ୍ରତିଷ୍ଠା କରି, ଗୋଟିଏ ଦେଶରେ ସୋଲାର ପ୍ଲାଣ୍ଟ ଦ୍ବାରା ଉତ୍ପାଦିତ ଅତିରିକ୍ତ ଶକ୍ତି ଆବଶ୍ୟକ କରୁଥିବା ଅନ୍ୟ ଦେଶକୁ ବିକ୍ରି କରାଯାଇପାରିବ, ଯାହାଦ୍ବାରା ବୃହତ୍ ବ୍ୟାଟେରୀ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା କମିଯିବ। ସୂର୍ଯ୍ୟାଲୋକର ପ୍ରାପ୍ତି ସମୟ ସମଗ୍ର ବିଶ୍ୱରେ ଅଲଗା ଅଲଗା ହୋଇଥାଏ। କେଉଁଠି ଅଧିକ ସମୟ ଧରି ଅଧିକ ସୂର୍ଯ୍ୟାଲୋକ ମିଳେ ତ କେଉଁଠି କମ୍। କିନ୍ତୁ ସ୍ମାର୍ଟ ଗ୍ରୀଡ୍ ସୌରଶକ୍ତିର ନିରନ୍ତର ପ୍ରବାହକୁ ନିଶ୍ଚିତ କରିପାରିବ।

publive-image

୩. ଟ୍ରାଞ୍ଜିସନ ଇନ୍ଧନ ପ୍ରାକୃତିକ ଗ୍ୟାସ୍‌
ବିକଶିତ ଦେଶଗୁଡ଼ିକ କାର୍ବନମୁକ୍ତ ଅର୍ଥନୀତି ଆଡକୁ ନିର୍ଣ୍ଣାୟକ ଭାବରେ ଗତି କରୁଥିବା ବେଳେ ଶିଳ୍ପ ବିପ୍ଳବରେ ପଛରେ ରହିଯାଇଥିବା ବିକାଶଶୀଳ ରାଷ୍ଟ୍ରମାନେ ତୈଳ ଏବଂ କୋଇଲା ଉପରେ ତଥାପି ସବୁଠୁ ଅଧିକ ନିର୍ଭର କରୁଛନ୍ତି। ଅକ୍ଷୟ ଶକ୍ତି କ୍ଷମତାର ଦ୍ରୁତ ବିସ୍ତାର ସତ୍ତ୍ବେ କୋଇଲା-ନିର୍ଭର ତାପଜ ବିଦ୍ୟୁତ୍ ସମେତ ଜୀବାଶ୍ମ ଇନ୍ଧନ ଉତ୍ସଗୁଡ଼ିକ ଭାରତର ୮୦% ଶକ୍ତି ଆବଶ୍ୟକତା ପୂରଣ କରୁଛନ୍ତି। ଅର୍ଥନୈତିକ ବିକାଶ ମୁଣ୍ଡପିଛା ଶକ୍ତି ବ୍ୟବହାର ବୃଦ୍ଧି ଉପରେ କରେ ଏବଂ ୨୦୫୦ ସୁଦ୍ଧା ଭାରତର ଶକ୍ତି ଆବଶ୍ୟକତା ପାଞ୍ଚ ଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ହେଉଛି କେତେ ଦଶନ୍ଧି ଧରି ଭାରତ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ରହିବ।

ଏହାର ଏକ ମଧ୍ୟବର୍ତ୍ତୀ ସମାଧାନ ଭାବରେ, ବିଶେଷଜ୍ଞମାନେ ଜୀବାଶ୍ମ ଇନ୍ଧନ ଭିତରୁ ପ୍ରାକୃତିକ ଗ୍ୟାସ ଉପରେ ଜୋର ଦେଉଛନ୍ତି, ଯାହା ବାୟୁମଣ୍ଡଳକୁ କମ୍ ଅଙ୍ଗାରକାମ୍ଳ ମୁକ୍ତ କରିଥାଏ। ଭାରତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଶକ୍ତି ଆଡକୁ ଯିବା ବାଟରେ ପ୍ରାକୃତିକ ଗ୍ୟାସ୍ ଏକ ଟ୍ରାଞ୍ଜିସନ ଇନ୍ଧନର କାମ କରିବ ବୋଲି ଶେଲ୍ ଇଣ୍ଡିଆର ପୂର୍ବତନ ସିଇଓ ବିକ୍ରମ ସିଂହ ମେହେଟ୍ଟା କହିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି, ଭାରତର ଶକ୍ତି ଉପଯୋଗରେ ଗ୍ୟାସର ଅଂଶ ବହୁତ କମ୍ ଯଦିଚ ଏହାର ସମ୍ଭାବ୍ୟତା ଢେର୍ ଅଛି। ମେହେଟ୍ଟା ଏହାର ଦୁଇଟି କାରଣ ଦର୍ଶାଇଛନ୍ତି: ପ୍ରଥମ- ବହୁତ ଅଧିକ ନିୟନ୍ତ୍ରିତ ମୂଲ୍ୟ, ଯାହା ବ୍ୟବସାୟିକ ବ୍ୟବହାର ଉପରେ ପ୍ରଭାବ ପକାଉଛି। ଦ୍ବିତୀୟ- ପାଇପଲାଇନ ଭଳି ଭିତ୍ତିଭୂମିର ଅଭାବ, ଯାହା ଉତ୍ପାଦନ କେନ୍ଦ୍ରରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ଗ୍ୟାସ ପରିବହନ କରିଥାଏ। ସ୍ବଚ୍ଛ ଶକ୍ତି ପାଇଁ ଗ୍ୟାସକୁ ଏକ ଟ୍ରାଞ୍ଜିସନ ଇନ୍ଧନ ଭାବେ ଗ୍ରହଣ କରି ମୋଦୀ ସରକାର ୨୦୧୭ରେ ଘୋଷଣା କରିଥିଲେ ଯେ, ୨୦୩୦ ସୁଦ୍ଧା ଗ୍ୟାସ୍ ମୋଟ ଶକ୍ତି ବ୍ୟବହାରର ୧୫ ପ୍ରତିଶତ ଅଂଶ ଦଖଲ କରିବ। ମେହେଟ୍ଟା କହିଛନ୍ତି ପାଇପ୍‌ଲାଇନ୍ ନେଟ୍‌ୱାର୍କକୁ ଭବିଷ୍ୟତରେ ହାଇଡ୍ରୋଜେନ୍ ପରି ସ୍ବଚ୍ଛତର ଇନ୍ଧନ ପରିବହନ ଲାଗି ଅପ୍‌ଗ୍ରେଡ୍ କରାଯାଇପାରିବ।

