ଆଜି ବିଶ୍ବ ମାନବାଧିକାର ଦିବସ

‘ସଭିଙ୍କୁ ମର୍ଯ୍ୟାଦା, ସ୍ବାଧୀନତା ଓ ନ୍ୟାୟ’ ସ୍ଲୋଗାନ୍ ସହିତ ଏ ବର୍ଷ ବିଶ୍ବ ମାନବାଧିକାର ଦିବସ ପାଳିତ ହେଉଛି। ୧୯୪୮ ମସିହା ଡିସେମ୍ବର ୧୦ରେ ଜାତିସଂଘର ସାଧାରଣ ସଭା ଦ୍ବାରା ‘ମାନବାଧିକାରର ସାର୍ବଭୌମ ଘୋଷଣାପତ୍ର’କୁ ଅନୁମୋଦନ କରାଯାଇଥିଲା। ଏହି ଦିନର ସ୍ମୃତିରକ୍ଷା ପାଇଁ ୧୯୫୦ରୁ ପ୍ରତି ବର୍ଷ ଏହି ତାରିଖରେ ମାନବାଧିକାର ଦିବସ ପାଳନ କରାଯାଇଆସୁଛି। ସଭିଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏବଂ ବୈଷମ୍ୟ, ବାସନ୍ଦ ଓ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ଜାତିସଂଘ ଏହି ଦିନରେ ପ୍ରତ୍ୟେକ ଦେଶକୁ ଉତ୍ସାହିତ କରିଥାଏ।

୫୦୦ରୁ ଅଧିକ ଭାଷାକୁ ଅନୂଦିତ ମାନବାଧିକାରର ସାର୍ବଭୌମ ଘୋଷଣାପତ୍ରରେ ଉଲ୍ଲେଖ ରହିଛି ଯେ ବର୍ଣ୍ଣ, ଧର୍ମ, ଲିଙ୍ଗ, ଭାଷା, ରାଜନୈତିକ ବା ଅନ୍ୟାନ୍ୟ ମତ, ଜାତୀୟତା, ସାମାଜିକ ମୂଳ, ସମ୍ପତ୍ତି, ଜନ୍ମ ଓ ଅନ୍ୟାନ୍ୟ ସ୍ଥିତି ନିର୍ବିଶେଷରେ ମଣିଷ ଭାବେ ସଭିଙ୍କର କେତେକ ଅବିଚ୍ଛେଦ୍ୟ ଅଧିକାର ରହିଛି। ଲୋକଙ୍କୁ ନିଜର ସାମାଜିକ, ସାଂସ୍କୃତିକ ଓ ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଇବା ତଥା ସଭିଙ୍କ ବିକାଶକୁ ସୁନିଶ୍ଚିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପାରମ୍ପରିକ ଭାବେ ଜାତିସଂଘ ଦ୍ବାରା ପାଞ୍ଚ ବର୍ଷରେ ଥରେ ଦିଆଯାଉଥିବା ମାନବାଧିକାର ପୁରସ୍କାର ଓ ନୋବେଲ ଶାନ୍ତି ପୁରସ୍କାର ଏହି ଦିନରେ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର