ରଥ ତିଆରି ସହ ଶ୍ରୀମନ୍ଦିରରେ ବର୍ଷକର ଯାନିଯାତ୍ରାରେ ଆବଶ୍ୟକ ପଡ଼ୁଥିବା କାମ ବି କରୁଛୁ। ବର୍ଷକୁ ଦୁଇ ମାସ ରଥ କାମ କରୁଛୁ। ଏହା ମହାପ୍ରଭୁଙ୍କ ଆଶୀର୍ବାଦ ଓ ସୌଭାଗ୍ୟ। ମହାପ୍ରଭୁ ଦିବ୍ୟଚକ୍ଷୁରେ ଆମକୁ ଚାହିଁଛନ୍ତି। ପ୍ରତିଦିନ ରଥ ନିର୍ମାଣ ବେଳେ ମନରେ ଭୟ ରହିଥାଏ। ପ୍ରତି ମୁହୂର୍ତ୍ତରେ କିଛି ଭୁଲ୍ ହୋଇଯିବ କି ବୋଲି ମନରେ ଶଙ୍କା ଆସେ। କିନ୍ତୁ ଏହି ଶଙ୍କା ସବୁବେଳେ ମହାପ୍ରଭୁ ଦୂର କରି ଦିଅନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ କେବେ ବି ରଥ ନିର୍ମାଣରେ ବିଘ୍ନ ଘଟିନି। ପ୍ରତିଦିନ ସକାଳୁ ଉଠିଲେ ରଥ ନିର୍ମାଣର ଭୟ ଦୂର ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରେ। ଏଭଳି କୌଣସି ଦିନ ନାହିଁ, ଯେଉଁଦିନ ମୁଁ ମହାପ୍ରଭୁଙ୍କୁ ଡାକିନି। ମହାପ୍ରଭୁଙ୍କୁ ଯୋଡ଼ହସ୍ତରେ ଗୁହାରି କରି ତାଙ୍କ ରଥ ନିର୍ମାଣ ସେବା ଆରମ୍ଭ କରେ। ଯେତେବେଳେ ବିପଦ ଆସିଛି, ମହାପ୍ରଭୁଙ୍କୁ ଡାକିଛି, ସେ ଶୁଣିଛନ୍ତି ଓ ସେ ସଂକଟରୁ ଉଦ୍ଧାର କରିଛନ୍ତି। ଏଣୁ ରଥ ନିର୍ମାଣର ଦୁଇମାସ ଆମକୁ ନିଷ୍ଠାର ସହ ରହିବାକୁ ପଡ଼େ। ହବିଷ୍ୟାନ୍ନ ପାଳନ କରିବାକୁ ପଡ଼େ।
ମହାପ୍ରଭୁ ଏ ସଂସାରରେ ନ ଥିଲେ ଏତେ ସଂଖ୍ୟାରେ ଲୋକ ଶ୍ରୀମନ୍ଦିରକୁ ଆସୁନଥାନ୍ତେ; ରଥଯାତ୍ରାରେ ରଥ ଟାଣୁନଥାନ୍ତେ। ଚାଇନା, ଫ୍ରାନ୍ସ, ଜାପାନ ସହ ଅନ୍ୟ ଦେଶ ବିଦେଶରୁ ବି ଲୋକ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନ କରି ପାରିଲେ ବି ପତିତପାବନଙ୍କୁ ଦର୍ଶନ କରି କୃପା ଲାଭ କରୁଛନ୍ତି। ଯଦି ପ୍ରକୃତରେ ରାମ ନାମ ସତ, ଏ ଜଗନ୍ନାଥ ସତ, ଏ ସଂସାର ସବୁ ସତ।