publive-image

୪. ହାଇଡ୍ରୋଜେନ ଉପରେ ବେଟିଂ
ହାଇସ୍କୁଲ ପାଠ୍ୟକ୍ରମରେ ଜଳର ବୈଦ୍ୟୁତିକ ବିଶ୍ଳେଷଣ କଥା ଅଛି। ପିଲାମାନେ ମଧ୍ୟ ଏହି ପରୀକ୍ଷା ବିଜ୍ଞାନାଗାରରେ କରିଥାନ୍ତି। ଏହି ପ୍ରକ୍ରିୟାରେ ଜଳକୁ ଭାଙ୍ଗିଦେଲେ ସେଥିରୁ ଅମ୍ଳଜାନ ଓ ଉଦଜାନ ବାହାରିଥାଏ। ଉଦଜାନ ଏକ ଦହନଶୀଳ ବାଷ୍ପ ଏବଂ ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଅନେକ ଦଶନ୍ଧି ଧରି ୯୫% ଇଣ୍ଡଷ୍ଟ୍ରିଆଲ ହାଇଡ୍ରୋଜେନ କୋଇଲା କିମ୍ବା ପ୍ରାକୃତିକ ଗ୍ୟାସରୁ ଉତ୍ପନ୍ନ ହୋଇଆସୁଛି, ଯାହାଦ୍ବାରା ଉତ୍ପାଦିତ ପ୍ରତ୍ୟେକ ଟନ୍ ହାଇଡ୍ରୋଜେନ୍ ପାଇଁ ୧୨ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ସବୁଜଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ପାଇଁ ଉକ୍ତ ଧୂସରରୁ (କମ୍ ଅଙ୍ଗାରକାମ୍ଳ ଉତ୍ପାଦନକାରୀ) ନୀଳ ହାଇଡ୍ରୋଜେନକୁ ଏବଂ ବର୍ତ୍ତମାନ ଅପେକ୍ଷାକୃତ ମହଙ୍ଗା ସବୁଜ ଏବଂ ସ୍ବଚ୍ଛ ଇନ୍ଧନ ସଂସ୍କରଣକୁ ପରିବର୍ତ୍ତନ ଆରମ୍ଭ ହୋଇଛି।

