ଦକ୍ଷିଣ ଓଡ଼ିଶାର ଅଣ-କଂଗ୍ରେସ ରାଜନୀତିର ଅନ୍ୟତମ ତୁଙ୍ଗ ନେତା ଏନ୍. ଭାସ୍କର ରାଓ ନିକଟରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ମଧ୍ୟ ଇସ୍ତଫା ଦେଇଛନ୍ତି। ଏମାନଙ୍କର ସମର୍ଥକ ମଧ୍ୟ ଦଳ ଛାଡ଼ିଛନ୍ତି। ଏନ୍. ଭାସ୍କର ରାଓଙ୍କ ଇସ୍ତଫା କେବଳ ରାୟଗଡ଼ାରେ ନୁହେଁ, ବରଂ ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୀତିରେ ଝଡ଼ ସୃଷ୍ଟି କରିଛି। ୧୯୭୪ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ଛାତ୍ର ରାଜନୀତିରୁ ଆସି ଏନ୍. ଭାସ୍କର ରାଓ ଦକ୍ଷିଣ ଓଡ଼ିଶାରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ସକ୍ରିୟ ନେତା ଭାବେ ଉଭା ହୋଇଥିଲେ। ତାଙ୍କ ନେତୃତ୍ବରେ କଂଗ୍ରେସର ଦୁର୍ଗ ଭାବେ ପରିଚିତ ରାୟଗଡ଼ା ଜିଲ୍ଲାରେ ଅଣ-କଂଗ୍ରେସ ରାଜନୀତିର ଅଭ୍ୟୁଦୟ ହୋଇଥିଲା। ଦୀର୍ଘଦିନ ଧରି ବିଜେଡିର ରାଜ୍ୟ ନେତୃବୃନ୍ଦ ରାୟଗଡ଼ା ଜିଲ୍ଲାର କର୍ମୀ ଓ ନେତାଙ୍କୁ ଅଣଦେଖା କରି ଆସୁଥିବାରୁ, ଏହାର ପ୍ରତିବାଦରେ ଏପରି ପଦକ୍ଷେପ ନେଇଛନ୍ତି ଶ୍ରୀ ରାଓ। ନେତା ଓ କର୍ମୀ ନିଜର ସ୍ବାଭିମାନ ବଞ୍ଚାଇବାକୁ ଅନ୍ୟ ରାଜନୈତିକ ଦଳକୁ ଚାଲିଯିବା ପାଇଁ ପ୍ରସ୍ତୁତ ହେବାରୁ ସେମାନଙ୍କ ସ୍ବାଭିମାନର ସୁରକ୍ଷା କରିବାକୁ ମୋତେ ଦଳ ଛାଡ଼ିବାକୁ ପଡ଼ିଲା ବୋଲି ଏନ୍. ଭାସ୍କର ରାଓ ନିଜର ଇସ୍ତଫା ପରେ ପ୍ରକାଶ କରିଛନ୍ତି। ଏଥିସହ ସେ ବିଜୁ ସ୍ବାଭିମାନ ମଞ୍ଚ ନାମରେ ଏକ ଅଣରାଜନୈତିକ ମଞ୍ଚ ଗଠନ କରିଛନ୍ତି। ଆଗାମୀ ଦିନରେ ତାଙ୍କର ଏହି ପଦକ୍ଷେପ ବିଜେଡି ରାଜନୀତିରେ କିଭଳି ପ୍ରଭାବ ପକାଇବ ଓ ତାଙ୍କର ପରବର୍ତ୍ତୀ କାର୍ଯ୍ୟଧାରା କ’ଣ ରହିବ, ସେ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଆମର 
ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ବିଜୁବାବୁଙ୍କ ଡାକ‌ରାରେ ରାଜନୀତିକୁ ଆସିଥିଲେ ଏବଂ ଅସ୍ବାଭାବିକ ପରିସ୍ଥିତିରେ ବିଜୁ ଜନତା ଦଳ ଛାଡ଼ିବାକୁ ବାଧ୍ୟ ହେଲେ। କିଭଳି ଅନୁଭବ କରୁଛନ୍ତି?
