ବର୍ତ୍ତମାନ ସମୟରେ ୧୯୭୧ ମସିହା ଯୁଦ୍ଧ ଲଢ଼ିବା ବେଳର ସ୍ମୃତି ତାଜା ହୋଇଯାଇଛି। ସେତେବେଳେ ଦେଶକୁ ସବୁଠାରୁ ବଡ଼ ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା। ପହଲଗାମ୍ ନରସଂହାର ଶୁଣିବା ପରଠାରୁ ରକ୍ତ ଗରମ ହୋଇଯାଉଛି। ଏ ବୟସରେ ବି ସୁଯୋଗ ମିଳିଲେ କରାଚୀ ବନ୍ଦରରେ ପଶି ୧୯୭୧ ମସିହା ଭଳି ନିଆଁ ଲଗାଇଦେବାକୁ ଇଚ୍ଛା ହେଉଛି। ୧୯୬୮ ମସିହାରେ ମାତ୍ର ୧୬ ବର୍ଷ ବୟସରେ ନୌସେନାରେ ଯୋଗ ଦେଇଥିଲି। ଦେଢ଼ ବର୍ଷ ତାଲିମ ନେବା ପରେ ୧୯୭୦ ଫେବ୍ରୁଆରି ମାସରେ ବମ୍ବେରେ ଆଇଏନ୍ଏସ୍ ‘କିଲଟନ୍’ରେ ସିଗ୍ନାଲମ୍ୟାନ୍ ଭାବେ ଯୋଗ ଦେଲି। ଡିସେମ୍ବରରେ ଯୁଦ୍ଧ ଆରମ୍ଭ ହେବାକୁ ବେଳକୁ ମୁଁ ଆମ ଜାହାଜରେ ସର୍ବକନିଷ୍ଠ ନୌସୈନିକ। ୧୯୭୧ ମସିହା ମେ-ଜୁନ୍ ବେଳକୁ ଆମର ସମରାଭ୍ୟାସ ଆରମ୍ଭ ହୋଇଗଲା। ଜାହାଜ ପ୍ରାୟ ସବୁବେଳେ ମଝି ସମୁଦ୍ରରେ ରହିଲା। ସେଇ ୩/୪ ମାସ ଭିତରେ ବୋଧେ ଆମେ ମାତ୍ର ୧୫ ଦିନ କୂଳକୁ ଆସିଥିଲୁ। ୧୯୭୧ ଡିସେମ୍ବର ୩ ତାରିଖ ରାତିରେ ହଠାତ୍ ପାକିସ୍ତାନର ଯୁଦ୍ଧ ବିମାନ ଭାରତର ପଶ୍ଚିମ ସୀମାରେ ବୋମାମାଡ଼ କଲା। ଏହା ଆମକୁ ଯୁଦ୍ଧ ପାଇଁ ସିଧା ନିମନ୍ତ୍ରଣ ଥିଲା। ଠିକ୍ ତା’ ପରଦିନ ଡିସେମ୍ବର ୪ ତାରିଖ ଅପରାହ୍ନ ୨ଟା ବେଳେ ଆମ କମାଣ୍ଡିଂ ଅଫିସର୍ କମାଣ୍ଡର୍ କେ.ପି ଗୋପାଲରାଓ ଜାହାଜର କ୍ବାଟର୍ଡେକ୍ (ପଛପଟ ଡେକ୍)ରେ ଏକ ମିଟିଂ ଡାକି ସମସ୍ତଙ୍କୁ କହିଲେ, ‘friends, time has come to prove ourselves, be ready to show your potentiality.’ ଆମେ ସମସ୍ତେ ଯୁଦ୍ଧକୁ ଯାଉଛୁ ବୋଲି ତାଙ୍କର ଏ କେଇପଦ କଥା ସ୍ପଷ୍ଟ ଇସାରା ଦେଇଥିଲା। ରାତିରେ ଆମ ଜାହାଜ (ପେଟିଆ ଶ୍ରେଣୀ) ସହିତ ଆଇଏନ୍ଏସ୍ କଚ୍ଛଲ୍ ଓ ମିସାଇଲ୍ ବୋଟ୍ ନିର୍ଘଣ୍ଟ, ନିପାତ ଓ ନିର୍ଭୟ କରାଚୀ ଅଭିମୁଖେ ବାହାରିଥିଲେ। ‘ଷ୍ଟିଅରିଂ ସିପ୍’ ଭାବେ ଆମ ଜାହାଜର କମାଣ୍ଡିଂ ଅଫିସର୍ ଗୋପାଲରାଓଙ୍କ ନେତୃତ୍ବରେ ଏ ସମସ୍ତ ଜାହାଜ ବାହାରିଥିଲା।
ଆମ ଜାହାଜରେ ସେତେବେଳେ ଆମେ ମୋଟ ୧୭୦ ଜଣ ସୈନିକ ଥିଲୁ। ୪ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ପାକିସ୍ତାନର କରାଚୀ ବନ୍ଦର ନିକଟରେ ପହଞ୍ଚି ଯାଇଥିଲୁ। ଆମ ଟିମ୍ ପ୍ରଥମେ ନୌସେନାର ବ୍ୟାଟେରି (ବନ୍ଦର ସୁରକ୍ଷା ପାଇଁ ସମୁଦ୍ରରେ ଥିବା ତୋପ) ଉପରେ ୩ଟି ମିସାଇଲ ମାଡ଼ କଲା। ବ୍ୟାଟେରି ବିରାଟ ବିସ୍ଫୋରଣ କରି ଜଳିବା କ୍ଷଣି ଆମର ୩ଟି ଯାକ ମିସାଇଲ୍ ବୋଟ୍- ନିର୍ଘଣ୍ଟ, ନିପାତ ଓ ନିର୍ଭୟ ଏକାବେଳକେ କରାଚୀ ବନ୍ଦର ଭିତରେ ପଶିଲେ। ମାତ୍ର ୧୫ ମିନିଟ ଭିତରେ ୧୫ଟି ମିସାଇଲ୍ ମାରି ସେମାନେ ବନ୍ଦର ଭିତରୁ ବାହାରି ଆସିଥିଲେ। କରାଚୀରେ ଯେମିତି ଧ୍ବଂସ ଛାଇଗଲା। କରାଚୀ ବନ୍ଦର ଓ କରାଚୀ ସହର ସାଙ୍ଗକୁ ଉପକୂଳର ପାଣି ବି ହୁହୁ ହୋଇ ଜଳିଥିଲା। ଧ୍ବଂସର ନିଆଁ ପ୍ରାୟ ୫୦ କିଲୋମିଟର ଦୂରକୁ ଦିଶିଥିଲା। କରାଚୀ ଜଳୁଥିବା ବେଳେ ଆମର ୫ଟି ଜାହାଜ ଓଖା ବନ୍ଦର ଅଭିମୁଖେ ବାହାରିଲା। ହେଲେ, ରାତି ୪ଟା ବେଳେ ଆମ ଜାହାଜର ଇଞ୍ଜିନ ହଠାତ୍ ଖରାପ ହୋଇଯାଇଥିଲା। ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ ହେଲାନି। ସେତେବେଳକୁ ଅନ୍ୟ ଜାହାଜଗୁଡିକ ଦୂରକୁ ଚାଲି ଗଲେଣି। ପାକିସ୍ତାନରେ ଆମେ ଯେଉଁ କାଣ୍ଡ କରିକି ଫେରୁଥିଲୁ, ସେମାନେ ନିଶ୍ଚୟ ଆମ ପିଛା କରୁଥିବେ। ସେମାନଙ୍କ ଆକ୍ରମଣର ଭୟ ସାଙ୍ଗକୁ ଆମ ଇଞ୍ଜିନ୍ ଖରାପ ହେବା; ଆମ ପାଇଁ ଯେମିତି ପ୍ରତି ମୁହୂର୍ତ୍ତରେ ବିପଦକୁ ଡାକୁଥିଲା। ଅନ୍ୟ କିଛି ରାସ୍ତା ନ ଥିବାରୁ ଶତ୍ରୁ ରାଡାର୍ରେ ଧରା ନପଡ଼ିବା ପାଇଁ ଆମ ଜାହାଜର ସବୁ ଲାଇଟ୍, ରାଡାର ଓ ରେଡିଓ ଉପକରଣ ବନ୍ଦ କରିଦେଲୁ। ସକାଳ ୧୦ଟାରେ ଇଞ୍ଜିନ୍ ଠିକ ହେଲା, ଆମେ ବମ୍ବେ ଫେରିଲୁ। ଆମ ଜାହାଜ ଖରାପ ହେବା ଖବର ଆଗରୁ ବମ୍ବେରେ ପହଞ୍ଚି ସାରିଥିଲା। ଆମେ ବମ୍ବେରେ ପହଞ୍ଚିବା ବେଳକୁ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟ ମେରାଇନ୍ ଡ୍ରାଇଭ୍ରେ ଯେମିତି ପୂରା ବମ୍ବେ ସହର ଆମକୁ ସ୍ୱାଗତ କରିବାକୁ ଠିଆହୋଇଥିଲା। ପୂରା ମେରାଇନ୍ ଡ୍ରାଇଭ୍ କରତାଳି ଦେଇ ଆମକୁ ସ୍ବାଗତ କରିଥିଲା। ସେତେବେଳର ରୋମାଞ୍ଚକର ମୁହୂର୍ତ୍ତ ବର୍ଣ୍ଣନା କରିବା ସମ୍ଭବ ନୁହେଁ।
ସେଦିନ ସନ୍ଧ୍ୟାରେ ସମସ୍ତଙ୍କୁ ୟୁନିଫର୍ମ ପିନ୍ଧି ବାହାରକୁ ଯିବାକୁ ନିର୍ଦ୍ଦେଶ ଥିଲା। ଡକ୍ୟାର୍ଡରୁ ନେଭି ହାଉସ୍ (ତତ୍କାଳୀନ ନାଭାଲ୍ ଇନ୍ଷ୍ଟିଚ୍ୟୁଟ୍) ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରତ୍ୟେକ ଦୁଆରମୁହଁରେ ଦୀପ ଜଳାଇ, ଆମ ଉପରକୁ ଫୁଲ ପକାଇ ବମ୍ବେବାସୀ ସ୍ବାଗତ କରିଥିଲେ। ରାସ୍ତାରେ ଚାଲିଚାଲି ଯିବା ବେଳେ ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଆମ ଦେଶବାସୀଙ୍କର ସେନାବାହିନୀ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି। ସେନାବାହିନୀ ବି କେବେ ସେମାନଙ୍କ ବିଶ୍ବାସ ଭାଙ୍ଗିବାକୁ ଦେଇ ନାହିଁ। ବର୍ତ୍ତମାନ ଯେଉଁଭଳି ଆମ ଭଉଣୀମାନଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ଦିଆଗଲା, ତା’ର ପାଲଟା ଜବାବରେ ଚାଲିଥିବା ‘ଅପରେସନ୍ ସିନ୍ଦୂର୍’ କେବଳ ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିବାରେ ସୀମିତ ନ ରହୁ। ଏଇ ସୁଯୋଗରେ ସେନାବାହିନୀ ପିଓକେ ଫେରାଇ ଆଣି ଦେଶବାସୀଙ୍କୁ ଉପହାର ଦେଉ। ସରକାର ବି ଏଥିରେ ପୂର୍ଣ୍ଣ ସହଯୋଗ କରନ୍ତୁ।
ସନାତନ ସାହୁ
(ଏକ୍ସ-ପି.ଓ, କମୁନିକେଟର୍)
ଆଇଏନ୍ଏସ୍ ‘କିଲଟନ୍’