ବଢ଼ୁଛି ହ୍ୟୁମାନ୍‌ ସାଗରଙ୍କ ଅଡ଼ୁଆ : କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ସିପିଙ୍କୁ ଅଭିଯୋଗ

କ୍ଷମା ମାଗିଲେ ହ୍ୟୁମାନ ସାଗର

ଭୁବନେଶ୍ୱର : ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କରୋନାକୁ ତାଚ୍ଛଲ୍ୟ କରି ଗୀତ ଗାଇ ଫସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଶୀର୍ଷକ ଗୀତକୁ ନେଇ ତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ତାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କୁ କେତେକ ସଂଗଠନ ଅଭିଯୋଗ କରିଥିବା ବେଳେ ଆଜି ଓଡ଼ିଆ ସ୍ବାଭିମାନୀ ମଞ୍ଚ ପକ୍ଷରୁ ଅନୁରୂପ ଅଭିଯୋଗ ହୋଇଛି। ସଂଗଠନର ନାରାୟଣ ରାଉତ, ମାନସ ପଟ୍ଟନାୟକ, ଅଭିଶେକ ପରିଡ଼ା, ସୁମନ୍ତ ବିଶ୍ବାଳ, ଗୋପାଳ ସ୍ବାଇଁ, ପ୍ରକାଶ ନାୟକ ପ୍ରମୁଖ ଆଜି ଡିସିପିଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ସିପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଝିଅକୁ ମହାମାରୀ ସହ ତୁଳନା କରି ସମଗ୍ର ନାରୀ ଜାତିକୁ ସେ ଅପମାନିତ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ତାଙ୍କ ଉପରେ ଆଇନ ଅନୂଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଅତିରିକ୍ତ କମିସନରଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ମଧ୍ୟ ଏକାଧିକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ଅତିରିକ୍ତ କମିସନର ସମସ୍ତ ଅଭିଯୋଗକୁ ବିଚାର କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

କ୍ଷମା ମାଗିଲେ
ଭୁବନେଶ୍ବର : ‘ଝିଅ ନୁହେଁ ତୁ କରୋନା ଭାଇରସ… ଗୀତକୁ ନେଇ ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଗୀତଟିକୁ ଗାଇଥିବା କଣ୍ଠଶିଳ୍ପୀଙ୍କ ନାମରେ ଏତଲା ହେବା ପରେ ହ୍ୟୁମାନ ସାଗର କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ କରୋନା ଉପରେ ମୁଁ କେବଳ ଗୀତ ଗାଇନାହିଁ, କରୋନାକୁ ନେଇ ଆହୁରି କିଛି ମନୋରଂଜନଧର୍ମୀ କଥା ଦେଖିବାକୁ ମିଳିଛି। ବାସ୍ତବରେ ଏହି ଗୀତଟି ଯେତେବେଳେ ତିଆରି ହୋଇଥିଲା ସେତେବେଳେ ଭାରତକୁ କରୋନା ଆସିନଥିଲା କି ମହାମାରୀ ଘୋଷଣା ହୋଇନଥିଲା। ତଥାପି ଯଦି ଏହା ଲୋକଙ୍କ ହୃଦୟକୁ ଆଘାତ ପହଞ୍ଚାଇଛି ତେବେ ମୁଁ କ୍ଷମା ମାଗୁଛି। ସେ ଏକଥା ମଧ୍ୟ କହିଛନ୍ତି, କେଉଁ ପ୍ରକାରର ଗୀତ ଲେଖାଯିବ ଓ ବୋଲାଯିବ ସେ ସମ୍ପର୍କରେ କୌଣସି ସେନସର ନାହିଁ। ଆଗରୁ ଏମିତି ଅନେକ ଗୀତ ହୋଇଛି। ତା’ଉପରେ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଗୋଟେ କଳାକାର ସବୁବେଳେ ଭଲ ପାଇବା ଚାହୁଁଥିଲେ ହେଁ ମୋ ବିରୋଧରେ କିଏ ଯାଇ ଏତଲା ଦେବା ମତେ ବହୁତ ଆଘାତ ଦେଇଛି। ଏକଥା ବି ଭୁଲିଯିବା ଠିକ୍‌ ନୁହେଁ ଯେ ଗୀତଟି କେହି ଲେଖିଥିବାରୁ ଓ ତିଆରି କରିଥିବାରୁ ମୁଁ ଗାଇଛି। ତେଣୁ ମୋ ଉପରକୁ ସିଧାସଳଖ ଆଙ୍ଗୁଠି ଉଠିବା ମୋତେ ବି ମାନସିକ ସ୍ତରରେ ବହୁତ ଆଘାତ ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର