ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ନିକଟରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ଶ୍ରୀ ଜେନାଙ୍କର ଶକ୍ତି ବିଭାଗ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଶାସନିକ ମୁଖ୍ୟ ଭାବେ ଦୀର୍ଘଦିନର କାର୍ଯ୍ୟ ଅଭିଜ୍ଞତା ରହିଛି। ତାଙ୍କ କାର୍ଯ୍ୟକାଳର କିଛି ଅଭୁଲା କଥା, ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ଟାଟା ପାୱାର୍‌ ବିରୋଧରେ ଆସୁଥିବା ଅଭିଯୋଗ, ରାଜ୍ୟରେ ଉପୁଜିଥିବା ସ୍ମାର୍ଟ ମିଟର୍‌ ବିବାଦ, ଅନୈତିକ/ଅଘୋଷିତ ବିଦ୍ୟୁତ୍ କାଟ ଏବଂ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଧିକାର ସୁରକ୍ଷା ଆଦି ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ଆପଣ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ଓଇଆର୍‌ସି ବିଭିନ୍ନ କାରଣରୁ ବିବାଦରେ ଛନ୍ଦିହୋଇ ରହିଛି। ଏବେ ସ୍ମାର୍ଟ ମିଟର୍‌କୁ ନେଇ ବିବାଦ ଚାଲିଥିବା ବେଳେ ବିଦ୍ୟୁତ୍ ଉପଭୋକ୍ତା ଆବଣ୍ଟନକାରୀ ସଂସ୍ଥା ଟାଟା ପାୱାର୍‌ ମନମୁଖୀ କାରବାର ଚଳାଇଛି ବୋଲି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ?
ମୁଁ ଶକ୍ତି ବିଭାଗର ସଚିବ ଥିଲାବେଳେ ପ୍ରଥମେ ସରକାରୀ କାର୍ଯ୍ୟାଳୟରେ ସ୍ମାର୍ଟ ମିଟର୍‌ ବ୍ୟବହାର ଉପରେ ପରୀକ୍ଷାନିରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇ ଏହାକୁ କାର୍ଯ୍ୟକାରୀ କରାଇଥିଲି। କାରଣ ସରକାରୀ କାର୍ଯ୍ୟାଳୟ‌େର ବରିଷ୍ଠ ଅଫିସର୍‌ଙ୍କଠାରୁ ନେଇ ଚତୁର୍ଥ ‌େଶ୍ରଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବିଦ୍ୟୁତ୍ ଅପଚୟ କରିଥାନ୍ତି। ଏହାକୁ ନିୟନ୍ତ୍ରଣ କରି ସରକାରଙ୍କ ବିଦ୍ୟୁତ୍‌ ଖର୍ଚ୍ଚ ହ୍ରାସ କରିବା ପାଇଁ ମୁଁ ସ୍ମାର୍ଟ ମିଟର୍‌ ପ୍ରଚଳନ କରିଥିଲି। କିନ୍ତୁ ଏବେ ଶୁଣୁଛି, ଏହି ସ୍ମାର୍ଟ ମିଟର୍‌ ବର୍ତ୍ତମାନ ଉପଭୋକ୍ତାଙ୍କ ଘରେ ଜୋରଜବରଦସ୍ତି ଲଗାଯାଉଛି। ଉପଭୋକ୍ତା ଅଭିଯୋଗ କରୁଛନ୍ତି ସ୍ମାର୍ଟ ମିଟର୍‌ ଯୋଗୁଁ ବିଦ୍ୟୁତ୍ ବିଲ୍‌ ଦେୟଅର୍ଥ ବୃଦ୍ଧିପାଇଛି। ଏହାକୁ ନେଇ ଜନଅ‌ସନ୍ତୋଷ ତେଜିବାରେ ଲାଗିଛି। ଦାୟିତ୍ବ ଗ୍ରହଣ କରିବା ପରେ ମୁଁ ଏ ଅଭିଯୋଗର ସମୀକ୍ଷା କରିବି। ସ୍ମାର୍ଟ ମିଟର୍‌ର କାର୍ଯ୍ୟଦକ୍ଷତା ଅନୁଧ୍ୟାନ କରାଯିବା ଆବଶ୍ୟକ। ସ୍ମାର୍ଟ ମିଟର୍‌ ବିଷୟରେ ଲୋକଙ୍କ ମନରେ ଥିବା ଦ୍ବନ୍ଦ୍ବ ଓ ଆଶଙ୍କା ଦୂର କରାଯିବା ଉଚିତ। ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ଉପରେ ପ୍ରାଥମିକତା ଦେବା ଜରୁରି। ଏ କଥା ବିଦ୍ୟୁତ୍ ଆବଣ୍ଟନକାରୀ କଂପାନି ମନେରଖିବା ଉଚିତ।

୨୦୧୦ ମସିହାରୁ ବିଜିନେସ୍ ପ୍ଲାନ୍ ଓ ବହୁବର୍ଷୀୟ ଟାରିଫ୍ ନୀତିକୁ ସଂପୂର୍ଣ୍ଣ ଅଣଦେଖା କରି ଅନ୍ୟାୟ ଭାବେ ବିଦ୍ୟୁତ୍‌ ଦର ଧାର୍ଯ୍ୟ ହେଉଛି। ଏହାର ନିରାକରଣ ପାଇଁ ଆପଣ କିଛି ପଦକ୍ଷେପ ଗ୍ରହଣ କରିବେ?
