କରୋନା ମୁକାବିଲା: ଡେରି କରିବାରୁ ଆମେରିକା ଫସିଲା

ବିଶ୍ବର ପ୍ରତି କୋଣ ଅନୁକୋଣରେ ଓଡ଼ିଆ ଅଛନ୍ତି। କରୋନା ବି ସାରା ବିଶ୍ବରେ ମାତିଛି। ଆମେରିକା ଭଳି ଧନୀ ରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ, ଜଟିଳ। ଏ ପରିସ୍ଥିତିରେ ଲୋକମାନେ କେମିତି ରହୁଛନ୍ତି ସେ ସଂପର୍କରେ ଜାଣିବା ପାଇଁ କଥା ହୋଇଥିଲୁ ଆମେରିକାର କ୍ଲିଭ୍‌ଲ୍ୟାଣ୍ଡ ସହରରେ ରହୁଥିବା ସଫ୍ଟୱେୟାର୍‌ ଇଞ୍ଜିନିୟର ହୃଦାନନ୍ଦ ମିଶ୍ରଙ୍କ ସହିତ।

ହୃଦାନନ୍ଦଙ୍କ ଘର ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କୁରୁଣିଆ ଗାଁରେ। ପରିବାର ସହିତ ଆମେରିକାରେ ରହୁଥିଲେ ହୃଦାନନ୍ଦ। ସ୍ତ୍ରୀ ଓ ପିଲାଙ୍କୁ ଗତ ଅଗଷ୍ଟ ମାସରେ ଘରକୁ ପଠାଇ ଦେଇଥିଲେ। ଏବେ ସେଠାରେ ଏକୁଟିଆ ରହୁଛନ୍ତି। କରୋନା ପ୍ରତିରୋଧ ପାଇଁ ଭାରତରେ ଲକଡାଉନ୍‌କୁ ପଦକ୍ଷେପକୁ ସ୍ବାଗତ କରିଛନ୍ତି ହୃଦାନନ୍ଦ। କହିଛନ୍ତି, ଯଦି ଆମେରିକା ପୂର୍ବରୁ ଭାରତ ଭଳି ଲକଡାଉନ୍‌ ଘୋଷଣା କରିଥାନ୍ତା ତେବେ ପରିସ୍ଥିତି ଏତେ ସଂଗିନ ହୋଇନଥାନ୍ତା। ଏବେ ଆମେରିକାରେ ଲକଡାଉନ୍‌ ଘୋଷଣା ହୋଇଥିଲେ ମଧ୍ୟ ସେଠାରେ ସେମିତି କିଛି କଟକଣା ନାହିଁ। ଲୋକେ ଡରରେ ଯାଉ ନ ଥିଲେ ମଧ୍ୟ ଯିଏ ଯୁଆଡ଼େ ଚାହିଁବ ଯାଇପାରିବ। ଔଷଧ, ଗ୍ରୋସରୀ, ପନିପରିବା ମାର୍କେଟ୍‌ ଖୋଲା ରହିଛି। ଲୋକେ ରାସ୍ତାରେ ଯିବାଆସିବା ବି କରୁଛନ୍ତି। ତେବେ ସେ ରହୁଥିବା ୱହିୟୋ କ୍ଲିଭଲାଣ୍ଡରେ କିନ୍ତୁ ଆତଙ୍କ ଖେଳିଯାଇଛି। ଛୋଟ ସହର କିନ୍ତୁ ଏଠାରେ ୯୦୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୦୦ ଲୋକ ପ୍ରାଣ ହରାଇ ସାରିଲେଣି। ପାଖରେ ମେଡିକାଲ ଓ ଟେଷ୍ଟିଂ ସେଣ୍ଟର ଥିଲେ ମଧ୍ୟ ସେଗୁଡ଼ିକର ଅବସ୍ଥା ଭଲ ନାହିଁ। ଘରୁ ପଦାକୁ ବାହାରିଲେ ପାଦେ ପାଦେ ସଂକ୍ରମଣର ଭୟ ରହିଛି। ତେଣୁ ସେ ଘରେ ରହୁଛନ୍ତି। ନିଜେ ରୋଷେଇ କରୁଛନ୍ତି। ଘରୁ ହିଁ ଅଫିସ କାମ କରୁଛନ୍ତି। ୱହିୟୋରେ ଏବେ ୧୫ ହଜାରରୁ ଅଧିକ ଭାରତୀୟ ରହୁଥିବା ବେଳେ ହଜାରେରୁ ଅଧିକ ଓଡ଼ିଆ ଅଛନ୍ତି। ମାର୍ଚ୍ଚ ମାସରେ ଘରକୁ ଆସିବାକୁ ଯୋଜନା କରିଥିଲେ ହୃଦାନନ୍ଦ, କିନ୍ତୁ ଲକଡାଉନ୍‌ ପରେ ଅନ୍ତର୍ଜାତୀୟ ବିମାନସେବା ବନ୍ଦ ହୋଇଯିବାରୁ ସେ ଫେରି ପାରିନାହାନ୍ତି।

– ହୃଦାନନ୍ଦ ମିଶ୍ର,କ୍ଲିଭ୍‌ଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା
(ହୃଦାନନ୍ଦଙ୍କ ସହ କଥା ହୋଇଥିଲେ ବାଲେଶ୍ବର ଜିଲ୍ଲା ସମ୍ବାଦ ପ୍ରତିନିଧି ମନୋଜ ରାଉଳ)

ସମ୍ବନ୍ଧିତ ଖବର