ରାଜନୀତିରେ ମୋର ୫୧ ବର୍ଷର ଲମ୍ବା ଯାତ୍ରା ଶେଷ ହୋଇଛି କହିଲେ ଭୁଲ୍‌ ହେବନାହିଁ। ବିଜୁବାବୁଙ୍କ ଡାକରାରେ ତାଙ୍କ ପରିବାରର ଜଣେ ସଦସ୍ୟ ଭାବେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିଥିଲି। ଗତ ଅଗଷ୍ଟ ୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ମୁଁ ବିଜୁ-ନବୀନଙ୍କ ସହିତ ମୋର ରାଜ‌ନୈତିକ ଓ ସାଧାରଣ ଜୀବନ ଜାରି ରଖିଥିଲି। ଏହା ଗୋଟିଏ ଛୋଟିଆ ସମୟ ନୁହେଁ। ବିଜୁବାବୁଙ୍କ ନେତୃତ୍ବରେ ଆମେ ଏଠାରେ କଂଗ୍ରେସ ଦୁର୍ଗକୁ ଭାଙ୍ଗି ଦେଇଥିଲୁ। ତେଣୁ ଦଳ ଛାଡ଼ିବା ନିଷ୍ପତ୍ତି ଏବଂ ରାଜନୀତିରୁ ଅବସର ନେବା ନିଶ୍ଚିତ ରୂପେ ମନରେ ଦୁଃଖ ଓ ଆବେଗ ସୃଷ୍ଟି କରିଛି। କିନ୍ତୁ ସମୟକ୍ରମେ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନେବାକୁ ପଡ଼ିଥାଏ।

ଇସ୍ତଫା ପରେ ଆପଣଙ୍କ ଜିଲ୍ଲାର ଓ ରାଜ୍ୟର ବିଜେଡି ନେତୃତ୍ବ କହୁଛନ୍ତି ଯେ ଆପଣଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆପଣ ସ୍ବାର୍ଥ ସାଧନ ରାଜନୀତିକରି ନିଜର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରୁଥିଲେ। ସ୍ଥାନୀୟ ଜନସାଧାରଣ ଓ ବିଜେଡି କର୍ମୀ ଆପଣଙ୍କ ଉପରେ ଖୁସି ନ ଥିଲେ। ଏହାକୁ ନେଇ କ’ଣ କହିବେ?
ଦେଖନ୍ତୁ, ଏସବୁ ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ସମୟ କହିବ। କିନ୍ତୁ ମୁଁ ସ୍ବାର୍ଥ ସାଧନ ରାଜନୀତି କରିଛି କି ନାହିଁ, ତାହା ମୋର ଜିଲ୍ଲାବାସୀଙ୍କୁ ଭଲ ଭାବରେ ଜଣା। ମୋର ସମାଲୋଚକ କିମ୍ବା କେତେକ ନେତା ଯାହା ମତ ଦେଉଛନ୍ତି ତାକୁ ନେଇ ଆରୋପ ଓ ପ୍ରତ୍ୟାରୋପ କରିବାକୁ ମୁଁ ଚାହୁନାହିଁ। କାରଣ ବର୍ତ୍ତମାନ ମୁଁ ଆଉ ରାଜନୀତିରେ ନାହିଁ। ସେମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ ଏବଂ ତାଙ୍କର ମଙ୍ଗଳ ହେଉ। ମୁଁ କେବଳ ଏତିକି କହିବି, ମୁଁ ହେଉଛି ଏ ଜିଲ୍ଲାର ବାସିନ୍ଦା। ଯଦି ମୁଁ ସେମାନଙ୍କ ପାଇଁ କିଛି କାର୍ଯ୍ୟ କରି ନଥାନ୍ତି ଏବଂ ମୁଁ ସ୍ବାର୍ଥ ସାଧନରେ ମାତିଥାନ୍ତି, ତେବେ ମୁଁ ୫୧ ବର୍ଷ ଧରି ସେମାନଙ୍କ ସାଙ୍ଗରେ ରହିପାରି ନଥାନ୍ତି। ମୋ ଲୋକମାନେ ଭଲ ଭାବରେ ଜାଣିଛନ୍ତି ମୁଁ କିଏ, ସେମାନଙ୍କ ପାଇଁ କ’ଣ କରିଛି, ସେମାନଙ୍କ ସୁଖ-ଦୁଃଖରେ ମୁଁ କେତେ ମାତ୍ରାରେ ସାମିଲ ହୋଇଛି।

