ନୂଆଦିଲ୍ଳୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଗତ କିଛି ମାସ ମଧ୍ୟରେ ଜଣେ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ସେମାନଙ୍କର ରୋମାଣ୍ଟିକ୍ ଫଟୋ ବି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ହସ୍ତଗତ ହୋଇଥିବା ଖବର ଅନୁଯାୟୀ, ଏଲନ ଯେଉଁ ଅଭିନେତ୍ରୀ ତଥା ମଡେଲ୍ଙ୍କୁ ଡେଟ୍ କରୁଛନ୍ତି ସେ ତାଙ୍କ ମାଆଙ୍କ ବାନ୍ଧବୀ।
୫୦ ବର୍ଷୀୟ ଏଲନ ମସ୍କ ୨୭ ବର୍ଷୀୟା ଅଷ୍ଟ୍ରେଲିଆନ୍ ଅଭିନେତ୍ରୀ ନତାଶାଙ୍କୁ ଡେଟ୍ କରୁଛନ୍ତି। ଜାଣିବାକୁ ମିଳିଛି ଯେ ଏଲନ ଓ ନତାଶାଙ୍କ ମଧ୍ୟରେ ସଂପର୍କ ଯଦିଓ ଏବେ ଗଢ଼ିଉଠିଛି ମାତ୍ର ପରିଚୟ ଖୁବ୍ ପୁରୁଣା। କାହିଁକି ନା ୨୦୧୫ ମସିହାରୁ ଏଲନ ମସ୍କଙ୍କ ମାଆ ମାୟେ ମସ୍କ ଓ ନତାଶା ଦୁହେଁ ଖୁବ୍ ଭଲ ବନ୍ଧୁ।

୭୪ ବର୍ଷୀୟା ମାୟେ ମସ୍କ ହିଁ ଏଲନ୍ଙ୍କ ପରିଚୟ ନତାଶାଙ୍କ ସହ କରିଥିଲେ। ମାୟେ ଓ ନତାଶା ୬ ବର୍ଷରୁ ଊର୍ଧ୍ବ ଦିନ ହେବ ବନ୍ଧୁ ଅଟନ୍ତି। ତେବେ ସେମାନଙ୍କ ବନ୍ଧୁତ୍ବ ଏବେ ବି ଅତୁଟ ରହିଥିବା ଅନୁମାନ କରାଯାଉଛି। କାରଣ ଗତ ସପ୍ତାହରେ ଫ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ମାୟେ ଓ ନତାଶାଙ୍କୁ ପରସ୍ପର ସହ କଥା ହେଉଥିବାର ଦେଖିବାକୁ ମିଳିଛି। ସେ ଦୁହେଁ ରେଡ୍ କାର୍ପେଟ୍ରେ ପରସ୍ପର ସହ ହସମଜାକ କରୁଥିବାର ଦେଖିବାକୁ ମିଳିଛି।
ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଫେଷ୍ଟିଭାଲ୍କୁ ମାୟେଙ୍କୁ ନତାଶା ହିଁ ନିମନ୍ତ୍ରଣ କରିଥିଲେ। ସେଠାରେ ତାଙ୍କର ଏକ ଫିଲ୍ମର ପ୍ରିମିୟର୍ ହେବାର ଥିଲା। ଏଲନ ନିଜ ମାଆଙ୍କ ପାଇଁ ହିଁ ନତାଶାଙ୍କୁ ଏତେ ପସନ୍ଦ କରନ୍ତି ବୋଲି ଅନୁମାନ କରାଯାଏ।