ନୂଆଦିଲ୍ଲୀ: ଗୁରୁଗ୍ରାମକୁ ଲାଗି ରହିଛି ହରିୟାଣାର ରେୱାଡ଼ି ଜିଲ୍ଲାର ପିଥାନୱାସ ଗାଁ। ଏହି ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ମହିଳାଙ୍କ ମୃତ୍ୟୁର ଅଧଘଣ୍ଟା ମଧ୍ୟରେ ସ୍ବାମୀଙ୍କ ମୃତ୍ୟୁ ହେବା ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। 

Advertisment

ସୂଚନା ଅନୁଯାୟୀ, ପିଥାନୱାସ ଗାଁରେ ଦଲିପ ସିଂହ ତାଙ୍କ ପତ୍ନୀ ସୁରଜୀ ଦେବୀଙ୍କ ସମେତ ତାଙ୍କ ପରିବାର ସହିତ ବସବାସ କରୁଥିଲେ।  ଗତ ବୁଧବାର ସକାଳେ ଦଲିପ ସିଂହଙ୍କ ପୁଅ ଫୁଲ ସିଂହଙ୍କ ସ୍ତ୍ରୀ ଚା ଦେବାପାଇଁ ଶାଶୁ ଏବଂ ଶ୍ୱଶୁରଙ୍କ କୋଠରୀକୁ ଯାଇଥିଲେ। ଏହି ସମୟରେ ଶାଶୁ ସୁରଜୀ ଦେବୀ ଚା ପିଇବାକୁ ମନା କରିଦେଲେ। ଏହାପରେ ଶ୍ୱଶୁର ଦଲିପ ସିଂହ ଚା କପ୍ ଧରି କୋଠରୀରୁ ବାହାରି ଆସିଥିଲେ। 

କିଛି ସମୟ ପରେ ବୋହୂ ପୁଣି ଚା ଦେବା ପାଇଁ ସୁରଜୀ ଦେବୀଙ୍କ କୋଠରୀକୁ ଯାଇଥିଲେ। ଏହି ସମୟରେ ସେ ଶାଶୁଙ୍କୁ ଯେତେ ଡାକିଥିଲେ ସୁଦ୍ଧା  ସେ ଶୁଣି ନଥିଲେ। ଦଲିପ ସିଂହ ସଙ୍ଗେସଙ୍ଗେ ବୋହୂର ଡାକ ଶୁଣି କୋଠରି ଭିତରକୁ ଦୌଡ଼ି ଯାଇ ସୁରଜୀ ଦେବୀଙ୍କୁ  ଉଠାଇବାକୁ ଚେଷ୍ଟା କରିଥିଲେ ହେଁ କୌଣସି ପ୍ରକାର ପ୍ରତିକ୍ରିୟା ପାଇ ନଥିଲେ। 

ସୁରଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ଡାକ୍ତରଙ୍କୁ  ଘରକୁ ଡକାଯାଇଥିଲା। ଡାକ୍ତର ସୁରଜୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ସ୍ବାମୀ ଦଲିପ ସିଂହ ଘର ବାହାରେ ଏକ ଚେୟାରରେ ବସିଥିଲେ। ଯେତେବେଳେ ସେ ଜାଣିଲେ ଯେ ତାଙ୍କ ସ୍ତ୍ରୀ ଆଉ ଏହି ଦୁନିଆରେ ନାହାନ୍ତି, ସେ କୌଣସି ପ୍ରତିକ୍ରିୟା ନଦେଇ ଚୁପ୍ ଚାପ୍ ସେମିତି ଚେୟାରରେ ବସି ରହିଥିଲେ। କିଛି ସମୟ ପରେ ପୁଅ ମା’ଙ୍କ ଅନ୍ତିମ ସଂସ୍କାର ପ୍ରସ୍ତୁତି ପାଇଁ ଯେତେବେଳେ ବାପା ଦଲିପଙ୍କୁ ଡାକିବାକୁ ଯାଇଥିଲେ ସେ ଚୌକିରୁ ତଳକୁ ଟଳି ପଡ଼ିଥିଲେ। 

ପୁଅ ଫୁଲ ସିଂହ ବାପା ଓ ମା’ଙ୍କ ଏକାଠି ଅନ୍ତିମ ସଂସ୍କାରକୁ ନେଇ କହିଛନ୍ତି, ‘ଏକାସହିତ ବାପା ଓ ମା’ଙ୍କୁ ହରାଇବା ପରେ ମନ ବହୁତ କଷ୍ଟ ହେଉଛି। ମୋ ବାପାଙ୍କ ଦାମ୍ପତ୍ୟ ଜୀବନ ଶାନ୍ତିପୂର୍ଣ୍ଣ ଏବଂ ସରଳ ଜୀବନଯାପନ ଥିଲା। ସବୁବେଳେ ବାପା ମା’ଙ୍କୁ କହୁଥିଲେ, ‘ତୁ ଚିନ୍ତା କରନି ଆମେ ଯେଉଁଠି ବି ଯେମିତି ବି ଥାଉ। ଆମ ଦୁହିଁଙ୍କ ଜୁଇ ଏକାଠି ଜଳିବ।’ ବାପଙ୍କ ଏକଥା ଯେ ସତ ପ୍ରମାଣିତ ହେବ ଆମେ କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲୁ।’