ପ୍ୟାରୀବାବୁ ଦଳ ପରିଚାଳନା କରିବା ବେଳୁ ଆପଣ ଦକ୍ଷିଣ ଓଡ଼ିଶାରେ ବିଜେଡିର ସ୍ଥିତିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ନେଇ ଆସିଥିଲେ। ନବୀନବାବୁ କୁଆଡ଼େ ଆପଣଙ୍କୁ ଭାଇ ଭଳି ଆଦର କରୁଥିଲେ ଏବଂ ଦକ୍ଷିଣ ଓଡ଼ିଶା ବିଜେଡି ରାଜନୀତିରେ ଆପଣ ଥିଲେ ଚାଣକ୍ୟ। ଯେଉଁ ଦଳ ଆପଣଙ୍କୁ ରାଜ୍ୟସଭାକୁ ପଠାଇଲା ଶେଷରେ ଆପଣ ସେହି ଦଳକୁ ଛାଡ଼ିଲେ କାହିଁକି?
ପ୍ରଥମେ ମୁଁ କହିବାକୁ ଚାହେ, ବିଜେଡିକୁ ମୁଁ ସୁଦୃଢ଼ କରି ନ ଥିଲି, ବରଂ ମୋ ଅଞ୍ଚଳର ଜନସାଧାରଣ ଏହା କରିଥିଲେ। ଆମ ଅଞ୍ଚଳର ଲୋକେ ମୋତେ ସବୁବେଳେ ସାହାଯ୍ୟ, ସହଯୋଗ ଓ ପ୍ରେରଣା ଦେଇ ଆସିଛନ୍ତି। ସମସ୍ତେ ଏକାଠି ହୋଇ କଂଗ୍ରେସର ଦୁର୍ଗକୁ ଭାଙ୍ଗିଛନ୍ତି। ତେଣୁ ଏହାର ସମସ୍ତ ଶ୍ରେୟ ସେମାନଙ୍କର। ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ପରେ ବିଜୁବାବୁ ମୋତେ ଡାକି ତତ୍‌କାଳୀନ ଜନତା ଦଳର ଜେନେରାଲ୍ ସେକ୍ରେଟାରି ଭାବେ ନିଯୁକ୍ତି ଦେଇଥିଲେ। ସେ ମୋତେ କହିଥିଲେ, ତୁମମାନଙ୍କ ଭଳି ଯୁବକମାନଙ୍କୁ ନେଇ ଏ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କର। ଏଠାରେ ମୁଁ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା ଜଣାଇ ଦେବାକୁ ଚାହେ ଯେ ବିଜୁବାବୁଙ୍କ ସହିତ ସାମିଲ ହୋଇ ମୁଁ ଯେଉଁଦିନ ଏଠି ରାଜନୀତିରେ ପାଦ ରଖିଥିଲି, ସେଦିନ ହିଁ ମୁଁ ନିଶ୍ଚିତ ‌ଥିଲି ଯେ ମୋ ଅଞ୍ଚଳ ଗୋଟିଏ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ହୋଇ ରହିବ ଏବଂ ମୁଁ କେବେହେଲେ ଏହି ଅଞ୍ଚଳରୁ ବିଧାୟକ କିମ୍ବା ସାଂସଦ ହୋଇପାରିବି ନାହିଁ। ତଥାପି ମୁଁ ବିଜୁବାବୁଙ୍କ ଡାକରାରେ ଜନସାଧାରଣଙ୍କର ଓ ମୋ ଅଞ୍ଚଳର ବିକାଶ କରିବାକୁ ରାଜନୀତିରେ ଯୋଗଦେଇଥିଲି।

ବିଜୁବାବୁ ଓ ନବୀନବାବୁ ଆପଣଙ୍କୁ ଭଲ ପାଉଥିଲେ ଏବଂ ଏବେ ବି ଭଲ ପାଉଛନ୍ତି ବୋଲି କହୁଛନ୍ତି। ତେବେ ଆପଣ ହଠାତ୍ ନବୀନବାବୁଙ୍କୁ ଛାଡ଼ିଲେ କାହିଁକି?
