ପୂର୍ବରୁ ମୁଖଗହ୍ବର କର୍କଟ କି ଗଳା କର୍କଟ ପାଇଁ ମୁଖ୍ୟତଃ ଧୂମ୍ରପାନକୁ ଦାୟୀ କରାଯାଉଥିବା ବେଳେ ତାହା ପଛରେ ହ୍ୟୁମାନ୍ ପାପିଲୋମା ଭାଇରସ୍‌ (ଏଚ୍‌ପିଭି)ର ସଂକ୍ରମଣ ମଧ୍ୟ ପ୍ରମୁଖ ଭାବେ ଦାୟୀ ବୋଲି ଏବେ ଜଣାଯାଇଛି। ପୁରୁଷ ଓ ବାଳକମାନେ ଏଚ୍‌ପିଭି ଟିକା ନେବା ଦ୍ବାରା ସେମାନଙ୍କ ଠାରେ ମସ୍ତକ କର୍କଟ, ଗଳା କର୍କଟ ଓ ଅନ୍ୟାନ୍ୟ କର୍କଟ ଆଶଙ୍କା ଦୂର ହୋଇଥାଏ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାଯାଇଛି।

Advertisment

ମୁଖ୍ୟତଃ ମହିଳାଙ୍କର ଜରାୟୁ କର୍କଟ ଆଶଙ୍କା କମାଇବା ଲାଗି ଏଚ୍‌ପିଭି ଟିକା ବ୍ୟବହାର କରାଯାଉଛିି। ତେବେ ପ୍ରାୟ ୩୪ ଲକ୍ଷ ଲୋକଙ୍କଠାରେ ଏହି ଟିକାର ଫଳାଫଳକୁ ବିଶ୍ଳେଷଣ କରି ଉକ୍ତ ନିର୍ଯାସ ମିଳିପାରିଛି। ପୂର୍ବରୁ ୨୦୨୦ ମସିହାରେ କେବଳ ମହିଳାଙ୍କର ଜରାୟୁ କର୍କଟ ଉପରେ ଏହି ଟିକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏଚ୍‌ପିଭି ଟିକା ନେଇଥିବା ମହିଳାଙ୍କ ମଧ୍ୟରୁ ଲକ୍ଷେରେ ୪୭ ଜଣଙ୍କ ଠାରେ ଜରାୟୁ କର୍କଟ ଆଶଙ୍କା ରହିଥିବା ବେଳେ ଟିକା ନେଇ ନଥିବା ମହିଳାଙ୍କ ଭିତରୁ ଲକ୍ଷେରେ ୯୪ ଜଣଙ୍କ ଠାରେ ଏହି ଆଶଙ୍କା ରହିଥିଲା। ଅର୍ଥାତ୍ ଟିକା ନେଇନଥିବା ମହିଳାଙ୍କର ଜରାୟୁ କର୍କଟ ଆଶଙ୍କା ଦୁଇଗୁଣ ଅଧିକ। ଏହି ସଦ୍ୟ ଅନୁଧ୍ୟାନରେ ୨୦୧୦ ମସିହାଠାରୁ ଏଚ୍‌ପିଭି ଟିକା ନେଇଥିବା ୯ରୁ ୩୯ ବର୍ଷ ବୟସର ୧୭ ଲକ୍ଷ ସ୍ବେଚ୍ଛାସେବୀଙ୍କ ଅବସ୍ଥା ନିରୀକ୍ଷଣ କରାଯାଇଥିଲା। ସେମାନଙ୍କ ଭିତରୁ ୪୪ ପ୍ରତିଶତ ପୁରୁଷ ରହିଥିଲେ।

ଟିକା ନେଇଥିବା ପୁରୁଷଙ୍କ ମଧ୍ୟରୁ ଲକ୍ଷେରେ ଯଥାକ୍ରମେ ୩.୪ ଓ ୨.୮ ମାମଲାରେ ମସ୍ତକ କର୍କଟ ଓ ଗଳା କର୍କଟ ଆଶଙ୍କା ଦେଖାଦେଇଥିଲା। ଅପରପକ୍ଷେ, ଟିକା ନେଇନଥିବା ପୁରୁଷଙ୍କ ଠାରେ ଏହି ହାର ଯଥାକ୍ରମେ ୭.୫ ଓ ୬.୩ ରହିଥିଲା। ମହିଳାଙ୍କ କ୍ଷେତ୍ରରେ ଯଦିଓ ଗଳା କର୍କଟ କି ମସ୍ତକ କର୍କଟ ଦୂର କରିବାରେ ଏଚ୍‌ପିଭି ଟିକା ସେଭଳି କିଛି ପ୍ରଭାବ ପକାଇ ପାରିନାହିଁ, ତେବେ ସେମାନଙ୍କ ଜରାୟୁ କର୍କଟ ପାଇଁ ଏହା ବରଦାନ ସଦୃଶ ବୋଲି ଜଣାଯାଇଛି।