ମେକ୍ସିକୋ ସହରରେ ରହୁଥିବା ଜଣେ ଦୟାଶୀଳ ମହିଳାଙ୍କ ପକ୍ଷୀଙ୍କ ପ୍ରତି ଦରଦ ଚର୍ଚ୍ଚାର ବିଷୟ ହୋଇଛି। କାଟିଆ ଲାତୌଫ ଡି’ ଆରିଡା ନାମକ ଏହି ୭୩ ବର୍ଷୀୟା ଜଣକ ନିଜର ବାସଭବନକୁ ଆହତ ଓ ପରିତ୍ୟକ୍ତ ହମିଂବାର୍ଡମାନଙ୍କର ଏକ ଡାକ୍ତରଖାନା ତଥା ଅଭୟାରଣ୍ୟରେ ପରିଣତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୁଷ୍ପ ପରାଗ ବିକ୍ଷେପର କାରକ ଭାବରେ ହମିଂବାର୍ଡ ହେଉଛି ମେକ୍ସିକୋ ପରିସଂସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ତେବେ କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଯୋଗୁଁ ସେମାନେ ଗୁରୁତର ବିପଦର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ୨୦୧୧ ମସିହାରୁ ଜଣେ ଆତ୍ମ-ପ୍ରଶିକ୍ଷିତ ହମିଂବାର୍ଡ ସେବାକାରିଣୀ ଭାବେ ଆରିଡାଙ୍କ ଆବିର୍ଭାବ ପରିବେଶବିତ୍‌ମାନଙ୍କ ପାଇଁ ଗର୍ବର ବିଷୟ ହୋଇଛି।

Advertisment

୨୦୦୯ ମସିହାରେ ଆରିଡାଙ୍କ ସ୍ବାମୀଙ୍କର ପରଲୋକ ଘଟିଥିଲା ଏବଂ ଆରିଡା ନିଜେ ମଧ୍ୟ କର୍କଟ ରୋଗରେ ପୀଡ଼ିତ ଥିଲେ। ଦିନେ ସେ ବାହାରକୁ ଗଲା ବେଳେ ଆଖିରେ ଭୀଷଣ ଆଘାତ ପାଇଥିବା ଏକ ହମିଂବାର୍ଡ ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଥିବା ଦେଖିଥିଲେ। ଦୟା ପରବଶ ହୋଇ ସେ ତାହାକୁ ଉଠାଇ ଘରକୁ ନେଇଗଲେ ସିନା, ମାତ୍ର କେମିତି ତାହାର କ୍ଷତ ଭଲ କରିବେ ଜାଣିପାରିଲେନି। ତେବେ ଜଣେ ପ୍ରାଣୀ ଚିକିତ୍ସକ ବନ୍ଧୁ ଏ ଦିଗରେ ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ଧୀରେ ଧୀରେ ଆରିଡା ଜଣେ ଦକ୍ଷ ପକ୍ଷୀ ସେବିକା ପାଲଟିଗଲେ। ନିଜର ବଳକା ସମୟ ଓ ସମ୍ବଳକୁ ବିନିଯୋଗ କରି ସେ ଏହି ନିରୀହ କ୍ଷୁଦ୍ର ପକ୍ଷୀମାନଙ୍କ ସ୍ବାସ୍ଥ୍ୟସେବାରେ ନିଜକୁ ଉତ୍ସର୍ଗ କରିଦେଲେ। କର୍କଟ ରୋଗ ଲାଗି ଅବସାଦରେ ଥିବା ଆରିଡାଙ୍କୁ ଏହି ପକ୍ଷୀମାନଙ୍କ ସେବା ନୂଆ ଜୀବନ ପ୍ରଦାନ କରିଥିଲା। ଦୀର୍ଘ ୧୨ ବର୍ଷ ଧରି ତାଙ୍କର ଏଭଳି ନିଷ୍ଠାପର ପ୍ରୟାସ ଯୋଗୁଁ ତାଙ୍କ ବାସଭବନ ଏବେ ହମିଂବାର୍ଡମାନଙ୍କର ଏକ ଚିକିତ୍ସାଳୟ ପାଲଟିଛି। ସେ ଇତିମଧ୍ୟରେ ଜଣେ ପକ୍ଷୀ ବିଶାରଦ ପାଲଟିଛନ୍ତି।