ବର୍ତ୍ତମାନ, ବଡ଼ ବଡ଼ ବ୍ୟବସାୟପତିମାନେ ଏକ ହାଇଡ୍ରୋଜେନ୍ ଶକ୍ତି ଚାଳିତ ଭବିଷ୍ୟତ ପାଇଁ ସେମାନଙ୍କ ଟଙ୍କା ବାଜିରେ ଲଗାଉଛନ୍ତି। ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଜାମନଗରରେ ଏକ ଗିଗା ଇଲେକ୍ଟ୍ରୋଲାଇଜର (ଜଳରୁ ଉଦଜାନ ଉତ୍ପାଦନକାରୀ) କାରଖାନା ପ୍ରତିଷ୍ଠା କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଗତ ସେପ୍ଟେମ୍ବରରେ ଘୋଷଣା କରିଛନ୍ତି। ସବୁଜ ହାଇଡ୍ରୋଜେନ ଉତ୍ପାଦନ ମୂଲ୍ୟକୁ କିଲୋଗ୍ରାମ ପିଛା ୨ ଡଲାରକୁ ହ୍ରାସ କରିବାକୁ ବିଶ୍ୱ ଉଦ୍ୟମ କରୁଥିବାବେଳେ ଅମ୍ବାନୀ କହିଛନ୍ତି ଯେ ଭାରତ ଆହୁରି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରି ଏହି ଇନ୍ଧନରେ ବିଶ୍ୱରେ ଅଗ୍ରଣୀ ହେବାକୁ ଳକ୍ଷ୍ୟ ରଖିବା ଉଚିତ। ଅମ୍ବାନୀ ଏହାକୁ ୧-୧-୧ ଫର୍ମୁଲା ବୋଲି କହିଥଲେ - ୧ ଦଶନ୍ଧିରେ ୧ କିଲୋଗ୍ରାମ ସବୁଜ ହାଇଡ୍ରୋଜେନର ମୂଲ୍ୟକୁ ୧ ଡଲାରକୁ ହ୍ରାସ କରିବା, ଯାହା ପେଟ୍ରୋଲିୟମ ଇନ୍ଧନଠାରୁ ବି ଶସ୍ତା ହୋଇପାରିବ। ଶସ୍ତା ସବୁଜ ହାଇଡ୍ରୋଜେନ ସୃଷ୍ଟିର ଚାବିକାଠି ହେଉଛି ଇଲେକ୍ଟ୍ରୋଲାଇଜର କାରଖାନା ପାଖରେ ଏକ ସୌର କିମ୍ବା ପବନ ପାୱାର ପ୍ଲାଣ୍ଟ ବସାଇବା, ଯାହାଦ୍ବାରା ଏହି ପ୍ରକ୍ରିୟାରେ କେବଳ ସ୍ବଚ୍ଛ ଇନ୍ଧନ ହିଁ ବ୍ୟବହାର ହୋଇପାରିବ। ସେ ସ୍ଥାପନ କରୁଥିବା ୫୦୦୦ ଏକର ଜାମନଗର ସବୁଜ ଶକ୍ତି କମ୍ପ୍ଲେକ୍ସରେ ଅମ୍ବାନୀ ଠିକ୍ ତାହା ହିଁ କରୁଛନ୍ତି।

୫. ଆଣବିକ ପ୍ରତ୍ୟାବର୍ତ୍ତନ
ଜୀବାଶ୍ମ ଇନ୍ଧନର ଏକ ପ୍ରମୁଖ ବିକଳ୍ପ ହୋଇଥିବା ସତ୍ତ୍ବେ ଫ୍ରାନ୍ସ ପରି କିଛି ଦେଶକୁ ଛାଡ଼ିଦେଲେ ପରମାଣୁ ଶକ୍ତିର ଉପଯୋଗ କ୍ରମାଗତ ଭାବରେ ହ୍ରାସ ପାଇଲା। ୨୦୧୧ ମସିହାରେ ଫୁକୁସିମା ଡାଇଚି ନ୍ୟୁକ୍ଳିୟର ପ୍ଲାଣ୍ଟ ସମେତ କେତେକ ପ୍ଲାଣ୍ଟରେ ଦୁର୍ଘଟଣା ଘଟିବା ପରେ ଜନସାଧାରଣ ତଥା ପରିବେଶବିତ୍‌ମାନେ ଏହାର ଘୋର ବିରୋଧ କଲେ। ସେହି ଦିନଠାରୁ ଆଣବିକ ଶକ୍ତି ପ୍ରତିଷ୍ଠାନ ରିଆକ୍ଟର ଟେକ୍ନୋଲୋଜିକୁ ସୁରକ୍ଷିତ କରିବା ପାଇଁ କଠିନ ପରିଶ୍ରମ କରିଆସୁଛି। ଏମଆଇଟି ସମେତ ଅନେକ ପ୍ରତିଷ୍ଠିତ ଗବେଷଣା ପ୍ରତିଷ୍ଠାନ ଦାବି କଲେ ଯେ, ଯଦି ପରମାଣୁ ଶକ୍ତିକୁ ନୂତନ ସ୍ବଚ୍ଛ ଶକ୍ତିର ଅଂଶ କରା ନ ହୁଏ ତେବେ ସ୍ୱଚ୍ଛ ଇନ୍ଧନର ମୂଲ୍ୟ ଚାରିଗୁଣା ହୋଇଯିବ। ଏହାପରେ ଭାରତ ସମେତ ଅନେକ ଦେଶରେ ଆଣବିକ ଶକ୍ତି ପ୍ରତ୍ୟାବର୍ତ୍ତନ କରୁଛି।

ଭାରତରେ ପରମାଣୁ ଶକ୍ତି ବର୍ତ୍ତମାନ ମୋଟ ବ୍ୟବହୃତ ଶକ୍ତିର ମାତ୍ର ୩.୩ ପ୍ରତିଶତ। ୨୦୩୦ ସୁଦ୍ଧା ନିର୍ମାଣ ହେବାକୁ ଥିବା ୧୦ଟି ଅତିରିକ୍ତ ୭୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଆଣବିକ ବିଦ୍ୟୁତ୍ କେନ୍ଦ୍ର ପାଇଁ ସରକାର ମଞ୍ଜୁର କରିଛନ୍ତି। ପରମାଣୁ ଶକ୍ତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅନିଲ କାକୋଡକର କହିଛନ୍ତି ଯେ ଟେକ୍ନୋଲୋଜି ଉପରେ ଆମର ଦକ୍ଷତା ଥିବାରୁ ଭାରତ ଅନେକ ମିନି ଆଣବିକ କାରଖାନା ପ୍ରତିଷ୍ଠା କରିବା ଉଚିତ। ପୁରାତନ ତଥା ଅପାରଗ କୋଇଲା ଚାଳିତ ବିଦ୍ୟୁତ୍ କେନ୍ଦ୍ରଗୁଡିକ ସ୍ଥାନରେ ବୃହତ୍ ଆଣବିକ କାରଖାନା ପ୍ରତିଷ୍ଠା କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।

