୫ଦିନ ଉପାସରେ ରହି ଗୁଳିଗୋଳା ବୋହି ଚାଲିଛୁ। ପଚାମାଂସ ଖାଇ ପୋଖରୀ ପାଣି ପିଇଛୁ। ସାଥି ସୈନିକର ମୁଣ୍ଡ ଉଡ଼ିଯାଇଛି, ତାକୁ ସେଇଠି ଛାଡ଼ି ଆଗକୁ ବଢ଼ିଛୁ। ୧୯୭୧ ମସିହା ଯୁଦ୍ଧ ଅନେକ ଅନୁଭୂତି ଦେଇଛି। ହେଲେ ବିଜୟଲାଭ ପରେ ଫେରିବା ବେଳେ ଦେଶବାସୀଙ୍କ ସ୍ବାଗତ, ସ୍ନେହ, ଶ୍ରଦ୍ଧା ଯୁଦ୍ଧର କଷ୍ଟକୁ ହଜାଇ ଦେଇଛି। ୧୯୬୯ରେ ମୁଁ ୬ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲି। ୧୯୭୦ ମସିହାରେ ନାଗାଲାଣ୍ଡର ଦିମାପୁରରେ ପୋଷ୍ଟିଂ ମିଳିଥିଲା। ସେତେବେଳେ ନାଗା ଉଗ୍ରପନ୍ଥୀଙ୍କ ଉପଦ୍ରବ ବଢ଼ିଥିବାରୁ ସେମାନଙ୍କୁ ଦମନ ଦାୟିତ୍ବ ଆମ ରେଜିମେଣ୍ଟକୁ ଦିଆଯାଇଥିଲା। ୪/୫ ମାସ ପରେ ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଯାଇଥିଲା। ଆମକୁ ବାଂଲାଦେଶ ସୀମାର ତୁରା ସେକ୍ଟର୍‌କୁ ପଠାଗଲା। ବାଂଲାଦେଶ ମୁକ୍ତିବାହିନୀ ସହ ମିଶି ଆମକୁ ମୁକ୍ତିବାହିନୀ (ମିତ୍ରବାହିନୀ) ସାଜି ଲଢ଼େଇ କରିବାକୁ ପଡ଼ିବ। ସେମାନଙ୍କ ଭଳି ଆମକୁ ଲୁଙ୍ଗି ପିନ୍ଧି ରହିବାକୁ ପଡ଼ିଲା। ସେମାନେ ଲୁଙ୍ଗି ଓ ସାଧାରଣ ପୋଷାକ ପିନ୍ଧୁଥିବା ବେଳେ ଆମେ ଲୁଙ୍ଗି ସହ ହାଫ୍‌ସାର୍ଟ ଓ କାନ୍ଧରେ ଏକ ଝୁଲାବ୍ୟାଗ୍ ପକାଉଥିଲୁ। ସମ୍ପୂର୍ଣ ଏକ ନୂଆ ଜୀବନ ନେଇ ସେଠାରେ ବଞ୍ଚିବାକୁ ପଡ଼ିଲା।

Advertisment

ନଭେମ୍ବର ମାସରେ ଆମ ରେଜିମଣ୍ଟ ସିଲଂ ଗଲା। ରାସ୍ତା କାଟିଦିଆଯାଇଥିବାରୁ ଆମକୁ ଲଞ୍ଚରେ ବ୍ରହ୍ମପୁତ୍ର ନଦୀ ପାରହେବାକୁ ପଡ଼ିଲା। ଆରପଟକୁ ଯିବା ପରେ ଡିସେମ୍ବର ୫ ତାରିଖ ରାତିରୁ ଚାଲିବା ଆରମ୍ଭ ହୋଇଗଲା। ଗୁଳିଗୋଳା ବୋହି ପ୍ରାୟ ୧୫୦ କିଲୋମିଟର ଚାଲିବାକୁ ପଡ଼ିଲା। ପାକିସ୍ତାନ ସୈନ୍ୟଙ୍କ ସହ ରାସ୍ତାରେ ଘମାଘୋଟ ଲଢ଼େଇ ହେଲା। ୫୦/୬୦ ଜଣ ଶତ୍ରୁ ସୈନିକଙ୍କୁ ମାରିଲୁ, ଆମ ବାଟାଲିଅନ୍ ୧୪ଜଣ ସୈନିକଙ୍କୁ ହରାଇଲା। ବାଂଲାଦେଶର ମଇମନ୍ ସିଂ ଜିଲ୍ଲାରେ ଯାଉଥିବା ବେଳେ ସବୁ ଖାଦ୍ୟ ସରିଗଲା। ଡିସେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ କିଛି ଖାଇନଥିଲୁ। ରାସ୍ତାରେ ପଡୁଥିବା ଖାଲ-ଗଡ଼ିଆରୁ ପାଣି ପିଇ ଆଗକୁ ବଢ଼ିଲୁ। ୯ ତାରିଖ ରାତିରେ ଆମ ପାଖରେ କମ୍ପାନି ଗାଡ଼ି ପହଞ୍ଚିଲା। ସେଥିରେ ୫ ତାରିଖ ଦିନ ଲଦା ହୋଇଥିବା ମାଂସ ଥିଲା। ଭୋକରେ ପେଟ ଆଉଟୁପାଉଟୁ ହେଉଥିବାରୁ ସେଇ ୫ଦିନ ପୁରୁଣା ପଚାମାଂସ ଖାଇଲୁ। କାଦୁଅ ହାତ ଧୋଇବାକୁ ପାଣି ନ ଥିବାରୁ ପକେଟରୁ ମଇଳା ରୁମାଲ୍ କାଢ଼ି ତା’ରି ଉପରେ ପଚାମାଂସ ରଖି ଖାଇଲୁ। ଯୁଦ୍ଧ ଜିତିବା ପରେ ସେଠି ୪ ମାସ ଜଗି ୧୯୭୨ ଏପ୍ରିଲ୍‌ରେ ଦେଶକୁ ଫେରିଲୁ।

ଯୁଦ୍ଧବେଳେ ଅନେକ କଷ୍ଟ ଭୋଗିଛୁ, ସାଥୀଙ୍କୁ ହରାଇଛୁ। ମୋ ପାଖରେ ଥିବା ଜଣେ ସାଥୀର ମୁଣ୍ଡ ଖପୁରି ଉଡ଼ିଯିବା ଦୃଶ୍ୟ ସାରା ଜୀବନ ଭୁଲି ହେବନି। ହେଲେ ବିଜୟଲାଭ କରି ଫେରିବା ବେଳେ ରାସ୍ତା ସାରା ମିଳିଥିବା ସ୍ବାଗତ ଓ ଗାଁରେ ପହଞ୍ଚିବା ପରେ ଯୁଦ୍ଧ କାହାଣୀ ଶୁଣିବାକୁ ଗାଁ ଲୋକଙ୍କ ଭିଡ଼, ଯୁଦ୍ଧର ସବୁ କଷ୍ଟକୁ ଛୋଟ କରିଦେଇଛି।

ସୁବେଦାର କୈଳାସ ଚନ୍ଦ୍ର ବିଶ୍ବାଳ 
୬ ବିହାର ରେଜିମେଣ୍ଟ