୨୦୦୮ ନଭେମ୍ବର ୨୨ରେ ମୁଁ ଶକ୍ତି ବିଭାଗ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲି। ୨୦୦୯ ମସିହାରେ ମୋ କାର୍ଯ୍ୟକାଳରେ ରାଜ୍ୟ ସରକାର ପ୍ରଥମେ ବିଦ୍ୟୁତ୍ ବିତରଣ କଂପାନିରେ ପୁଞ୍ଜି ବିନିଯୋଗ (କ୍ୟାପେକ୍ସ) ଆରମ୍ଭ କରିଥିଲେ। ବିଗତ ୧୦/୧୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏ ଦିଗରେ କୋଟି କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛନ୍ତି। ମୁଁ ମୁଖ୍ୟ ଶାସନ ସଚିବ ଥିବା ସମୟରେ ଟାଟା କଂପାନିଠାରୁ ପାଖାପାଖି ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରାଇ ଆଣିଥିଲି। ତେଣୁ ବର୍ତ୍ତମାନ ପୁଞ୍ଜି ବିନିଯୋଗ ଟାରିଫ୍‌ ଉପ‌େର ଏହାର କି ପ୍ରଭାବ ରହିଛି ତାହା ଅନୁଧ୍ୟାନ କରିବା ସମୟ ଆସିଛି।

ବିଦ୍ୟୁତ୍ ନିୟାମକ ଆୟୋଗ ନିର୍ଣ୍ଣୟ କରିଥିବା ହାରାହାରି ଟାରିଫ୍‌ଠାରୁ ଆବଣ୍ଟନ କଂପାନିଗୁଡ଼ିକ ଅଧିକ ହାରାହାରି ଟାରିଫ୍ ଆଦାୟ କରୁଛନ୍ତି। ବିଦ୍ୟୁତ୍ ଆଇନ ୬୨(୬) ଧାରା ଅନୁସାରେ ଏହା ବେଆଇନ। ଏ କ୍ଷେତ୍ରରେ ଟାରିଫ୍ ବାବଦରେ ଉପଭୋକ୍ତାଙ୍କଠାରୁ ଆଦାୟ ହୋଇଥିବା ଅଧିକ ଟଙ୍କା ସୁଧ ସହ ଫେରାଇବାର ନିୟମ ରହିଛି। ଏହା କାର୍ଯ୍ୟକାରୀ ହୋଇପାରିବ କି?
ମୁଁ ଦାୟିତ୍ବ ଗ୍ରହଣ କରିବା ପରେ ସେ ସବୁ ଅନୁଧ୍ୟାନ କରି ଆଇନଗତ ପରିଧି ଭିତରେ ଯାହା ସମ୍ଭବ ତାହା କରିବି। ଉପଭୋକ୍ତାଙ୍କ ମଙ୍ଗଳ ପାଇଁ ପଦକ୍ଷେପ ନେଇ ମୁଁ କାର୍ଯ୍ୟକ୍ରମ ଆରମ୍ଭ କରିବି। ଏମିତି ଅନେକ ପ୍ରସଙ୍ଗ ଅଛି ଯାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଆଲୋଚନା କରିହେବ ନାହିଁ। କିନ୍ତୁ, ଓଇଆର୍‌ସି ଅଧ୍ୟକ୍ଷ ଭଳି ଏକ ଦାୟିତ୍ବସଂପନ୍ନ ପଦବିରେ ଅବସ୍ଥାପିତ ହୋଇଥିବା ହେତୁ ମୁଁ ନିଶ୍ଚିତ ଭାବେ ଉପଭୋକ୍ତାମାନଙ୍କ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିବି।

ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ କିନ୍ତୁ ଆଜି ବି କଟକ-ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି। ଗ୍ରାମାଞ୍ଚଳ କଥା ନ କହିବା ଭଲ। ପୁଣି ରକ୍ଷଣାବେକ୍ଷଣ ନାଁ’ରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାସକୁ ପ୍ରାୟ ଦୁଇରୁ ତିନିଥର ୬ ଘଣ୍ଟାରୁ ଊର୍ଦ୍ଧ୍ବ ବିଦ୍ୟୁତ୍ କାଟ ହେଉଛି। ଏହା ବେଆଇନ ନୁହେଁ କି? ଉପଭୋକ୍ତାମାନଙ୍କ ଏହି ଅଧିକାରକୁ ଆପଣ କିଭଳି ସୁରକ୍ଷା ଦେବେ?
