ପତ୍ନୀଙ୍କଠାରୁ ଟଙ୍କା ଉଧାର ନେଇ ଦିନମଜୁରିଆ କିଣିିଥିଲେ ଲଟେରି ଟିକେଟ, ରାତାରାତି ହୋଇଗଲେ କୋଟିପତି

ନୂଆଦିଲ୍ଲୀ: ମଣିଷ ଭାଗ୍ୟ କେତେବେଳେ ତାକୁ କେଉଁଠି ନେଇ ପହଁଞ୍ଚାଇବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସମଗ୍ର ଦୁନିଆରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଭାଗ୍ୟ ଖେଳରେ ତେଲେଙ୍ଗାନାର ଜଣେ ମଜୁରିଆଙ୍କ ଭାଗ୍ୟ ଗୋଟିଏ ରାତିରେ ଖୋଲି ଯାଇଛି ଓ ସେ କୋଟିପତି ହୋଇଯାଇଛନ୍ତି।

ନିଜାମାବାଦରେ ଜଣେ ଦିନମଜୁରିଆଙ୍କ ଦୁବାଇରେ ୨୮କୋଟି ଟଙ୍କାର ଲଟେରି ଉଠିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଲଟେରି ଟିକେଟ କିଣିବାକୁ ତାଙ୍କ ପାଖରେ ଅର୍ଥ ନ ଥିଲା। ସେ ଏହି ଲଟେରିକୁ କିଣିବା ପାଇଁ ତାଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଉଧାର ନେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ନିଜାମାବାଦରେ ରହୁଥିବା ରିକ୍କାଲା ବିଳାଶ ମୁମ୍ବାଇରେ କନଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ଦିନମଜୁରିଆ ଭାବେ କାମ କରୁଥିଲେ। କିଛିଦିନ ପରେ ସେ ଗାଡ଼ି ଚଳାଇବା କାମ ଆରମ୍ଭ କରିଥିଲେ। ତେବେ ବିଳାଶ ୪୫ଦିନର ଭିସାରେ ଦୁବାଇ ଯାଇଥିଲେ। ଭିସା ଅବଧି ଶେଷ ହେବା ପରେ ସେ ଭାରତକୁ ଫେରି ଆସିଥିଲେ। ଏହାପୂର୍ବରୁ ସେ ନିଜ ପତ୍ନୀଙ୍କ ଠାରୁ ଟଙ୍କା ମାଗି ମୁମ୍ବାଇର ପ୍ରତିଷ୍ଠିତ ୟୁଏଇ ବିଗ ଟିକେଟ ଡ୍ରର ମାସିକ ଲଟେରି ଟିକେଟ କିଣିଥିଲେ। ଗତ ଅଗଷ୍ଟ ୩ ତାରିଖରେ ସେ ୪ ମିଲିୟନ ଆମେରିକୀୟ ଡଲାର ରାଶି ଜିତିଥିବା ଖବର ମିଳିଥିଲା।

ବିଳାଶଙ୍କୁ ଏହି ଲଟେରି ଜିତିଥିବା କଥା ବିଶ୍ୱାସ ହୋଇ ନଥିଲା। ଲଟେରି ଜିତିବା ପରେ ତାଙ୍କ ପୂରା ପରିବାର ଖୁସିରେ ଆତ୍ମବିଭୋର ହୋଇପଡ଼ିଛି। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ ଦୁବାଇର ଆବୁଧାବି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରତିମାସରେ ୟୁଏଇ ବିଗ ଟିକେଟ ଡ୍ରର ମାସିକ ଲଟେରି  ଆୟୋଜନ କରାଯାଇଥାଏ । ଲଟେରିର ବିଜେତାଙ୍କୁ ପାଖାପାଖି ୨୮.୪୫ କୋଟି ଟଙ୍କାର ବିଜୟୀ ରାଶି ଦିଆଯାଇଥାଏ। ଜୁଲାଇ ମାସରେ ରିକ୍କାଲା ବିଳାଶଙ୍କ ନାମରେ ଏହି ଲଟେରି ବାହାରିଥିଲା।

ସମ୍ବନ୍ଧିତ ଖବର