ହାଇଦର: ଶବବାହକରୁ ଗ୍ୟାଙ୍ଗ୍‌ଷ୍ଟର୍

ତା’ର ଅପରାଧ ଜୀବନ ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ। ରଶ୍ମୀରଂଜନ, ଚୁନା ଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ସେ ଅଭିଯୁକ୍ତ। ଦୁଇ ଦୁଇ ଥର ଗୁଳି ଖାଇ ବି ପୂର୍ବରୁ ବଂଚି ଯାଇଥିବା ରେକର୍ଡ ବି ତା’ ନାଁରେ। ଆହୁରି ଅଧିକ ରୋଚକ ହେଉଛି ଧରମ ସଂପର୍କ ଯୋଡ଼ି ଲୋକଙ୍କୁ ଆପଣାର କରିବା ଆଉ କମ୍ ବୟସର ଯୁବତୀଙ୍କୁ ପାଲରେ ପକାଇ ଅପରାଧରେ ନିୟୋଜନ କରିବା ଭଳି ତା’ର ସ୍ବତନ୍ତ୍ର କଳା। ୪୦ ବର୍ଷ ଧରି ରାଜ୍ୟ ଅପରାଧ ଜଗତରେ ଏକ ଚର୍ଚ୍ଚିତ ଆଉ ଭୟ କଲା ଭଳି ନାଁ ଥିଲା ହାଇଦର୍। ଶେଷରେ ପୁଲିସ ଏନକାଉଣ୍ଟରରେ ତା’ର ଜୀବନ ଗଲା। ୧୯୭୫ ମସିହା ବେଳକୁ କେନ୍ଦ୍ରାପଡ଼ା ରଣପଡ଼ାର ସେକ୍ ହାଇଦର ଟ୍ରଲି ଚଳାଇ ରୋଜଗାର କରୁଥିଲା। ଅଶୀ ଦଶକରେ କେନ୍ଦ୍ରାପଡ଼ାରେ ଶବ ବ୍ୟବଚ୍ଛେଦ ହେଉ ନଥିବାରୁ ମୃତକଙ୍କ ଶବ କଟକ ବଡ଼ ଡାକ୍ତରଖାନା ବ୍ୟବଚ୍ଛେଦ ପାଇଁ ଆସୁଥିଲା। ସେହି ଶବକୁ ହାଇଦର ଟ୍ରଲିରେ ଆଣି କଟକ ଆସୁଥିଲା। ସେଥିରେ ଅଧିକ ଟଙ୍କା ମିଳୁ ଥିବାରୁ ତାହା ଥିଲା ହାଇଦରର ରୋଜଗାରର ମାଧ୍ୟମ। ପରେ ଟ୍ରଲି ଚାଳକରୁ ହାଇଦର ଟ୍ରେକର ଓ ଟ୍ରକ୍‌ ଡ୍ରାଇଭର ବି ହୋଇଥିଲା।

ଘରେ ସମସ୍ତେ ଅପରାଧୀ
ଗ୍ୟାଙ୍ଗଷ୍ଟର ହାଇଦରର ୩ ପୁଅ ଓ ଜ୍ବାଇଁ ବି ଅପରାଧରେ ବିଭିନ୍ନ ସମୟରେ ସାମିଲ ହୋଇ ଗ୍ୟାଙ୍ଗ ଗଢ଼ିବାକୁ ଉଦ୍ୟମ କରିଛନ୍ତି। ବଡ଼ ପୁଅ ସେକ୍‌ ମୁନ୍ନା ଏବେ ଚୌଦ୍ବାର ଜେଲ୍‌ରେ ଅଛି। କେନ୍ଦ୍ରାପଡ଼ାର ଏକ ଅପରାଧିକ ମାମଲାରେ ସେ ସଜା କାଟୁଛି। ହାଇଦରର ଅନ୍ୟ ଦୁଇ ପୁଅ ସେକ୍‌ ଆଜାରୁଦ୍ଦିନ ଓ ସେକ୍‌ ଚୁନ୍ନେଇ ଏବେ ହାଇଦରକୁ ଫେରାର କରିଥିବା ମାମଲାରେ ସମ୍ପୃକ୍ତି ଅଛନ୍ତି। ଜ୍ବାଇଁ ସେକ୍‌ ଅନିଶ ବି ପୂର୍ବରୁ ଅପରାଧର ସମ୍ପୃକ୍ତ। ଏବେ ହାଇଦର‌୍‌ ଫେରାର ପଛରେ ଆଜାରୁଦ୍ଦିନ, ଭାଇ କାଳିଆ, ପୁତୁରା କାଲା, ଶଳା ଗୋରା ଏବ˚ ସାନ ଜ୍ବାଇଁର ସମ୍ପୃକ୍ତି ଥିବା ପୁଲିସ ନିକଟରେ ପ୍ରମାଣ ରହିଛି।