ବିଜୁବାବୁ ମୋତେ ପୁଅ ଭଳି ଭଲ ପାଉଥିଲେ ଓ ସ୍ନେହ, ଶ୍ରଦ୍ଧା ଦେଉଥିଲେ। ତାଙ୍କୁ ନେଇ ମୁଁ ଗର୍ବ କରେ। ବିଜୁବାବୁଙ୍କ ଆଶୀର୍ବାଦରେ ମୁଁ ଜୀବନରେ ସଫଳ ହୋଇଛି। ନବୀନବାବୁ ମଧ୍ୟ ମୋତେ କେବେ ଅଣଦେଖା କରିନାହାନ୍ତି। ୫୧ ବର୍ଷ ରାଜନୀତି କରିସାରିବା ପରେ ବର୍ତ୍ତମାନର ଯେଉଁ ରାଜନୀତି ଆରମ୍ଭ ହେଲାଣି ମୁଁ ସେଥିରେ ନିଜକୁ ଖାପଖୁଆଇ ପାରୁନାହିଁ। ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଯେଉଁଭଳି ଭାବରେ ବଦଳି ଗଲାଣି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। ମୋତେ ୭୨ ବର୍ଷ ହେଲାଣି, ତେଣୁ ମୁଁ ସକ୍ରିୟ ରାଜନୀତିରୁ ଓହରି ଯାଉଛି। ୨୦୨୪ ନିର୍ବାଚନ ସମୟରେ ରାଜନୀତିରେ ସକ୍ରିୟ ହୋଇପାରିବି ନାହିଁ ବୋଲି ମୁଁ ନବୀନବାବୁଙ୍କୁ ଏକ ତିନି ପଷ୍ଠାର ଚିଠି ଲେଖି ଜଣାଇଥିଲି। କିନ୍ତୁ ନିର୍ବାଚନ ସମୟରେ ଜଣେ ଶୃଙ୍ଖଳିତ ବ୍ୟକ୍ତି ଓ ରାଜନୈତିକ କର୍ମୀ ଭାବେ ହଠାତ୍‌ ଦଳ ଛାଡ଼ିବା ଠିକ୍ ହେବନାହିଁ ବୋଲି ମୁଁ ନିଷ୍ପତ୍ତି ନେଇଥିଲି। ତେଣୁ ମୁଁ ଚୁପ୍ ରହିଥିଲି। ବର୍ତ୍ତମାନ ଯେତେବେଳେ ମୋ ଅଞ୍ଚଳର ଜନସାଧାରଣ ଓ ରାଜନୈତିକ କର୍ମୀ ସାଂପ୍ରତିକ ସ୍ଥିତିକୁ ସହ୍ୟ କରିପାରିଲେ ନାହିଁ, ସେମାନଙ୍କର ଅନ‌ୁରୋଧ ଓ ନିର୍ଦ୍ଦେଶକ୍ରମେ ମୋତେ ଏଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଲା।

ତେବେ ନବୀନବାବୁଙ୍କ ପ୍ରିୟତମ ଭାବେ ପରିଗଣିତ ବିଜେଡିର ପ୍ରଭାବଶାଳୀ ବ୍ୟକ୍ତି ଭି. କେ.ପ‌ାଣ୍ଡିଆନ୍‌ଙ୍କୁ ଆପଣ କେତେ ଭଲ ପାଆନ୍ତି ଓ ତାଙ୍କୁ ନେଇ କ’ଣ କହିବେ?