publive-image Department of Energy

୬. ପବନରୁ ଊର୍ଜ୍ଜା
ସୌର ଶକ୍ତି ଆଜି ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଭାରତ ପବନ ଶକ୍ତି କ୍ଷେତ୍ରରେ ଅଗ୍ରଗତି କରି ଚାଲିଛି। ଏଠାରେ ସମୁଦାୟ ୩୯ ହଜାର ମେଗାୱଟ୍‌ର ପବନ ଶକ୍ତି ପ୍ରକଳ୍ପ ରହିଛି, ଯାହା ବିଜୁଳିର ସମୁଦାୟ ଉତ୍ପାଦନର ୧୦ ପ୍ରତିଶତ। ଭାରତ ବର୍ତ୍ତମାନ ବିଶ୍ବର ୫ ସର୍ବାଧିକ ପବନ ଶକ୍ତି ଉତ୍ପାଦନକାରୀ ଦେଶ ମଧ୍ୟରେ ରହିଛି। ଭାରତରେ ଏଭଳି ଟର୍ବାଇନ ଡିଜାଇନ ହୋଇଛି ଯେଉଁଥିରେ ସ୍ବଳ୍ପ ମୂଲ୍ୟରେ ଅଧିକ ବିଜୁଳି ଉତ୍ପାଦନ କରାଯାଇ ପାରିବ। କ୍ରିକେଟ ପଡ଼ିଆ ଭଳି ଗୋଟିଏ ଟର୍ବାଇନ ବ୍ଲେଡ ହାରାହାରି ୨୦ ମିଟର ଲମ୍ବା, ଯାହାକୁ ବଢାଇ ଏବେ ୫୦ ମିଟର କିମ୍ବା ଏହାଠାରୁ ଅଧିକ କରି ଦିଆଯାଇଛି। ବର୍ତ୍ତମାନ ଅନେକଙ୍କ ପାଖରେ ଜେଟ୍‌ ବିମାନର ପଙ୍ଖା ରହିଛି। ରୋଟର ବ୍ଲେଡ୍‌ର ବ୍ୟାସାର୍ଦ୍ଧ ଯେତେ ଅଧିକ ହେବ ସେତିକି ଭଲ ଭାବରେ ପବନର ଉପଯୋଗ ହୋଇପାରିବ। ଏଥିସହିତ ଟର୍ବାଇନ ଲମ୍ବା ହେବାରେ ଲାଗିଛି। ଯାହା ୨୫୦ ମିଟର ଉଚ୍ଚତାକୁ ସ୍ପର୍ଶ କରୁଛି। ଅର୍ଥାତ୍ ଏହା ନରିମାନ ପଏଣ୍ଟ ସ୍ଥିତ ଏୟାର ଇଣ୍ଡିଆର ଦୁଇ ଗୁଣ। ଏହି ଦୁଇ ପରିବର୍ତ୍ତନ ଯୋଗୁଁ ପବନ ଟର୍ବାଇନରୁ ବିଜୁଳି ଉତ୍ପାଦନ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ପାଖାପାଖି ୫ ମେଗାୱାଟ୍‌ ଅଟେ। ଆହୁରି ଆଗକୁ ଯାଇ ପବନ ଟର୍ବାଇନ ପ୍ରତିଷ୍ଠାନ ସମୁଦ୍ରକୁ ସ୍ଥାନାନ୍ତରିତ ହୋଇଛି, ଯେଉଁଠାରେ ପବନ ସବୁବେଳେ ବହିବା ସହିତ ହାରାହାରି ଭାବରେ ଅନ୍ୟ ସ୍ଥାନଠାରୁ ଅଧିକ ଥାଏ। ଟାୱାରର ପ୍ରତିଷ୍ଠା ପାଇଁ ମଧ୍ୟ ସ୍ଥାନର ଅଭାବ ନ ଥାଏ। ୭୫ ଶହ କିଲୋମିଟରରୁ ଅଧିକ ସାମୁଦ୍ରିକ ବେଳାଭୂମି ଥିବା ଭାରତରେ ୧୨୭ ଗିଗାୱଂଟର ପବନ ଶକ୍ତି ସୃଷ୍ଟି କରାଯାଇପାରିବ। ତାମିଲନାଡ଼ୁ, ଗୁଜରାତ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, କର୍ଣ୍ଣାଟକ ଭଳି ଦେଶର ଉପକୂଳବର୍ତ୍ତୀ ରାଜ୍ୟରେ ବିଜୁଳି ଉତ୍ପାଦନ ବୃଦ୍ଧି କରିବା ପାଇଁ ବଡ଼ ଧରଣର ପୁଞ୍ଜି ଲଗାଣ ଏବଂ ପ୍ରଯୁକ୍ତି ସହାୟତାର ଆବଶ୍ୟକତା ଅଛି।