ଭଲ ପ୍ରଶ୍ନ ଓ ପ୍ରସଙ୍ଗ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଥରେ ମୁଁ ବିଳମ୍ବିତ ରାତିରେ ଶୋଇଥିଲି। ଗରମ ‌ହେବାରୁ ନିଦ ଭାଙ୍ଗିଲା। ଦେଖିଲି ସକାଳ ନଅଟା। ମୁଁ ପତ୍ନୀଙ୍କୁ ପଚାରିଲି, କ’ଣ ଲାଇନ୍ ନାହିଁ! ସେ ପରିହାସ କରି କହିଲେ ରାତି ତିନିଟାରୁ ଲାଇନ୍ ନାହିଁ, ତମେ ଏଇନେ ଜାଣିଲ! ତା’ପରେ ମୁଁ ମୋର ‘ଏକ୍ସ’ ଆକାଉଣ୍ଟ୍‌ରେ ବିଦ୍ରୂପାତ୍ମକ ମତ ଲେଖିଲି- ରକ୍ଷଣାବେକ୍ଷଣ ପାଇଁ ଟାଟା ପାୱାର୍ କଂପାନି ଛ’ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିଦ୍ୟୁତ୍ କାଟ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଲୋକଙ୍କୁ ନ ଜଣାଇ ରାତିରୁ ବିଦ୍ୟୁତ୍ କାଟ୍‌ କରିବା କେତେ ସ୍ବାଗତଯୋଗ୍ୟ? ମୋର କହିବା କଥା ହେଉଛି, ଯଦି ରକ୍ଷଣା‌ବେକ୍ଷଣା ପାଇଁ ବିଦ୍ୟୁତ୍ କାଟ କରାଯାଉଛି, ତେବେ ସେଥିରେ ଆପତ୍ତି ନାହିଁ। କିନ୍ତୁ ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ କେତେ ସମୟ ବିଦ୍ୟୁତ୍ କାଟ୍‌ ହେବା ଦରକାର ତାହା ନିର୍ଦ୍ଦିଷ୍ଟ ଭାବରେ ନିଶ୍ଚିତ ସ୍ଥିର ହେବା ଉଚିତ ଏବଂ ଘୋଷଣା କରାଯିବା ମଧ୍ୟ ଆବଶ୍ୟକ। ରକ୍ଷଣାବେକ୍ଷଣ ନାମରେ ମନଇଚ୍ଛା ଆବଶ୍ୟକତା ଠାରୁ ଅଧିକ ଥର ବିଦ୍ୟୁତ୍ କାଟ ଅଗ୍ରହଣୀୟ ଓ ଅନୈତିକ। ଏହା ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଧିକାର କ୍ଷୁଣ୍ଣ କରୁଛି। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ମୁଁ ଶକ୍ତି ବିଭାଗରେ ଦୀର୍ଘବର୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବାରୁ ମୋର ଆଶା ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଅଧିକାର ଓ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିବି।

ଶେଷରେ ଗୋଟିଏ ବ୍ୟକ୍ତିଗତ ପ୍ରଶ୍ନ। ଆପଣ ଜଣେ ଭଲ ଛାତ୍ର ଥିଲେ, ତେଣୁ ସ୍କୁଲ୍‌ ଜୀବନକୁ ନେଇ କିଛି ନିଆରା ଅନୁଭୂତି ପାଠକଙ୍କ ସହ ବାଣ୍ଟିବେ କି?
