‘ମୁଁ ପ୍ରାୟତଃ ମରିଯାଇଥିଲି’ ଏଭଳି କହି ନିଜର ଅଭିଜ୍ଞତା ବଖାଣିଲେ କରୋନା ଯୁଦ୍ଧ ଜିତିଥିବା ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: କରୋନା ସହ ବର୍ତ୍ତମାନ ସାରା ବିଶ୍ବ ଲଢେଇ କରୁଛି | ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରିନଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ କିଛି ଲୋକ ଚିକିତ୍ସିତ ହୋଇ କରୋନାକୁ ହରାଇବାରେ ସଫଳ ମଧ୍ୟ ହୋଇଛନ୍ତି | ବ୍ରିଟେନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରିୟା ଲଖାନି କରୋନା ସହ କଠିନ ଲଢେଇ ଲଢ଼ିବା ପରେ ନିଜର ଅଭିଜ୍ଞତାକୁ ଏବେ ସମସ୍ତଙ୍କ ସହ ସେୟାର କରିଛନ୍ତି |

ତାଙ୍କ କହିବା ମୁତାବକ, ଏକ ଅସ୍ତ୍ରାପଚାର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବ ଆରମ୍ଭ ହୋଇଥିଲା | ଚାହୁଁ ଚାହୁଁ ତାଙ୍କ ଶରୀରର ତାପମାତ୍ରା ବଢିବା ସହ ସେ ନିଶ୍ୱାସ ନେଇ ପାରିନଥିଲେ | ସମସ୍ତେ ଅସ୍ତ୍ରାପଚାରର ପାର୍ଶ୍ଵ ପ୍ରତିକ୍ରିୟା ବୋଲି ଭାବୁଥିବା ବେଳେ ପ୍ରକୃତ କାରଣ ଜାଣିବା ପାଇଁ ଡାକ୍ତର ରିୟାଙ୍କର ସ୍ୱାବ ନମୁନା ପରୀକ୍ଷା କରାଇବା ପାଇଁ ନେଇଥିଲେ | କିଛି ଘଣ୍ଟା ପରେ ରିପୋର୍ଟ ପଜିଟିଭ ଆସିବା ଦେଖି ରିୟାଙ୍କ ସମେତ ତାଙ୍କ ପୁରା ପରିବାର ଚିନ୍ତାରେ ପଡିଯାଇଥିଲେ | ରିପୋର୍ଟ ପଜିଟିଭ ଆସିବା ପରେ ରିୟାଙ୍କୁ ଭର୍ତ୍ତି କରାଯାଇଥିବା ୱାର୍ଡରୁ ଅନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ସହ ତାଙ୍କୁ ଆଇସୋଲେସନରେ ରଖିଥିଲେ ଡାକ୍ତର |

Indian-Origin COVID-19 Survivor in UK Says 'Lucky to Be Alive'
The Quint

ଧୀରେ ଧୀରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବାରୁ ଲଣ୍ଡନର ବଡ କୋଭିଡ-୧୯ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ସେଠାରେ ଦିନକୁ ଦିନ ତାଙ୍କୁ ନିଶ୍ୱାସ ନେବାରେ ଅଧିକ ଅସୁବିଧା ହେବା ସହ ନିଶ୍ୱାସ ନେବା ପାହାଡ ଚଢିବା ଭଳି କଷ୍ଟକର ହେବାରେ ଲାଗିଥିଲା ବୋଲି ସେ କହିଛନ୍ତି | ରିୟାଙ୍କ ଅନୁଯାୟୀ, ସେ ସମୟରେ ମୋତେ ମରିବା ଭଳି ଅନୁଭବ ହୋଇଥିଲା | ମୁଁ ମୋ ପରିବାରକୁ ଦୁଃଖଭରା ମେସେଜ ପଠାଇବା ଆରମ୍ଭ କରିଦେଇଥିଲି | କିନ୍ତୁ ଧୀରେ ଧୀରେ ମୁଁ ସୁସ୍ଥ ହେବାକୁ ଲାଗିଲି | ଡାକ୍ତରମାନଙ୍କ ଚେଷ୍ଟା ପାଇଁ ଆଜି ମୁଁ ମୋର ଅଭିଜ୍ଞତା ସମସ୍ତଙ୍କୁ ଜଣାଇ ପାରୁଛି | ବର୍ତ୍ତମାନ ମୁଁ ଡାକ୍ତରଖାନାରୁ ଆସିଯାଇଥିଲେ ମଧ୍ୟ ମୋତେ ଏବେ ସଙ୍ଗରୋଧରେ କିଛିଦିନ ରହିବା ପାଇଁ କୁହାଯାଇଛି ବୋଲି କହିଛନ୍ତି ରିୟା |

ସମ୍ବନ୍ଧିତ ଖବର