କୋରିଆନ୍ ପପ୍ ବା କେ-ପପ୍ ସଂଗୀତ ସମଗ୍ର ପୃଥିବୀରେ ଚହଳ ପକାଇଥିବା ବେଳେ ଏହାକୁ ଅନୁକରଣ କରି ବିଭିନ୍ନ ଦେଶରେ ନୂଆ ନୂଆ ଗ୍ରୁପ୍ର ଉତ୍ଥାନ ଦେଖିବାକୁ ମିଳୁଛି। ସେ ମଧ୍ୟରୁ ଭାରତର ଏକ ନୂଆ ଇଣ୍ଡିଆନ୍-ପପ୍ ବା ଆଇ-ପପ୍ ଗ୍ରୁପ୍ ଭାବେ ‘ଡବ୍ୟୁ.ଆଇ.ଏସ୍.ଏଚ୍’ର ଉଚ୍ଚାକାଂକ୍ଷା ଉଲ୍ଲେଖନୀୟ। ଅଭିନବ ବ୍ୟକ୍ତିତ୍ବ ତଥା ଚିତ୍ତାକର୍ଷକ ପ୍ରଦର୍ଶନ ମାଧ୍ୟମରେ ଏହି ଗ୍ରୁପ୍ର ଚାରିଜଣ କଳାକାର ସମଗ୍ର ପୃଥିବୀର ଧ୍ୟାନ ଆକର୍ଷଣ କରିବାର ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ସଂଗୀତ ଗ୍ରୁପ୍ ଯାହାର ସମସ୍ତ ସଦସ୍ୟ ହେଉଛନ୍ତି ମହିଳା। ଏହାର ଚାରିଜଣ କଳାକାରଙ୍କ ନାମ ହେଉଛି ରି (ରିୟା ଦୁଗ୍ଗଲ), ଜୋ (ଜୋ ସିଦ୍ଧାର୍ଥ), ସିମ୍ (ସିମରନ ଦୁଗ୍ଗଲ) ଓ ସୁଚି (ସୁଚିତା ଶିର୍କେ)। ରି ଓ ସିମ୍ ହେଉଛନ୍ତି ଦୁଇ ଭଉଣୀ, ଯେଉଁମାନେ ବ୍ୟକ୍ତିଗତ ଭାବେ ହିନ୍ଦୀ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିସାରିଛନ୍ତି। ଜୋ ପୂର୍ବରୁ ବଡ଼ ବଡ଼ ସଂଗୀତଜ୍ଞମାନଙ୍କ ସହିତ କାମ କରିସାରିଛନ୍ତି। ସୁଚି ହେଉଛନ୍ତି ଜଣେ ନବାଗତା।
ସୋନି ମ୍ୟୁଜିକ୍ ଓ ପ୍ରସିଦ୍ଧ ସଂଗୀତଜ୍ଞ ମାଇକି ମାକ୍କ୍ଲିଆରିଙ୍କ ମିଳିତ ଉଦ୍ୟମରେ ଏହି ଗ୍ରୁପ୍ ଗଠନ କରାଯାଇଛି। ଗତ ମାର୍ଚ୍ଚ ପହିଲାରେ ‘ଵିସ୍’ର ପ୍ରଥମ ଗୀତ ‘ଲଜିଜ୍’ ମୁକ୍ତିଲାଭ କରିଥିଲା। ଏହି ଗୀତଟିକୁ ୟୁଟ୍ୟୁବ୍ରେ ୬୪ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଗତ ୧୧ ତାରିଖରେ ଏହାର ଦ୍ବିତୀୟ ଗୀତ ‘ଗଲତି’ ଆକର୍ଷଣୀୟ ଭିଡିଓ ସହିତ ମୁକ୍ତିଲାଭ କରିଛି।
ଏହି ଗ୍ରୁପ୍ ଦେଶର ସଂଗୀତ ଶିଳ୍ପର ନୂଆ ଯୁଗ ଆରମ୍ଭର ସଂକେତ ଏବଂ ଏହା ଭାରତରେ ପପ୍ ସଂଗୀତର ପୁନରୁତ୍ଥାନ କରିବ ବୋଲି ସମୀକ୍ଷକମାନେ କହୁଛନ୍ତି। ମୁଖ୍ୟତଃ ଯୁବଗୋଷ୍ଠୀ ଓ ଜେନ୍-ଜି ଶ୍ରୋତାଙ୍କ ମନୋରଂଜନ କରିବା ‘ଡବ୍ୟୁ.ଆଇ.ଏସ୍.ଏଚ୍’ (ସଂକ୍ଷେପରେ ‘ଵିସ୍’)ର ମୂଳ ଲକ୍ଷ୍ୟ। ଏହି ଗ୍ରୁପ୍ ନାମର ପୂରା ନାମ ହେଲା ‘ଵାର୍ଲଡ୍ ଇନ୍କା ଷ୍ଟେଜ୍ ହୈ’, ଅର୍ଥାତ୍ ସାରା ପୃଥିବୀ ହେଉଛି ଏମାନଙ୍କ ମଞ୍ଚ। ଏମାନଙ୍କ ଗୀତଗୁଡ଼ିକରେ ହିନ୍ଦୀ ସହିତ ଇଂରେଜୀ ପଦ ବ୍ୟବହାର କରାଯାଇଛି।