ନୂଆଦିଲ୍ଳୀ: ସଂଘର୍ଷ କରି ସଫଳ ହୋଇଥିବା ଅନେକ ବ୍ୟକ୍ତିଙ୍କ କାହାଣୀ ଆପଣ ଜାଣିଥିବେ। ସେହି ସବୁ କାହାଣୀକୁ ଜାଣିବା ପରେ ଆମକୁ ନିଶ୍ଚୟ ପ୍ରେରଣା ମିଳିଥାଏ। ବେଳେ ବେଳେ ମନେ ହୁଏ ଯେପରି କେହି ଜଣେ ସତ କହିଥିଲେ, ‘ଘର୍ଷଣ ବିନା ଯେପରି ମୁକ୍ତା ଚମକେ ନାହିଁ, ସଂଘର୍ଷ ବିନା ସେପରି ମଣିଷ ମହାନ ହୋଇପାରେ ନାହିଁ’।
ଆମେ ଆଜି ଆପଣଙ୍କୁ କହିବୁ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ ଆର୍ଥିକ ସଂଘର୍ଷ ଦେଇ ଗତି କରିଥିବା ସନ୍ତୋଷ କୁମାର ପଟେଲ୍ଙ୍କ ବିଷୟରେ। ପିଲାଦିନେ ଏକ ଗରିବ ପରିବାରରେ ଜନ୍ମ ହୋଇ ସନ୍ତୋଷ ଦୁଇ ଓଳି ଦୁଇ ମୁଠା ଖାଇବାରୁ ପାଇ ନଥିଲେ ବି ନିଜ ଚେଷ୍ଟା ବଳରେ ସେ ଆଜି ସଫଳତାକୁ ତାଙ୍କ ହାତ ମୁଠାରେ କରି ପାରିଛନ୍ତି।
ସନ୍ତୋଷଙ୍କ ମାଆ ଜଣେ କୃଷି ଶ୍ରମିକ ଥିବା ବେଳେ ତାଙ୍କ ବାପା ଘର ନିର୍ମାଣ କାମ କରନ୍ତି। ଅନେକଙ୍କ ପାଇଁ ଘର ତିଆରି କରିଥିବା ସନ୍ତୋଷଙ୍କ ବାପା କିନ୍ତୁ ନିଜ ପାଇଁ ଗୋଟାଏ ବି ଘର କରିପାରିନଥିଲେ। ହେଲେ ଆଜି ସେମାନଙ୍କ ପୁଅ ସନ୍ତୋଷ ପୁଲିସର ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ। ୨୦୧୮ ମସିହାରେ ସେ ଏମ୍ପିପିଏସ୍ସି ପରୀକ୍ଷାରେ ୨୨ ରାଙ୍କ୍ରେ ରହିଥିବା ବେଳେ ଡିଏସ୍ପି ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଅନ୍ୟ ୨ ଭାଇଭଉଣୀ ଓ ମାଆବାପାଙ୍କ ସହ ପିଲାଦିନକୁ ଗୋଟାଏ କୋଠରୀ ଭିତରେ କାଟି ଦେଇଛନ୍ତି ସନ୍ତୋଷ। ବର୍ଷା ଦିନେ ଛାତରୁ ପାଣି ପଡ଼ି ଅଧିକାଂଶ ସମୟରେ ତାଙ୍କ ବହି, ଖାତା ଓଦା ହୋଇ ଯାଉଥିଲା। ସେ ଦିନରେ ନିଜ ବହିକୁ ଶୁଖାଇ ରଖୁଥିଲେ ଓ ରାତିରେ ଲଣ୍ଠନ ଆଲୁରେ ପାଠ ପଢୁଥିଲେ।
ସରକାରଙ୍କ ରାସନ ଯୋଗାଣ ଏବଂ ଦୁଇ ଏକର ଜମିରୁ ଯାହା ଆୟ ହୁଏ ସେଇଥିଲେ ପୂରା ପରିବାର ବଞ୍ଚିଥିଲେ। ନିଜ ଦୁଃଖକୁ ମନେ ପକାଇ ସନ୍ତୋଷ କହନ୍ତି, ‘ଭଲ ଦିନରେ ଆମେ ଭାତ ଖାଉଥିଲୁ, ବାକି ଦିନରେ ଆମେ କେବଳ ଦଲିଆ ଖାଉଥିଲୁ। ଆମ ଘରେ କେବଳ ଅତିଥିମାନଙ୍କ ପାଇଁ ଚା’ ହେଉଥିଲା। ମୋତେ ସେତେବେଳେ ୭ ବର୍ଷ ବୟସ ହୋଇଥାଏ। ମୁଁ ଗୋଟିଏ ପ୍ୟାକେଟ୍ ବିସ୍କୁଟ ଓ ଚା ପାଇଁ ଘଣ୍ଟା ଘଣ୍ଟା ଧରି ଇଟା ଉଠାଇଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/d3563e07-164c-41f8-bcd7-23f2afd855e9.jpg)