ନୂଆଦିଲ୍ଲୀ: ଆଜି ହେଉଛି ଆନ୍ତର୍ଜାତୀୟ ପଗଡି ଦିବସ ବା ଶିଖ ଦସ୍ତାର ଦିବସ। ଏହି ଦିନ ପ୍ରତ୍ୟେକ ଶିଖ୍ ପାଇଁ ଗୁରୁତ୍ବ ବହନ କରେ। ଏହି ଦିନକୁ ପାଳନ କରିବାକୁ ଯାଇ ୨୦୧୦ରେ ଆମେରିକା ବିମାନବନ୍ଦରରେ ନିଜ ସହ ଘଟିଥିବା ଘଟଣାକୁ ମନେ ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ। ଟ୍ବିଟ କରି ସେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇବା ସହ ଶିଖ୍ ଧର୍ମ ପ୍ରତି ସମ୍ମାନ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତି ଥିବା ସ୍ନେହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

Advertisment

ହରଦୀପ ସିଂହ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଦସ୍ତାର କିମ୍ବା ପଗଡି ବିଶ୍ବାସର ପ୍ରତୀକ ଏବଂ ଆମ ଶିଖମାନଙ୍କ ପାଇଁ ଗର୍ବ ଏବଂ ପରିଚୟର ପ୍ରତୀକ ଅଟେ। ୨୦୧୦ରେ ଆମେରିକା ବିମାନବନ୍ଦର‌ରେ ଥିବା ସୁରକ୍ଷାକର୍ମୀ ମୋତେ ପଗଡ଼ି କାଢ଼ିବାକୁ କହିଥିଲେ। ହେଲେ ମୁଁ ମୋ ପଗଡି କାଢ଼ିବାକୁ କିମ୍ବା କାହାକୁ ଛୁଇଁବାକୁ ଅନୁମତି ଦେଇନଥିଲି। ଅନ୍ୟ ଏକ ଟ୍ବିଟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଆମ ଶିଖ ଗୁରୁ ସାହିବଙ୍କ ପ୍ରତି ସର୍ବଦା ଶ୍ରଦ୍ଧା, ଶିଖ ସଂଗଠନର ସଦସ୍ୟମାନଙ୍କ ପ୍ରତି ସ୍ନେହ ଓ ଶିଖ ଧର୍ମ ପ୍ରତି ସମ୍ମାନ ରହିଆସିଛି।

ତେବେ ୨୦୧୦ରେ ହରଦୀପ ପୁରୀ ମିଳିତ ଜାତିସଂଘରେ ଭାରତର ଦୂତ ଥିଲେ। ନଭେମ୍ବର ୧୩ରେ ଟେକ୍ସାସର ଅଷ୍ଟିନ ବିମାନବନ୍ଦରରେ ଆମର ନୂତନ ପ୍ରକ୍ରିୟା ଅଛି ବୋଲି କହି ହରଦୀପ ସିଂହଙ୍କ ସ୍କ୍ରିନିଂ କରିବାକୁ ସୁରକ୍ଷାକର୍ମୀ କହିଥିଲେ। ସ୍କାନର ମଧ୍ୟ ଦେଇ ହରଦୀପ ସିଂହ ପୁରୀ ଯିବା ପରେ ସୁରକ୍ଷାକର୍ମୀ ତାଙ୍କୁ ମୁଣ୍ଡରୁ ପଗଡ଼ି କାଢ଼ିବାକୁ କହିଥିଲେ। ହେଲେ ଏଭଳି କରିବାକୁ ହରଦୀପ ସିଂହ ପୁରୀ ସଫା ସଫା ମନା କରିଦେଇଥିଲେ।