ପୂର୍ବରୁ ଦୁଇ ଥର ଗୁଳି ଖାଇଥିଲା
୧୯୯୨ ମସିହାରେ ହାଇଦର୍ ପ୍ରଥମ ଥର ପୁଲିସ ଏନକାଉଣ୍ଟରର ଶିକାର ହୋଇଥିଲା। ହାଇଦର ଦିନେ ଭୋର ପ୍ରାୟ ୪ଟା ବେଳେ ଗୋବରୀ ନଦୀ ନିକଟରେ ଥିବା ବାଉଁଶ ପୋଲ ନିକଟରେ ଥିବା ଏକ ଚା ଦୋକାନ ଚା ପିଉଥିବା ସଂପର୍କରେ କେନ୍ଦ୍ରାପଡ଼ା ଥାନାର ତତ୍କାଳୀନ ଆଇଆଇସି ଜୟଦେବ ଷଢ଼ଙ୍ଗୀ ଖବର ପାଇଥିଲେ। ଶ୍ରୀ ଷଢ଼ଙ୍ଗୀ ଓ ଏଏସଆଇ ବ୍ରଜ ସାହୁ ମୁସଲମାନଙ୍କ ଭଳି ବେଶରେ ଲୁଙ୍ଗି ଓ ଗଞ୍ଜି ପିନ୍ଧି ଏକ ରିକ୍ସାରେ ଯାଇ ବାଉଁଶ ପୋଲ ନିକଟରେ ପହଞ୍ଚିଥିଲେ। ହାଇଦର ଚା ପିଉଥିବା ବେଳେ ତାକୁ ଶ୍ରୀ ଷଢ଼ଙ୍ଗୀ ଏନକାଉଣ୍ଟର କରିଥିଲେ। ହାଇଦରର ଦୁଇ ଗୋଡ଼ର ଜଂଘରେ ଦୁଇ ରାଉଣ୍ଡ ଗୁଳି ବାଜିଥିଲା। ଗୁଳି ମାଡ଼ ଖାଇ ବି ହାଇଦର‌୍‌ ଦୌଡ଼ିବାକୁ ଲାଗିଲା। ଶ୍ରୀ ଷଡଙ୍ଗୀ କହିବା ଅନୁଯାୟୀ ତା’ ଉପରକୁ ଆଉ ଗୋଟେ ଗୁଳି ଫୁଟାଇ ଥିଲେ। କିନ୍ତୁ ଗୁଳିଟି ତା’ ଦେହରେ ବାଜି ନଥିଲା। ସେହି ସମୟରେ କେନ୍ଦ୍ରାପଡ଼ା ଏସପି ଥାନ୍ତି ସ୍ବପ୍ନା ତିଵାରି। ଏସପି ଖବର ପାଇଲେ ଯେ ଗୋବରୀ ନଦୀର ଆରପଟେ ସୋଲେମାନ୍‌ର ବାଡ଼ିରେ ଥିବା ନଡ଼ା ଗଦା ଭାଡ଼ି ତଳେ ହାଇଦର‌୍‌ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୁଚିଛି। ହାଇଦର‌ର ୪ ଜଣ ସହଯୋଗୀ ତାକୁ ନେବାକୁ ଆସିଥିବା ବେଳେ ପୁଲିସ ପହଞ୍ଚି ତାକୁ କାବୁ କରିଥିଲା। ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ୍‌ ଓ ପରେ ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହାଇଦର‌୍‌ ଗୋଡ଼ରେ ଫୁଟିଥିବା ଗୁଳି ଦୁଇଟି ଆଜି ସୁଦ୍ଧା ତା ଜ˚ଘରେ ଥିବା କୁହାଯାଏ। ତା’ ନିକଟରୁ ସେତେବେଳେ ଦୁଇଟି ଦେଶୀ ବନ୍ଧୁକ ଏବ˚ ଦୁଇ ରାଉଣ୍ତ ଗୁଳି ଜବତ କରାଯାଇଥିଲା ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

୨୦୦୨ରେ ବିଜୟ ନାୟକ ଓ ସୋଲେମାନର ଭଣଜା ପିଙ୍କୁ ହାଇଦରକୁ ଗୁଳି ମାରିଥିଲେ। ହାଇଦର ନିଜ ଘର ପିଣ୍ଡାରେ ବସିଥିବା ବେଳେ ସେମାନେ ତା’ ଉପରକୁ ଗୁଳି ମାଡ଼ କରିଥିଲେ। ଗୋଟିଏ ରାଉଣ୍ଡ ଗୁଳି ହାଇଦରର ପେଟରେ ବାଜିଥିଲା। ଗୁଳି ଫୁଟାଇ ଭୁଜାଲିରେ ତାକୁ ଆକ୍ରମଣ କରିବା ବେଳେ ହାଇଦର ଘର ଭିତରକୁ ଦୌଡ଼ି ପଳାଇ ଥିଲା ଓ ବର୍ତ୍ତି ଯାଇଥିଲା।

କିନ୍ତୁ ତୃତୀୟ ଥର ଗୁଳି ଖାଇ ହାଇଦର ସବୁ ଦିନ ପାଇଁ ଆଖି ବୁଜିଛି। ତା’ର ପାଖାପାଖି ୪୦ ବର୍ଷର ଅପରାଧ ଜୀବନର ଅନ୍ତ ଘଟିଛି।

ସମ୍ବନ୍ଧିତ ଖବର