୭. ସବୁଜ ବିପ୍ଳବ-୨.୦: ମାଂସ ଚାଷ
ଦୁନିଆରେ ଗୋରୁଙ୍କ ସଂଖ୍ୟା ହାରାହାରି ୧୪୦ କୋଟି। ବିଶ୍ବରେ ଯେତେ ଗୋରୁ ଅଛନ୍ତି, ସେମାନଙ୍କୁ ନେଇ ଗୋରୁଙ୍କ ସ୍ବତନ୍ତ୍ର ଦେଶ ହୋଇପାରିବ, ଯାହାର ଜନସଂଖ୍ୟା ସର୍ବାଧିକ ହେବ। ଏଥିମଧ୍ୟରୁ କେବଳ ଭାରତରେ ୩୦ କୋଟିର ଗୋସମ୍ପଦ ରହିଛି, ଯାହା ଭିତରେ ୧୧ କୋଟି ମଇଁଷି, ୮.୧ କୋଟି ଗାଈ ଅଛନ୍ତି। କ୍ଷୀର ଏବଂ ମାଂସ ଉତ୍ପାଦନରେ ଗୋରୁଙ୍କ ମୁଖ୍ୟ ଭୂମିକା ରହିଛି। ଖାଦ୍ୟ ଏବଂ କୃଷି ସଙ୍ଗଠନ ଅନୁସାରେ, ୨୦୧୮ ମସିହାରେ ବିଶ୍ବରେ ୩୪.୨ କୋଟି ଟନ ମାଂସ ଉତ୍ପାଦିତ ହୋଇଥିଲା। ଏଥିରୁ ୩୮ ପ୍ରତିଶତ ଘୁଷୁରି, ୩୩ ପ୍ରତିଶତ କୁକୁଡ଼ା ମାଂସ, ୨୦ ପ୍ରତିଶତ ଗୋମାଂସ ଥିଲା। ସବୁଜଗୃହ ବାଷ୍ପ ନିର୍ଗମନରେ ପଶୁ ସମ୍ପଦଙ୍କ ଭାଗ ହାରାହାରି ୬ ପ୍ରତିଶତ। ପଶୁମାନେ ମିଥେନ ଗ୍ୟାସ ସୃଷ୍ଟି କରନ୍ତି, ଯାହା ବିଶ୍ବତାପନରେ ସାହାଯ୍ୟ କରେ। ମିଥେନ୍ ଗ୍ୟାସ୍ ଅଙ୍ଗାରକାମ୍ଳ ତୁଳନାରେ ଶହେ ଗୁଣ ଅଧିକ ଶକ୍ତିଶାଳୀ ସବୁଜଗୃହ ବାଷ୍ପ। ବିଶ୍ବରେ ଜନସଂଖ୍ୟା ବଢିବା ସହିତ ମାଂସର ଚାହିଦା ମଧ୍ୟ ବଢିବା ନେଇ ଆଶା ରହିଛି। ଗଛ କିମ୍ବା ଗଛର ଆବର୍ଜନା(ଇଥାନେଲ କିମ୍ବା ଅନ୍ୟ କୌଣସି ଉନ୍ନତ ଜୈବ ଇନ୍ଧନ)ରୁ ଶକ୍ତି ଉତ୍ପାଦନ କରିବା ପାଇଁ ପଶୁମାନଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ହେବ। ଏଥିପାଇଁ ଜଙ୍ଗଲକୁ କଟାଯିବା ସହିତ ଖାଦ୍ୟର ଦର ମଧ୍ୟ ବୃଦ୍ଧି କରିବାକୁ ହେବ। ପଶୁମାନଙ୍କୁ ମାରିବାର ଆବଶ୍ୟକତାକୁ ସମାପ୍ତ କରିବା ପାଇଁ ଷ୍ଟେମ୍‌ ସେଲ ପ୍ରଯୁକ୍ତିର ବ୍ୟବହାର କରାଯାଇ ମାଂସ ଉତ୍ପାଦନ ପାଇଁ ବିଶ୍ବର ବିଭିନ୍ନ ସ୍ଥାନରେ ଗବେଷଣା କରାଯାଉଛି। ଏହା ଖାଦ୍ୟ ଉତ୍ପାଦନର ଦ୍ବିତୀୟ ସବୁଜ ବିପ୍ଳବ ଆଣିପାରିବ।

