ହାଇଦର: ବହୁ ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ଅଭିଯୁକ୍ତ

ରଶ୍ମି ରଞ୍ଜନଙ୍କୁ ଜୀଅନ୍ତା ଜାଳିଥିଲେ
କେନ୍ଦୁଝରର ଖଣି ଓ କ୍ରସର‌୍‌ ବ୍ୟବସାୟୀ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ବର ସହିଦ ନଗର ଅଞ୍ଚଳରୁ ୨୦୦୭ ମେ ୨୭ ତାରିଖରେ ଅପହରଣ କରାଯାଇଥିଲା। ରଶ୍ମି ମାର୍ବଲ ସ୍ଲାବ୍‌ କିଣିବାକୁ ଆସିଥିବା ବେଳେ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ୨ କୋଟି ଟଙ୍କା ମଗା ଯାଇଥିଲା। ୧ କୋଟି ୧୨ ଲକ୍ଷ ଟଙ୍କା ପରିବାର ଲୋକେ ଦେଇଥିଲେ। ତଥାପି ତାଙ୍କୁ ହତ୍ୟା କରାଯାଇଥିଲା। ରଶ୍ମିଙ୍କୁ ହତ୍ୟା କରିବା ପରେ ଶବ ଯେଭଳି ଚିହ୍ନଟ ନହୁଏ ସେଥିପାଇଁ ତାଙ୍କ ଶବକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିଲା। କମିସନେରଟ୍‌ ପୁଲିସ ଜାମସେଦପୁରର ଏକ ନିକାଞ୍ଚନ ସ୍ଥାନରୁ ରଶ୍ମି ଓ ତାଙ୍କ ଡ୍ରାଇଭରଙ୍କ ଶବ ଉଦ୍ଧାର କରିବା ସହିତ ଗାଡ଼ି ଜବତ ହୋଇଥିଲା।

କୁହାଯାଏ, ରଶ୍ମିଙ୍କ ଶବକୁ ହାଇଦର‌୍‌ର ସହଯୋଗୀ ଏଭଳି ଜାଳି ଦେଇଥିଲେ ଯେ ଶବ ଚିହ୍ନଟରେ ବି ପୁଲିସକୁ ସମସ୍ୟା ହୋଇଥିଲା। ହାଇଦ୍ରାବାଦ୍‌ ସ୍ଥିତ ଏକ ଲାବ୍ରୋଟାରିକୁ ଶବର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଥିଲା। ଭୁବନେଶ୍ବର କମିସନରେଟ୍‌ ପୁଲିସ ହାଇଦର‌୍‌ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରଶ୍ମି ରଞ୍ଜନଙ୍କୁ ହତ୍ୟା ସମୟରେ ଝାରପଡ଼ା ଜେଲ୍‌ରେ ଥାଇ ହାଇଦର‌୍‌ ପୁରା ହତ୍ୟାକାଣ୍ତ ଯୋଜନାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା। ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ-୨ ମାମଲାର ଶୁଣାଣି କରି ସେକ୍‌ ହାଇଦର ସମତେ ଦୁଇ ସହଯୋଗୀ ସ˚ଜୟ ଓରଫ ଭବାନୀ ଶଙ୍କର ଓ ଶରତ ସାହୁଙ୍କୁ ଆଜୀବନ ସଜା ଶୁଣାଇଥିଲେ। ୨୦୧୫ ଅକ୍ଟୋବର ୧୭ ତାରିଖରେ ସଜା ଶୁଣାଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଗଣପତି ରାୟ ଓ ଯଯାତିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ତ ଏବ˚ ୬ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଖଣି ମାଲିକ ରଶ୍ମି ରଞ୍ଜନଙ୍କ ହତ୍ୟା ମାମଲାରେ ଭୁବନେଶ୍ବର ଏଡିଜେ କୋର୍ଟ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ।

ଚୁନାକୁ ଏମିତି କାଟିଥାନ୍ତି ଯେ ମାଂସ ଗଣିବାକୁ ପୁଲିସ ଫୋର୍ସ କମ୍ ପଡ଼ିଥାନ୍ତା…
୨୦୦୫ ମେ ୩୧ ତାରିଖରେ ସେକ୍‌ ସୋଲେମାନ୍‌ର ସାନ ଭାଇ ଶେଖ୍ ଚୁନା ଓରଫ ମାଲିକ ହନାନକୁ ଭୁବନେଶ୍ବରରେ ହାଇଦର‌୍‌ ସହଯୋଗୀ ହତ୍ୟା କରିଥିଲେ। ଏଥିରେ ସମ୍ପୃକ୍ତ ସୁଦାମ ଶତପଥୀ, ଟୁକୁ, ରୁମାନ୍‌, ବବୁଲ ଓ ଲାଲା କଟକ ଆଡ଼କୁ ଏକ ବୋଲେରୋ ଗାଡ଼ିରେ ପଳାଇ ଆସିଥିଲେ। କଟକରୁ କେନ୍ଦ୍ରାପଡ଼ା ଓ କେନ୍ଦ୍ରାପଡ଼ାରୁ ବସ୍‌ ଯୋଗେ ସମ୍ବଲପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେ। ସମ୍ବଲପୁରରୁ ଛତିଶଗଡ଼ର ଭିଲ୍ଲାଇ ସହର ଆଡ଼କୁ ଯାଇଥିଲେ। ଭିଲ୍ଲାଇରେ ପୂର୍ବରୁ ହାଇଦର ଓ ତା ସହଯୋଗୀ ମୀର୍ ଓ ଲାଲା ଅପେକ୍ଷା କରିଥିଲେ। ସମସ୍ତେ ଏକାଠି ହୋଇ ମହାରାଷ୍ଟ୍ରର ନାଗପୁର ଆଡ଼କୁ ପଳାଇଥିଲେ। ପୁଲିସ ହାଇଦର‌୍‌ ସମେତ ୬ ଜଣ ସହଯୋଗୀଙ୍କୁ ନାଗପୁରରୁ ୨୦୦୫ ଜୁନ ୮ ତାରିଖରେ ଗିରଫ କରିଥିଲା। ସେହି ଟିମର ନେତୃତ୍ବ ନେଇଥିବା ତତ୍କାଳୀନ ଇନ୍ସ‌ପେକ୍ଟର ହରିହର ପାଣି କହିବା ଅନୁଯାୟୀ ସେତେବେଳେ ହାଇଦରର ବୟାନ ଥିଲା ଅତ୍ୟନ୍ତ ଚାଞ୍ଚଲ୍ୟକର। ସେ କହିଥିଲା, ଚୁନାକୁ ଏମିତି କାଟି ଥାନ୍ତି ଯେ ଭୁବନେଶ୍ବର ପୁଲିସକୁ ତା ମାଂସ ଗଣିବା ପାଇଁ ଫୋର୍ସ କମ୍ ପଡିଥାନ୍ତା। ଜଣେ ଲୋକକୁ କାଟିକି ପାରାଦୀପ ସମୁଦ୍ର ଭିତରେ ଫୋପାଡି ଦେଲି… ମାଛ ଖାଇଗଲେ ବୋଲି ମଧ୍ୟ ହାଇଦର କହିଥିଲା। ଶ୍ରୀ ପାଣି କହିବା ଅନୁଯାୟୀ ଏଭଳି ବ୍ୟକ୍ତିକୁ ଗୁଳି ହୋଇଛି ଠିକ ହୋଇଛି। ଅନ୍ୟ ଅପରାଧୀ ଏଥିରେ ଡର‌ିବେ।

ସମ୍ବନ୍ଧିତ ଖବର