ପିଲାବେଳୁ ମୁଁ ଭିନ୍ନ କାମ କରୁଥିଲି। ପଥର ମୂର୍ତ୍ତି କାମ ମୋର ନିଶା ଥିଲା। ବାହାର ରାଜ୍ୟରେ ଦୁଇବର୍ଷ ପଥର ମୂର୍ତ୍ତି ଗଢ଼ିବାର ସ୍ବତନ୍ତ୍ର ପ୍ରଶିକ୍ଷଣ ବି ନେଇଥିଲି। ପରେ ଚାକିରି କରିବାର ଇଚ୍ଛା ଥିଲା। କିନ୍ତୁ ବାପା ଏହାକୁ ବାରଣ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ବଢ଼େଇ କୁଳରେ ଜନ୍ମ ନେଇଥିବାରୁ ମହାପ୍ରଭୁଙ୍କ ସେବା, ରଥ ନିର୍ମାଣ କରିବାକୁ କହିଥିଲେ। ପ୍ରଥମେ ବାପାଙ୍କ କଥାକୁ ଗ୍ରହଣ କରି ନଥିଲି। ବର୍ଷକୁ ରଥ ତିଆରିରୁ ଏମିତି କେତେ ଟଙ୍କା ମିଳିବ ଯେ ମୁଁ ରଥ କାମରେ ରହିବି ବୋଲି ଭାବୁଥିଲି। ପ୍ରତିଦିନ ଏହି କଥା ଭାବି ଶୁଏ। ଦିନେ ରାତିରେ ମହାପ୍ରଭୁଙ୍କୁ ସ୍ବପ୍ନରେ ଦେଖିଲି। ସେ କହୁଛନ୍ତି- ତୁ ମୋ କାମ ପାଇଁ ଜନ୍ମ ହେଲୁ, ଚାକିରି କରିବୁ ବୋଲି ଭାବୁଛୁ, ଯା’ ମୋ କାମ କରିବୁ। ତା’ ପରଦିନ ସକାଳୁ ସତେ ଯେପରି ମୋ ମନ ପରିବର୍ତ୍ତନ ହୋଇଗଲା। ଚାକିରି ନିଶା ଛାଡ଼ି ମୁଁ ମହାପ୍ରଭୁଙ୍କ କାମ କରିବାକୁ ଚାଲି ଆସିଲି। ଏଠି ସ୍ବାଧୀନତାର ସହ କାମ କରୁଛି। ପରାଧୀନ ଥିଲେ ଭଲ ଲାଗି ନଥାନ୍ତା।
ଯେବେ ବି କାମ କରିଛି, କେବେ ବି ବିଘ୍ନ ଘଟିନି। ସବୁବେଳେ ମହାପ୍ରଭୁଙ୍କୁ ଡାକି ଡାକି କାମ କରୁଛି। ଯାହା ବିପଦ ଆସିଲା, ମହାପ୍ରଭୁଙ୍କ ଡାକିଛି, ଗୁହାରି ହୋଇଛି, ସଙ୍ଗେ ସଙ୍ଗେ ତାଙ୍କ ଆଶୀର୍ବାଦ ମିଳିଛି। ପ୍ରତିଦିନ କାମ ସାରି ରାତିରେ ବିଶ୍ରାମ କରିବାକୁ ଗଲେ ସକାଳୁ କାମ କରିବାକୁ ଇଚ୍ଛା ହୁଏନି। କିନ୍ତୁ କ’ଣ ହୁଏ କେଜାଣି, ସକାଳ ୬ଟା ବାଜିଲା ବେଳକୁ ନିଦ ଭାଙ୍ଗିଯାଏ। ମହାପ୍ରଭୁଙ୍କ ରଥ କାମ ମନେ ପଡ଼ିଯାଏ। ସଅଳ ଉଠି ପୁଣି କାମରେ ଲାଗିପଡ଼େ। କିନ୍ତୁ ରଥ ନିର୍ମାଣ ସରିବା ପରେ ସକାଳୁ ଉଠିଲା ବେଳକୁ କେତେବେଳେ ସାଢ଼େ ୮ଟା ତ’ ୯ଟା ହୋଇଯାଏ।