ନୂଆଦିଲ୍ଲୀ: ବେଳେ ବେଳେ ଅନ୍ତରଙ୍ଗ ବନ୍ଧୁଟିଏ ଦେଖିଲେ ଆମେ ପରସ୍ପରକୁ ବାହୁବନ୍ଧନରେ ଚାପି ଧରି କୋଳାଗ୍ରତ କରିଥାଉ। ବିଶେଷ କରି ଏପରି ଆଲିଙ୍ଗନ ଦ୍ବାରା ଆମେ ନିଜର ନିବିଡ଼ତା ପ୍ରକାଶ କରିବା ସହ ଆଶ୍ବସ୍ତି ଅନୁଭବ କରିଥାଉ। ତେବେ ଏହି ବୁକୁ ସ୍ପର୍ଶ ଆଲିଙ୍ଗନ ହିଁ ଜଣକୁ ସୁସ୍ଥ ରଖିଥାଏ ବୋଲି ସଦ୍ୟ ଏକ ଗବେଷଣାରୁ ଜଣାଯଇଛି।
ମନସ୍ତାତ୍ତ୍ବିକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାର ସବିଶେଷ ବିବରଣୀ ଅନୁଯାୟୀ, ଏହି ଆଲିଙ୍ଗନର ପ୍ରଭାବ ପରୀକ୍ଷଣ କରିବା ପାଇଁ ଏକ ଅଭିନବ ଅନୁଧ୍ୟାନରେ ବହୁସଂଖ୍ୟକ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଥିଲା। ସମସ୍ତଙ୍କୁ ସାଧାରଣ ଥଣ୍ଡା ଭୂତାଣୁ ଦ୍ବାରା ସଂକ୍ରମିତ ହେବାକୁ ଦିଆଯାଇଥିଲା। ପରେ ସମସ୍ତ ସ୍ବେଚ୍ଛାସେବୀଙ୍କୁ ସଂଗରୋଧରେ ରଖାଯାଇ ସେମାନଙ୍କ ଅସୁସ୍ଥତାର ସଂକେତ ଓ ପରିମାଣକୁ ତର୍ଜମା କରାଯାଇଥିଲା। ଏହି ଅବସରରେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଆତ୍ମୀୟଙ୍କ ଠାରୁ ଏପରି ନିବିଡ଼ ଆଲିଙ୍ଗନର ସୁଯୋଗ ମିଳିଥିଲା ଏବଂ ସାମାଜିକ ସମର୍ଥନ ମିଳିଥିଲା, ସେମାନଙ୍କ ଠାରେ ଅସୁସ୍ଥତାର ଲକ୍ଷଣ କମ୍ ଜଣାପଡ଼ିଥିଲା, ଏପରିକି ଜଣ ଜଣଙ୍କଠାରେ ପୂରା ନଗଣ୍ୟ ରହିଥିବା ଜଣାପଡ଼ିଥିଲା।
ସୁତରାଂ ଏପରି ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଆଲିଙ୍ଗନ କରିବା ଦ୍ବାରା ଜଣେ ଅଧିକ ସୁସ୍ଥ ରହିଥାଏ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/h4k5fh45hfk4hfk.jpg)