ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ଉଡ଼ିଗଲା ପତ୍ନୀଙ୍କ ପ୍ରାଣବାୟୁ, ଏକାଠି ହେଲା ଦୁହିଁଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପତିଙ୍କ  ମୃତ୍ୟୁ ଖବର ଶୁଣୁଣୁଣୁ ଉଡିଗଲା ପତ୍ନୀଙ୍କ ପ୍ରାଣବାୟୁ। ଏମିତି ଏକ ଘଟଣା ରାଜସ୍ଥାନର ଚୁର ତାରାନଗର ତହସିଲ ଅନ୍ତର୍ଗତ  ଢ଼ାଣି କୁମହାରାନ୍‌ ଗ୍ରାମରେ ଘଟିଛି। ଏଠାରେ ବସବାସ କରୁଥିବା ରାମଚନ୍ଦ୍ର ଗୁରିଙ୍କର  ଜୁନ୍‌ ୬ରେ ବ୍ରେନ୍‌ ହାମରେଜ ହୋଇଯାଇଥିଲା। ପରିଜନ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ। ସ୍ୱାମୀ ରାମଚନ୍ଦ୍ରଙ୍କ ମୃତ୍ୟୁ ଖବର ପତ୍ନୀ ଲିଛମା ଦେବୀଙ୍କୁ ଜଣା ଯାଇ ନ ଥିଲା। ସନ୍ଧ୍ୟାରେ ହସ୍‌ପିଟାଲ୍‌ରୁ ରାମଚନ୍ଦ୍ରଙ୍କ ମୃତଦେହ ଘରେ ଆସି ପହଞ୍ଚିଥିଲା। ସେତେବେଳେ ଯାଇ ପତ୍ନୀ ଲିଛମା ଦେବୀ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଥିଲେ। ସଙ୍ଗେସଙ୍ଗେ ଲିଛମା ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାରବର୍ଗ ତାଙ୍କୁ ନେଇ ତାରାନଗର ସରକାରୀ ହସ୍‌ପିଟାଲ୍‌ରେ ନେଇ ପହଞ୍ଚିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ମୃତ ଦମ୍ପତ୍ତିଙ୍କ ପୁଅ ମୋହର ସିଂହଙ୍କ କହିବାନୁସାରେ, ମାତା-ପିତା ଏକା ସହିତ ଦୁନିଆରୁ ଚାଲିଗଲେ। ଗାଁ ଓ ଆଖପାଖ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ଘଟିଥିବା କୁହାଯାଉଛି। କିଛି ଲୋକଙ୍କ କହିବାନୁସାରେ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଖବର ତ ଶୁଣିଛେ, କିନ୍ତୁ ସ୍ୱାମୀର ମୃତ୍ୟୁ ଖବର ଶୁଣୁଶୁଣୁ ପତ୍ନୀଙ୍କ ମୃତ୍ୟୁ ହେବା ଖବର ଏହା ପ୍ରଥମ ଥର ଦେଖିବାକୁ ପାଇଲୁ।

ସମ୍ବନ୍ଧିତ ଖବର