ପାଣ୍ଡିଆନ୍ କେବେ ଆମ ଦଳର ନେତା ନ ଥିଲେ। ତାଙ୍କ ବିଷୟରେ ମୁଁ ଆଲୋଚନା କରିବାକୁ ଚାହୁନାହିଁ। ‌ସେ ସରକାରୀ ଚାକିରି କରିଥିଲେ। ଚାକିରି ଛାଡ଼ି ବିଜେଡି ଦଳରେ ଯୋଗଦେଲେ। ବ୍ୟକ୍ତିଗତ ସ୍ତରରେ ତାଙ୍କ ସହିତ ମୋର ବିଶେଷ ସଂପର୍କ ନ ଥିଲା। ତେଣୁ ତାଙ୍କ ବିଷୟରେ ମୁଁ କିଛି କହିବାକୁ ଚାହୁନାହିଁ।

ବିଜୁ ସ୍ବାଭିମାନ ମଞ୍ଚ ଆଗାମୀ ଦିନରେ ଏକ ରାଜନୀତିକ ମଞ୍ଚରେ ପରିଣତ ହେବ ଏବଂ ଏହାର ରିମୋଟ୍ ଆପଣଙ୍କ ହାତରେ ରହିବ ବୋଲି ଚର୍ଚ୍ଚା ହେଉଛି। ଏହା ଦକ୍ଷିଣ ଓଡ଼ିଶା ନା ସମଗ୍ର ରାଜ୍ୟରେ ଆଗାମୀ ଦିନରେ ସକ୍ରିୟ ହେବ?
ରିମୋଟ୍ କଣ୍ଟ୍ରୋଲ୍‌ ଭଳି ବଡ଼ ବଡ଼ କଥା ମୁଁ ଜାଣିନି। ଆମେ ଏତିକି ଜାଣିଛୁ, ଲୋକଙ୍କ ସହିତ ସେମାନଙ୍କ ସୁଖ-ଦୁଃଖରେ ସାମିଲ ହେବା ଏବଂ ସେମାନଙ୍କର ଉନ୍ନତି ପାଇଁ କାମ କରିବା। ବର୍ତ୍ତମାନ ଏହା ଏକ ରାଜନୈତିକ ଦଳ ନୁହେଁ। ଆମେ ଜନସେବା ପାଇଁ ପ୍ରତ୍ୟେକ ଦଳ ସହିତ ରହିଛୁ। ଆମର ସଦସ୍ୟମାନେ ଯିଏ ଯେଉଁ ଦଳରେ ଚାହିବେ ସାମିଲ ହୋଇପାରିବେ। ନିର୍ବାଚନ ସମୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଆମେ ସମର୍ଥନ କରିବୁ। ଜନସେବା ଓ ଲୋକମାନଙ୍କର ମଙ୍ଗଳ ପାଇଁ କାମ କରିବା ହେଉଛି ବିଜୁ ସ୍ବାଭିମାନ ମଞ୍ଚର ଏକମାତ୍ର ଲକ୍ଷ୍ୟ।

ଆପଣଙ୍କ ୫୧ ବର୍ଷର ରାଜନୈତିକ ଅଭିଜ୍ଞତା ଓ ଅନୁଭୂତିର ଯେଉଁ ଲମ୍ବା ଯାତ୍ରା ରହିଛି ତାକୁ ନେଇ ଭବିଷ୍ୟତର ଲକ୍ଷ୍ୟ କ’ଣ?
ମୋର ଦୀର୍ଘ ୫୧ ବର୍ଷର ଅନୁଭୂତି, ଅଭିଜ୍ଞତା ଓ ଅଙ୍ଗେ ନିଭାଇଥିବା ରାଜନୀତିକ ଘଟଣାବଳିକୁ ନେଇ ମୁଁ ଆଗାମୀ ଦିନରେ ଗୋଟିଏ ପୁସ୍ତକ ଲେଖିବି। ମୁଁ ବର୍ତ୍ତମାନଠାରୁ ଏ ଦିଗରେ ଧ୍ୟାନ ଦେବା ଆରମ୍ଭ କଲିଣି।