publive-image Financial Times

୮. ଅଙ୍ଗାରକାମ୍ଳକୁ ନେଇ ବ୍ୟବସାୟ
୨୦୫୦ ମସିହା ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟ କରିବା ପାଇଁ ପ୍ୟାରିସ ସମ୍ମିଳନୀରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ କିଭଳି ହାସଲ କରାଯାଇ ପାରିବ ଗ୍ଲାସ୍‌ଗୋ ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ରହିଥିଲା। ଅଙ୍ଗାରକାମ୍ଳର ସନ୍ତୁଳନ ବଜାୟ ରଖିବା ପାଇଁ ଗୋଟିଏ ଦେଶ ଅନ୍ୟ ଦେଶରୁ ଋଣ କରି ଅଙ୍ଗାରକାମ୍ଳ ନିର୍ଗମନର କ୍ଷମତା ବୃଦ୍ଧି କରିବ। ଏଥିପାଇଁ ତାଙ୍କୁ ଟଙ୍କା ଦେବାକୁ ପଡ଼ିବ। ଟ୍ରେଡିଂ ସିଷ୍ଟମ୍‌ର ସମାଲୋଚକଙ୍କ ଅନୁସାରେ, ଏହି ପ୍ରକ୍ରିୟାରେ ସର୍ବାଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବିକଶିତ ଦେଶ ଏବଂ କମ୍ପାନିକୁ ରିହାତି ଦିଆଯିବ। ଯେମିତି କି ସେମାନେ ଗରିବ ଦେଶଠାରୁ ଶୋଷଣକାରୀ ମୂଲ୍ୟରେ କ୍ରେଡିଟ୍‌ କ୍ରୟ କରି ନିଜ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରୁ ରକ୍ଷା ପାଇବେ। ଏଥିଯୋଗୁଁ ବ୍ୟବସାୟିକ ପ୍ରଣାଳୀକୁ ନେଇ ମତଭେଦ ରହିଛି। ନୂତନ ବ୍ୟବସାୟ ପ୍ରଣାଳୀର ପ୍ରୋଟୋକଲ ଅନୁସାରେ, ଏହା ଐତିହାସିକ ନିର୍ଗମନକୁ ମାନ୍ୟତା ଦେବା ନେଇ ସନ୍ଦେହ ରହିଛି। ଅନ୍ୟମାନେ ଏଭଳି ନିୟମ ଚାହାନ୍ତି, ଯେଉଁଥିରେ ଦୁଇଟି କ୍ରେଡିଟର ଅନୁମତି ଦିଆଯାଇ ପାରିବ। ଅର୍ଥାତ୍‌ ଅଙ୍ଗାରକାମ୍ଳ ହ୍ରାସ କରିବା ପାଇଁ ଜଙ୍ଗଲ ସୃଷ୍ଟି ଭଳି ପ୍ରକଳ୍ପକୁ ରାଷ୍ଟ୍ର ଅନୁଦାନ ଦେଉଥିବ। ତୃତୀୟ ପ୍ରସଙ୍ଗ ହେଉଛି- ଏହିଭଳି ଦ୍ବିପକ୍ଷୀୟ ବ୍ୟବସାୟିକ ହସ୍ତାକ୍ଷର ଅନୁଯାୟୀ, ରାଜସ୍ବର ଗୋଟିଏ ଅଂଶ ସଂଯୁକ୍ତ ରାଷ୍ଟ୍ରର କୋଷକୁ ଯିବ। ଅନୁଦାନ ଦେଉଥିବା ରାଷ୍ଟ୍ରର ଉଦ୍ଦେଶ୍ୟ ନେଇ ପ୍ରଶ୍ନବାଚୀ ରହିବ। ଇତି ମଧ୍ୟରେ ୟୁରୋପୀୟ ସଂଘ, ଚୀନ ଏବଂ ରୁଷର କିଛି ଉଦ୍ୟୋଗ ପୂର୍ବରୁ କାର୍ବନ ବଜାର ଆରମ୍ଭ କରି ଦେଇଛନ୍ତି। ଏଥି ଅନ୍ତର୍ଗତରେ ଦୁଇଟି ଯୋଜନା ରହିଛି, ପ୍ରଥମଟି ଟ୍ରେଡ୍‌ ଏବଂ କ୍ୟାମ୍ପ ନାମରେ ଅଙ୍ଗାରକାମ୍ଳ ନିର୍ଗମନର ବ୍ୟବସାୟ ରହିଛି। ଯେଉଁଥିରେ ସରକାର ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ସୀମା ନିର୍ଧାରଣ କରେ। ଦ୍ବିତୀୟ ବିକଳ୍ପଟି ହେଉଛି କାର୍ବନ ଟିକସ। ଯେଉଁଥିରେ ସବୁଜଗୃହ ବାଷ୍ପ ନିର୍ଗମନକୁ ନେଇ ସାମୁହିକ ଟିକସ ଲଗାଯାଏ। ଯେଉଁଥିରେ ସଂସ୍ଥାଗୁଡ଼ିକ ଉତ୍ସର୍ଜନ କମ୍‌ କରି କମ୍‌ ଟିକସ ଦେବା ପାଇଁ ପ୍ରୋତ୍ସାହନ ପାଇବେ। ବ୍ରିଟିସ ଅର୍ଥନୀତିଜ୍ଞ ନିଚୋଲ ଷ୍ଟ୍ରେନଙ୍କ ଅନୁଯାୟୀ, ମାର୍କେଟ ବିଫଳ ଉପରେ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟବସିତ।

