ସାନ ଭାଇର ମୃତ୍ୟୁ ପରେ ନୂଆ ଅଭିଯାନ ଆରମ୍ଭ କରିଥିଲେ ଶିବା, ଏ ପର୍ଯ୍ୟନ୍ତ ୧୦୭ଜଣଙ୍କୁ ଦେଇ ସାରିଲେଣି ନୂଆ ଜୀବନ
ନୂଆଦିଲ୍ଲୀ : ବେଳେ ବେଳେ ନିଜ ସହ କିଛି ଖରାପ ହେବା ପରେ ବା କିଛି ଭୁଲ କରିବା ପରେ ଲୋକମାନେ ଅନ୍ୟମାନଙ୍କୁ ସେଭଳି ନ କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି । କିଛି ସେଭଳି ହୋଇଥିଲା ହାଇଦ୍ରାବାଦରେ ରହୁଥିବା ୧୨ବର୍ଷୀୟ ଶିବାଙ୍କ ସହ । ଶିବାର ଛୋଟ ଭାଇ ମହେନ୍ଦ୍ର ଅସମାନପେଟସ୍ଥିତ ଝରଣାରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ଏହା ପରେ ୧୨ବର୍ଷ ବୟସର ହୋଇ ମଧ୍ୟ ଶିବା ଆତ୍ମହତ୍ୟା କରୁଥିବା ଲୋକଙ୍କୁ ବଞ୍ଚାଇବା କାମ କରିବା ଆରମ୍ଭ କରିଥିଲେ । । ଅସମାନପେଟ ଝରଣାକୁ ଯେ କେହି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଆସେ ତାକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣି ନୂଆ ଜୀବନ ଦିଅନ୍ତି ଶିବା । ଏ ପର୍ଯ୍ୟନ୍ତ ସେ ୧୦୭ଜଣ ଲୋକଙ୍କ ଜୀବନ ବଞ୍ଚାଇ ସାରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପରିବାର କହିଲେ ଶିବାଙ୍କ ପାଇଁ କେବଳ ତାଙ୍କ ସାନ ଭାଇ ମହେନ୍ଦ୍ର ଥିବା ବେଳେ ମହେନ୍ଦ୍ରଙ୍କ ଯିବା ପରେ ଶିବା ଏକ ନୂଆ ଅଭିଯାନ ଆରମ୍ଭ କରିଥିଲେ । ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗୁ, ସେଥିପାଇଁ ସେ ୧୨ବର୍ଷ ବୟସରୁ ଅସମାନପେଟ ଝରଣାରେ ଜୀବନରକ୍ଷକ ଭାବେ କାମ କରିବା ଆରମ୍ଭ କରିଥିଲେ । କେହି ଆତ୍ମହତ୍ୟା ବା ଭୁଲବଶତଃ ଝରଣାରେ ବୁଡ଼ି ଯାଉଥିଲେ ଶିବା ସେମାନଙ୍କୁ ଉଦ୍ଧାର କରିବାର କାମ ଆରମ୍ଭ କରିଥିଲେ । ଏତେ କମ ବୟସରେ ୧୦୭ଜଣଙ୍କୁ ନୂଆ ଜୀବନ ଦେଇ ସେ ଏବେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।
ଶିବା କହନ୍ତି, ମୁଁ ପୁଲିସ କର୍ମୀମାନଙ୍କୁ ମଧ୍ୟ ଶବ ଉଦ୍ଧାର କରିବାରେ ସାହାଯ୍ୟ କରେ । ଏଥି ପାଇଁ ମୋତେ ହୋମ୍ ଗାର୍ଡର ଚାକିରି କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । କିନ୍ତୁ ମୁଁ ତାକୁ ଗ୍ରହଣ କରି ନଥିଲି । ଲୋକମାନଙ୍କୁ ମରଣ ମୁହଁରୁ ଉଦ୍ଧାର କରିବା ମୋ ଲକ୍ଷ୍ୟ । ଏବେ ବିନା କୌଣସି ସୁରକ୍ଷା ଉପକରଣରେ ମୁଁ ଏହି କାମ କରୁଛି । ସରକାରଙ୍କ ପକ୍ଷରୁ ମୋତେ କିଛି ସୁରକ୍ଷା ଉପକରଣ ଦିଆଗଲେ ମୁଁ ଏହି କାମ ଭଲ ଭାବରେ କରି ପାରିବି ।