ନୂଆଦିଲ୍ଲୀ: ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ତାଙ୍କ ନିଖୋଜ ହୋଇଯାଇଥିବା ଜୀବନସାଥୀ ମିଳି ଯାଇଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। 

Advertisment

ଉତ୍ତରପ୍ରଦେଶର ଉନ୍ନାୱରେ ଘଟିଥିବା ଏହି ଘଟଣାଟି ହେଉଛି ଏପରି... ସହରର କେୱଟା ତାଲାବବସ୍ତିର ବାସିନ୍ଦା ରାକେଶ କୁମାର (୫୦)ଙ୍କ ସ୍ତ୍ରୀ ଶାନ୍ତି ଦେବୀ ଜାନୁଆରି ୧୩ ତାରିଖରୁ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ। ସ୍ବାମୀ ରାକେଶ ସ୍ତ୍ରୀ ଶାନ୍ତି  ଦେବୀଙ୍କୁ ଅନେକ ଖୋଜା‌ଖୋଜି କରିଥିଲେ ହେଁ ତାଙ୍କର କୌଣସି ପ୍ରକାର ସୂଚନା ପାଇ ନଥିଲେ। ଶେଷରେ ପୁଲିସରେ ଜାନୁଆରି ୧୬ ତାରିଖରେ ସ୍ତ୍ରୀ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କରିଥିଲେ।

ରାକେଶ ୱଲଡିଂର  କାମ କରନ୍ତି। ସ୍ତ୍ରୀ ଶାନ୍ତି ଦେବୀଙ୍କ ବ୍ୟତୀତ ରାକେଶଙ୍କ ଘରେ ଆଉ କେହି ରୁହନ୍ତି ନାହିଁ। ସ୍ତ୍ରୀ ନିଖୋଜ ହେବାଦିନ ଠାରୁ ରାକେଶ ତାଙ୍କ ସାଙ୍ଗଙ୍କ ଘରେ ହିଁ ରହୁଥିଲେ। ଏଭଳି ସମୟରେ ଫେବ୍ରୁଆରି ୬ ତାରିଖରେ ରାକେଶଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। ଚିକିତ୍ସ‌ା ପାଇଁ ତାଙ୍କ ସାଙ୍ଗ  ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

ଡାକ୍ତର ରାକେଶଙ୍କ ଆଖିର ପରୀକ୍ଷା କରି ମୋତିଆ ବିନ୍ଦୁ ହୋଇଥିବା କହିଥିଲେ। ଏହାପରେ ରାକେଶଙ୍କ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ରାକେଶ ଆଖି ଖୋଲିବା ପରେ ହସ୍ପିଟାଲର ପାଖବିଛଣାରେ ତାଙ୍କର ନିଖୋଜ ହୋଇଯାଇଥିବା ସ୍ତ୍ରୀ ଶୋଇଥିବା ଦେଖିବାକୁ ପାଇଥିଲେ। ସେ ସ୍ତ୍ରୀଙ୍କୁ ପାଖ ବିଛଣାରେ ଶୋଇଥିବା ଦେଖି ଚମକି ପଡ଼ିଥିଲେ।

ପାଖକୁ ଯାଇ କଥା ହେଲାବେଳକୁ ଶାନ୍ତି ଦେବୀ କଥା ହୋଇଥିଲେ କିନ୍ତୁ ସ୍ବାମୀଙ୍କୁ ଚିହ୍ନି ପାରି ନଥିଲେ। ସଙ୍ଗେସଙ୍ଗେ ରାକେଶ ଡାକ୍ତରଙ୍କ ପାଖକୁ ଯାଇ ଶାନ୍ତିଙ୍କ କ’ଣ ହୋଇଛି ବୋଲି ପଚାରିଥିଲେ। 

ଜିଲ୍ଲା ହସ୍ପିଟାଲର ଡାକ୍ତର କୌଶଳେନ୍ଦ୍ର ପ୍ରତାପ ରାକେଶଙ୍କୁ ଶାନ୍ତି ଦେବୀଙ୍କ ଅବସ୍ଥା ବିଷୟରେ ବୁଝାଇ କହିଥିଲେ, ‘ଶାନ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଚାଲିଛି। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଛି।’

ଡାକ୍ତରଙ୍କ ଠାରୁ ଏପରି କଥା ଶୁଣିବା ପରେ ରାକେଶ ହସ୍ପିଟାଲରେ ରହି ସ୍ତ୍ରୀ ଶାନ୍ତିଙ୍କ ସେବା କରିବା ଆରମ୍ଭ କରି ଦେଇଛନ୍ତି। ଖୁବଶୀଘ୍ର ତାଙ୍କ ସ୍ତ୍ରୀ ସୁସ୍ଥ ହୋଇଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ରାକେଶ ପ୍ରାର୍ଥନା ବି କରିଛନ୍ତି।