ହଁ। ମୁଁ ଆମ ଗଁା ପାଖରେ ଥିବା ଏକ ସ୍କୁଲ୍‌ରେ ପାଠ ପଢୁଥିଲି। ସ୍କୁଲ୍‌ଟି ଆମ ଘରଠାରୁ ପ୍ରାୟ ୪/୫ କି.ମି. ଦୂରରେ ଥି‌ଲା। ଦଶମ ଶ୍ରେଣୀ ବେଳକୁ ମୋତେ ମିଳୁଥିବା ଶିକ୍ଷାବୃତ୍ତି ଅର୍ଥକୁ ଏକାଠି କରି ବାପା ଗୋଟିଏ ହମ୍ବର୍ ସାଇକେଲ୍‌ କିଣି ଦେଇଥିଲେ। ବିଦ୍ୟାଳୟ ଜୀବନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ମୁଁ ଆଜି ସଫଳ ହୋଇଛି। ଶିକ୍ଷୟିତ୍ରୀ କୁମୁଦିନୀ ମିଶ୍ର ମୋତେ ସମୟାନୁବର୍ତ୍ତିତା ଜ୍ଞାନ ପ୍ରଦାନ କରିଥିଲେ। ତାହା ମୋ ଜୀବନକୁ ଆଗକୁ ନେଇ ଯାଇଥିଲା। ଏକଦା ବିଳମ୍ବ କାରଣରୁ ମୁଁ ସ୍କୁଲ୍‌ ଯାଇପାରି ନ ଥିଲି। ସେ ଘରକୁ ଆସି ମୋତେ କାଖେଇ ସ୍କୁଲ୍‌ ନେଇଥିଲେ। ଆଜି ବି ଏକଥା ମୋ ଆଖିକୁ ସଜଳ କରିଦିଏ। ଆମ ଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଁ ପ୍ରଥମ ବ୍ୟାଚ୍‌ ଛାତ୍ର ଥିଲି। ଏହି ବିଦ୍ୟାଳୟର ଝାଟିମାଟି ଘରକୁ ଆମେ ନିଜେ ନିର୍ମାଣ କରିଥିଲୁ। ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କର ଇଂରାଜୀ ଶିକ୍ଷାଦାନ ଯୋଗୁଁ ପରବର୍ତ୍ତୀ ସମୟରେ ମୁଁ ଜଣେ ଭଲ ଛାତ୍ର ହୋଇପାରିଥିଲି।

ପ୍ରଦୀପଙ୍କ ପଛକଥା
୧୯୬୪ ଜାନୁଆରି ୧ରେ ଢେଙ୍କାନାଳ ଜିଲ୍ଲା‌ର ଭୁବନ ନିକଟସ୍ଥ ବାଲିଝାଟି ଗାଁ’ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରଦୀପ କୁମାର ଜେନା। ସେମାନେ ଥିଲେ ଆଠ ଭାଇଭଉଣୀ। ଭଲ ପାଠ ପଢୁଥିବାରୁ ଜମିବାଡ଼ି ବିକ୍ରିକରି ତାଙ୍କ ବାପା ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ବି‌.ଜେ.ବି. କଲେଜରୁ ଆଇ.ଏସ୍‌ସି. ପାସ୍ କରିବା ପରେ ପ୍ରଦୀପ କେଉଁଝର କଲେଜରେ ଭୂତତ୍ତ୍ବ ବିଜ୍ଞାନରେ ବି.ଏସ୍‌ସି. ପଢ଼ିଥିଲେ। ତା’ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ଭୂତତ୍ତ୍ବ ବିଜ୍ଞାନରେ ଏମ୍.ଏସ୍‌ସି. ଅଧ୍ୟୟନ କରି ଟପ୍ପର୍‌ ହୋଇଥିଲେ। ଏମ୍.ଟେକ୍ କରିବା ପାଇଁ ଖଡ଼ଗପୁର ଆଇ.ଆଇ.ଟି.ରେ ପ୍ରଦୀପ କୁମାର ଜେନା ଯୋଗଦେଇଥିଲେ। ପଢ଼ା ସରିବା ପରେ ଓ.ଏନ୍‌.ଜି.ସି.ରେ ଦେଢ଼ବର୍ଷ ଚାକିରି କଲେ। ଏହାପରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୯୮ରେ ପ୍ରଶାସକ ଜୀବନ ଆରମ୍ଭ କରିଥିଲେ।
୧୯୯୧ରେ ସେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ (ପି.ଡି.ଡି.ଆର୍.ଡି.ଏ.) ଓ ଉପ-ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ଏହାପରେ ଜଣେ ଦକ୍ଷ ଅଧିକାରୀ ଭାବେ ସେ ପରିଚିତି ହାସଲ କରିଥିଲେ। ଦେଶର ୧୬ଟି ରାଜ୍ୟରେ କାର୍ଯ୍ୟରତ ୟୁ.ଏନ୍.ଡି.ପି. ବିପର୍ଯ୍ୟୟ ପ୍ରଶମନ ପରିଚାଳନା କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ ତଥା ମୁଖ୍ୟ ଭାବେ କାର୍ଯ୍ୟକରି ସେ ନିଜ ଦକ୍ଷତା ପ୍ରମାଣ କରିଛନ୍ତି। ୧୯୯୯ ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ଭାବେ ଏବଂ କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ସଚିବ ଭାବେ ଅତ୍ୟନ୍ତ ସଫଳତାର ସହ ଦାୟିତ୍ୱ ନିର୍ବାହକରି ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ। ପରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦବି ଅଳଙ୍କୃତ କରିଥିଲେ।