ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସ୍ୱାମୀ କଲେ ଏଭଳି କାମ

ନୂଆଦିଲ୍ଲୀ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଆମ ହିନ୍ଦୁ ଶାସ୍ତ୍ର ମୁତାବକ ୭ ଜନ୍ମର ବୋଲି କୁହାଯାଇଥାଏ । ଜଣେ ଜଣଙ୍କ ବିନା ସମ୍ପୂର୍ଣ୍ଣ ନୁହେଁ ବୋଲି ଆମ ସମାଜ ସ୍ୱୀକାର କରିଥାଏ । ଏହି କାରଣରୁ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗୀନି ବୋଲି ବିବେଚନା କରାଯାଇଥାଏ । ହେଲେ ଜଣେ ସ୍ୱାମୀ ଯେ ନିଜର ମରିଯାଇଥିବା ସ୍ତ୍ରୀ ପାଇଁ ଏତେ କିଛି କରିପାରିବ ତାହା ବୋଧେ ଲୈଲା ମଜନୁଙ୍କ ପରେ ପ୍ରଥମ ଥର ଦେଖିବାକୁ ମିଳିଛି ।

ଏହି ଘଟଣା ଅନ୍ୟ ଦେଶର ନୁହେଁ ବରଂ ଆମ ଦେଶ ଭାରତର ହିମାଚଳ ପ୍ରଦେଶର । ହିମାଚଳ ପ୍ରଦେଶର ହମିରପୁରଠାରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଇଛନ୍ତି । କୁହାଯାଉଛି କି ଡାକ୍ତରଙ୍କର କୌଣସି ସନ୍ତାନ ନାହିଁ । ଏହି କାରଣରୁ ସେ ନିଜର ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଦାନ କରିଦେଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଡାକ୍ତରଙ୍କ ବାବଦରେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ ଜୋଲସାପ୍ପଡ ଗାଁର ରହୁଥିବା ୭୨ ବର୍ଷିୟ ଡାକ୍ତର ରାଜେନ୍ଦ୍ର କନୱର ସ୍ୱାସ୍ଥ୍ୟ ବିଭାଗ ଓ ତାଙ୍କ ପତ୍ନୀ କୃଷ୍ଣା କନୱର ଶିକ୍ଷା ବିଭାଗରୁ ଅବସର ନେଇଥିଲେ । ଗତବର୍ଷ ଡାକ୍ତରଙ୍କ ପତ୍ନୀ କୃଷ୍ଣାଙ୍କର ଦେହାନ୍ତ ହୋଇଯାଇଥିଲା । କୃଷ୍ଣାଙ୍କର ଶେଷ ଇଚ୍ଛା ଥିଲା କି ତାଙ୍କ ଅନ୍ତେ ତାଙ୍କର ସମସ୍ତ ଅଚଳାଚଳ ସମ୍ପତ୍ତି ସରକାରଙ୍କୁ ଦାନ କରାଯାଉ। । ପତ୍ନୀଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ ଏବେ ଡାକ୍ତର ରାଜେନ୍ଦ୍ର କନୱର ତାଙ୍କର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିଦେଇଛନ୍ତି ।

ଏନେଇ ଡାକ୍ତର ଜଣଙ୍କ କହିଛନ୍ତି ଯେ, ଯେଉଁ ବୁଦ୍ଧବୃଦ୍ଧାମାନଙ୍କ ପାଖରେ ରହିବାକୁ ଘର ନାହିଁ କିମ୍ବା ସେମାନଙ୍କୁ ସେମାନଙ୍କ ସନ୍ତାନମାନେ ରଖିବାକୁ ଚାହୁଁ ନାହାଁନ୍ତି ସରକାର ମୋର ଏହି ଘରେ ସେହିଭଳି ଲୋକମାନଙ୍କୁ ରହିବାକୁ ସୁଯୋଗ ଦେବେ । ଏହାସହ ସେ ଲୋକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଜୀବନରେ ସର୍ବଦା ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ କରନ୍ତୁ ।

ସମ୍ବନ୍ଧିତ ଖବର