ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ଜୀବିକ ହରାଇ ଥିବା ବେଳେ ହାଇଦ୍ରାବାଦର ଜଣେ ଅଟୋ ଚାଳକ ଜଣେ ମହିଳା ଯାତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଫେରାଇ ଦେଇଥିବା ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଉକ୍ତ ଅଟୋ ଚାଳକଙ୍କ ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଅଟୋ ରିକ୍ସା ଚାଳକଙ୍କ ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି।
ଘଟଣା ଟି ହେଉଛି ଏପରି, କରୋନା ଭାଇରସ୍ ଯୋଗୁଁ ଦେଶର ଅନେକ ସ୍ଥାନରେ ଅନ୍ଲକ୍-୩ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଜରୁରୀ ନଥିଲେ ଯାତାୟାତ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ତେଣୁ ବିମାନ, ବସ୍, ଟ୍ରେନ୍ ଓ ଅଟୋ ଚଳାଚଳ ପ୍ରାୟତଃ ଟପ୍ ହୋଇ ଯାଇଛି। କାଁ ଭାଁ ରାସ୍ତାରେ ଅଟୋ ଚାଲୁଥିବା ଦେଖିବାକୁ ମିଳିଛି। ଏଭଳି ସଙ୍କଟ ସମୟରେ ଚାଳକମାନଙ୍କୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଅନେକ ଅସୁବିଧା ହେଉଥିବା ବେଳେ ହାଇଦ୍ରାବାଦର ଅଟୋରିକ୍ସା ଚାଳକ ମହମ୍ମଦ ହବିବ ମାନବିକତାର ଏକ ପରିଚୟ ଦେଇଛନ୍ତି।
ମହମ୍ମଦ ହବିବଙ୍କ ଅଟୋରିକ୍ସରେ ବସି ଯାତ୍ରା କରିଥିବା ଜଣେ ମହିଳା ଯାତ୍ରୀ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଅଟୋରେ ଭୁଲି ଚାଲି ଯାଇଥିଲେ। ହବିବ ଯେତେବେଳେ ଘରେ ପହଞ୍ଚିଥିଲେ ଅଟୋରେ ଏକ ବ୍ୟାଗ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ବ୍ୟାଗରେ କ’ଣ ଅଛି ବୋଲି ଖୋଲିଲା ବେଳକୁ ସେଥିରେ ନୋଟ ବିଡ଼ା ଭର୍ତ୍ତି ଥିଲା। ଏହି ନୋଟର ମୂଲ୍ୟ୧.୪ଲକ୍ଷ ହେବ ବୋଲି କୁହାଯାଉଛି। ଯାହାକୁ ଦେଖି ମହମ୍ମଦ ହବିବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହା ପରେ ହବିବ କଳାପଥର ପୁଲିସ ଷ୍ଟେସନକୁ ଯୋଗାଯୋଗ କରି ଏକ ଟଙ୍କା ଭର୍ତ୍ତି ବ୍ୟାଗ ପାଇ ଥିବା ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୁଲିସ ମହିଳା ଯାତ୍ରୀ ଆୟସାଙ୍କୁ ଯୋଗଯୋଗ କରି ତାଙ୍କ ହଜି ଯାଇଥିବା ଟଙ୍କା ବ୍ୟାଗ ବିଷୟରେ ଜଣାଇ ପୁଲିସ ଷ୍ଟେସନ୍ରେ ପହଞ୍ଚିବାକୁ କହିଥିଲେ। ଆୟସା ପୁଲିସ ଷ୍ଟେସନ୍ରେ ପହଞ୍ଚିବା ପରେ ମହମ୍ମଦ ହବିବ ଉକ୍ତ ଟଙ୍କା ବ୍ୟାଗ୍କୁ ମହିଳାଙ୍କୁ ଫେରାଇ ଦେଇଥିଲେ। ଏଥିରେ ଆୟସା ଖୁସି ହୋଇ ହବିବଙ୍କୁ ୫,୦୦୦ଟଙ୍କା ଉପହାରରେ ଦେଇଥିଲେ।