publive-image vox.com

୯. ଜଳବାୟୁ ପାଣ୍ଠି
୧୯୯୨ ମସିହାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜାତିସଂଘ ଆନୁକୂଲ୍ୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ବେଳେ ସମସ୍ତେ ଏହି ଚୁକ୍ତିରେ ଏକମତ ହୋଇଥିଲେ ଯେ, ଯେଉଁ ଧନୀ ଦେଶମାନେ ବର୍ଷ ବର୍ଷ ଧରି ବାୟୁମଣ୍ଡଳକୁ ସବୁଠୁ ଅଧିକ ସବୁଜଗୃହ ବାଷ୍ପ ନିର୍ଗମନ କରି ଆଜିର ଏ ଅବସ୍ଥା ସୃଷ୍ଟି କରିଛନ୍ତି, ସେମାନେ ବିକାଶଶୀଳ ଓ ଗରିବ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ହ୍ରାସ କରିବା ପାଇଁ ଆର୍ଥିକ ସାହାଯ୍ୟ କରିବେ। କିନ୍ତୁ ରିଓ ଚୁକ୍ତିନାମାକୁ ପ୍ୟାରିସ ସମ୍ମିଳନୀରେ ବାଇପାସ୍ କରି ନୂତନ ଚୁକ୍ତିନାମା କରାଗଲା। ଏଥିରେ ଜାତୀୟ ସ୍ତରରେ ନିର୍ଗମନ ହ୍ରାସ ପଦକ୍ଷେପକୁ ସ୍ୱେଚ୍ଛାକୃତ କରାଗଲା। ଆମେରିକା ପ୍ରଭୃତି ବଡ଼ ପ୍ରଦୂଷକ ରାଷ୍ଟ୍ରଙ୍କୁ ଫାଙ୍କିବାକୁ ମଉକା ମିଳିଗଲା। ବର୍ତ୍ତମାନ, ଦ୍ଵିତୀୟ ପ୍ରମୁଖ ନୀତି ଯାହା ଉପରେ ପ୍ୟାରିସ୍ ଚୁକ୍ତି ହୋଇଛି, ତାହା ବି କେହି ପାଳନ କରିବା ଦେଖାଯାଉ ନାହିଁ। ନିୟମାନୁସାରେ ବିକଶିତ ଦେଶଗୁଡିକ ବିକାଶଶୀଳ ଦେଶମାନଙ୍କୁ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ୨୦୨୦ ସୁଦ୍ଧା ପ୍ରତିବର୍ଷ ସର୍ବନିମ୍ନ ୧୦୦ ବିଲିୟନ ଡଲାର୍ ପୈଠ କରିବା କଥା। ତାହା ପୂର୍ଣ୍ଣତଃ କେହି ପାଳନ କରୁନାହାନ୍ତି। ବିକଶିତ ଦେଶଗୁଡ଼ିକ ୨୦୧୮ରେ ୪୦-୬୦ ବିଲିୟନ ଡଲାର ଭିତରେ ଜଳବାୟୁ ପାଣ୍ଠି ପ୍ରଦାନ କରିଛନ୍ତି। ଗ୍ଲାସ୍ଗୋରେ ଧନୀ ଦେଶଗୁଡ଼ିକ ୨୦୨୩ରୁ ଉକ୍ତ ୧୦୦ ବିଲିୟନ ଡଲାର ପ୍ରତିବର୍ଷ ପ୍ରଦାନ କରିବାକୁ କହିଥିଲେ ଯାହା ବିକାଶଶୀଳ ଦେଶଗୁଡ଼ିକୁ ଅସନ୍ତୁଷ୍ଟ କରିଥିଲା। ଭାରତ ଦୋହରାଇଛି ଯେ ଏହାର ନୂତନ ନିର୍ଗମନ ହ୍ରାସ ପ୍ରତିବଦ୍ଧତା ପୂରଣ ବିକଶିତ ଦେଶଗୁଡିକର ପ୍ରତିଶ୍ରୁତ ପାଣ୍ଠି ଦେବା ଉପରେ ନିର୍ଭର କରେ। ଭାରତର ଆକଳନ ଅନୁସାରେ ବିକାଶଶୀଳ ଦେଶଗୁଡିକ ବିଶ୍ୱ ନିର୍ଗମନ ଲକ୍ଷ୍ୟ ପୂରଣ କରିବାକୁ ହେଲେ ବିକଶିତ ଦେଶଗୁଡ଼ିକ ସେମାନଙ୍କୁ ବାର୍ଷିକ ୧ ଟ୍ରିଲିୟନ ଡଲାର ପ୍ରଦାନ କରିବାକୁ ପଡିବ। ବିଜ୍ଞାନ ଏବଂ ପରିବେଶ କେନ୍ଦ୍ରର ମହାନିର୍ଦ୍ଦେଶକ ସୁନୀତା ନାରାୟଣ ସୂଚାଇ ଦେଇଛନ୍ତି, “ଭାରତ ସମେତ ବିଶ୍ଵର ୬୬ ପ୍ରତିଶତ ଦେଶ ପାଇଁ ମୋଟ କାର୍ବନ ବଜେଟର ମାତ୍ର ୩୦ ପ୍ରତିଶତ ବାକି ରହିଛନ୍ତି, ଅବଶିଷ୍ଟ ଅଂଶ ବିକଶିତ ଦେଶମାନଙ୍କ ଦ୍ବାରା ଖର୍ଚ୍ଚ ହୋଇସାରିଛି।

