ସ୍ବାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ମଣିଷ କରିବା ପାଇଁ ଘରଘର ବୁଲି ରୁଟି କରୁଥିଲେ ମା’, ଝିଅ ପାଇଲା ଦୁଇଟି ସରକାରୀ ଚାକିରି

ନୂଆଦିଲ୍ଲୀ: ହନୁମାନଗଡ ଜିଲ୍ଲାର ତିବ୍ବି ତହସିଲର ଗାଁ ସିଲୱାଲା କଲାନର ଜଣେ ବିଧବା ମା’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ବିଧବା ମା’ଙ୍କ ଦୁଇଝିଅ ଓ ଗୋଟିଏ ପୁଅ। ଦୁଇ ଝିଅ ମଧ୍ୟରୁ ଜଣକଙ୍କ ନାମ ହେଉଛି  ସିମରଜିତ କୌର। ଯିଏକି ସିଆଇଡି ଆଇବି ଓ ଜୟପୁର କମିଶନରେଟ ପାଇଁ ଚୟନ ହୋଇଛନ୍ତି। କିନ୍ତୁ ସେ ସିଆଇଡି ଆଇବିରେ ଯୋଗ ଦେବେ ବୋଲି ସ୍ଥିର କରିଛନ୍ତି।

ଝିଅର ଏଭଳି ସଫଳତାକୁ ଦେଖି ସିମରଜିତ କୌରଙ୍କ ମା’ ମନଜିତ କୌର କହିଛନ୍ତି,‘ଦଶବର୍ଷ ପୂର୍ବେ ସ୍ବାମୀ ସାର୍ଦୁଲ ସିଂହଙ୍କ ହଠାତ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୋ ଉପରେ ଯେମିତି ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। ତିନି ଜଣ ପିଲାଙ୍କୁ କେମିତି ମଣିଷ କରିବି କିଛି ବୁଦ୍ଧିବାଟ ଦିଶି ନଥିଲା। ପରେ ନିଜ ମନକୁ ବୁଝାଇ ପିଲାଙ୍କ ମୁହଁକୁ ଚାହିଁ ବଞ୍ଚିବା ଶିଖିଲି। ଘରୁ ପାଦକାଢ଼ି  ଘର ଓ ବିବାହ ଆଦି କାର୍ଯ୍ୟକ୍ରମରେ ବୁଲିବୁଲି ରୁଟି କରିବା କାମ କଲି।

ଏଥିରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ତିନିଜଣ ପିଲାଙ୍କୁ ବହୁତ କଷ୍ଟରେ ବଡ଼ କଲି, ସେମାନଙ୍କୁ ପଠା ପଢ଼ାଇଲି। ସେମାନେ ବି ମୋ‌ ଦୁଃଖକୁ ବୁଝି କେବେ କିଛି ଦାବି କରି ନାହାନ୍ତି। ମନ ଦେଇ ପାଠ ପଢ଼ି ଥାଆନ୍ତି।

୧୦ବର୍ଷ ହେବ ମୁଁ ଯେଉଁ କଠିନ ପରିଶ୍ରମ କରିଛି ତାହାର ଫଳ  ପାଇଛି। ମୋ ଝିଅ ସିମରଜିତ ଗୋଟିଏ ନୁହେଁ, ଦୁଇଟି ସରକାରୀ ଚାକିରି ପାଇଛି। ସ୍ବାମୀ ଚାଲିଗଲା ପରେ ମନରେ ଯେତେ କଷ୍ଟ ଥିଲା ଝିଅର ଏଭଳି ସଫଳତା ଖବର ପାଇବା ପରେ ହାଲୁକା ହୋଇଯାଇଛି। ଆଜି ଯଦି ସିମରଜିତଙ୍କ ବାପା ଥାଆନ୍ତେ ବହୁତ ଖୁସି ହୋଇଥାଆନ୍ତେ।’

ସମ୍ବନ୍ଧିତ ଖବର