୧୦. ଗ୍ରୀନ୍ ପ୍ରିମିୟମ୍
ବିଲିୟନେୟାର, ପରୋପକାରୀ ତଥା ପରିବେଶ ପ୍ରଚାରକ ବିଲ୍ ଗେଟ୍ସ ତାଙ୍କ ନୂତନ ପୁସ୍ତକ ‘ଜଳବାୟୁ ବିପର୍ଯ୍ୟୟରୁ କିପରି ରକ୍ଷା ପାଇବେ’ରେ ଯୁକ୍ତି କରିଛନ୍ତି ଯେ “ବଜାର, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ହେଉଛି ତିନୋଟି ମୁଖ୍ୟ ଉପାଦାନ ଯାହାର ଯଥାର୍ଥ ଉପଯୋଗ କରି ଆମେ ଧୀରେ ଧୀରେ ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତାରୁ ମୁକ୍ତି ପାଇପାରିବା। ସେ ସମସ୍ତ ଦ୍ରବ୍ୟ ଓ ସେବା ଉପରେ ଗ୍ରୀନ୍ ପ୍ରିମିୟମ୍ ଲାଗୁ କରିବା ସପକ୍ଷରେ ମତ ଦେଇଛନ୍ତି। ତେଣୁ ଲୋକମାନେ ପ୍ରିମିୟମ୍ କମାଇବା ପାଇଁ ଶୂନ୍ୟ ନିର୍ଗମନକୁ ଆପଣେଇବେ। ପୂର୍ବତନ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍ ମଣ୍ଟେକ୍ ସିଂହ ଆଲୁୱାଲିଆ ବିଶ୍ୱାସ କରନ୍ତି ଯେ ସରକାରୀ ନୀତି ଏବଂ ଆର୍ଥିକ ପ୍ରୋତ୍ସାହନ ସ୍ୱଚ୍ଛ ଇନ୍ଧନ ଆଡ଼କୁ ଗତିକୁ ତ୍ୱରାନ୍ୱିତ କରିପାରିବ। ସେ କୁହନ୍ତି, “୨୦୩୫ ପରେ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଥିବା କାର୍ (ପେଟ୍ରୋଲ ଓ ଡିଜେଲ କାର୍)ଗୁଡ଼ିକୁ ବିକ୍ରୟ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ୟୁରୋପୀୟ ସଂଘ ଘୋଷଣା କରିଛି। ଭାରତ ସେପରି କିଛି ଘୋଷଣା କରିବା ଦରକାର ଯାହାଫଳରେ ଲୋକମାନେ ଶୀଘ୍ର ସ୍ବଚ୍ଛ ପ୍ରଯୁକ୍ତିକୁ ଆପଣେଇ ପାରିବେ। ଏକ ସରଳ ପ୍ରଥମ ପଦକ୍ଷେପ ହେଉଛି ୨୦୨୩ ପରେ ଲୋକେ କିଣୁଥିବା ସମସ୍ତ ନୂଆ ଗାଡ଼ି ବୈଦ୍ୟୁତିକ ହେବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ଘୋଷଣା କରିପାରିବେ।

ସଂକଟରେ ଥିବା ଆମ ପୃଥିବୀକୁ ଜଳବାୟୁ ପରିବର୍ତ୍ତନ-ରୂପକ ରାକ୍ଷସ କବଳରୁ ଉଦ୍ଧାର କରିବା ପାଇଁ ଆମକୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ମିଳିତ ସାମ୍ମୁଖ୍ୟ ଆବଶ୍ୟକ। ଟିକାକରଣରେ ମିଳିତ ପ୍ରୟାସ କ’ଣ ହାସଲ କରିପାରେ ତାହା କୋଭିଡ୍ ମହାମାରୀ ଦର୍ଶାଇଲା। ପରିବେଶ ସୁରକ୍ଷା ପାଇଁ ବି ସମସ୍ତ ଦେଶ ମିଳିତ ଭାବରେ ଆନ୍ତରିକତାର ସହ ପ୍ରଚେଷ୍ଟା କରିବା ଆବଶ୍ୟକ। ତା’ ନ ହେଲେ ରିଓର ପ୍ରତିଶ୍ରୁତି ପ୍ୟାରିସରେ ଭୁଲିବା ଏବଂ ପ୍ୟାରିସର ପ୍ରତିଶ୍ରୁତି ଗ୍ଲାସଗୋରେ ବଦଳାଇବା ଯଦି ଜାରି ରହେ ତେବେ ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଳୟରୁ ପୃଥିବୀକୁ କେହି ବଞ୍ଚାଇପାରିବେ ନାହିଁ।

୧୦ ପ୍ରମୁଖ ପ୍ରଭାବିତ ଦେଶ

ଜର୍ମାନୱାଚର ଜଳବାୟୁ ପରିବର୍ତ୍ତନ ବିପଦ ସୂଚୀ ତାଲିକାରେ ଭାରତ ପ୍ରତି ଗୁରୁତର ବିପଦ ରହିଛି

ରାଙ୍କ -୨୦୧୮
ଜାପାନ
ଫିଲିପାଇନ୍ସ
ଜର୍ମାନୀ
ମାଡାଗାସ୍କାର
ଭାରତ
ଶ୍ରୀଲଙ୍କା
କେନିୟା
ରୁଆଣ୍ଡା
କାନାଡା
ଫିଜି

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)