ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ପ୍ରାର୍ଥୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେଇଥାଆନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ସେମାନେ ନିଜନିଜ ସଂଘର୍ଷର କାହାଣୀ ବଖାଣିଥାଆନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀ ବି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସମସ୍ତେ କଠିନ ପରିଶ୍ରମ କରିଛନ୍ତି। କାହାକୁ ବି ଏହି ସଫଳତା ସହଜରେ ମିଳି ନାହିଁ।
ଏହି କ୍ରମରେ ଆଇଏଏସ୍ ହିମାଂଶୁ ଗୁପ୍ତାଙ୍କ ସଂଘର୍ଷର କାହାଣୀ ଏବେ ସାମ୍ନାକୁ ଆସିଛି।ଉତ୍ତରାଖଣ୍ଡର ଉଧମସିଂ ଜିଲ୍ଲାର ସୀତାରଗଞ୍ଜରେ ଜନ୍ମ ହୋଇଥିବା ହିମାଂଶୁ ବରେଲି ଜିଲ୍ଲାର ଏକ ଛୋଟ ସହର ସିରୋଲିରେ ବସବାସ କରନ୍ତି। ତାଙ୍କ ପିଲାଦିନ ଅନେକ ସଂଘର୍ଷ ଦେଇ ଗତି କରିଛି।
କାରଣ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ପ୍ରତିଦିନ ସ୍କୁଲ ଯିବାକୁ ହେଲେ ହିମାଂଶୁଙ୍କୁ ୭୦କିଲୋମିଟର ପଥ ଯାତ୍ରା କରିବାକୁ ପଡୁଥିଲା ।ପାଠପଢ଼ିବା ସହିତ ହିମାଂଶୁ ତାଙ୍କ ପିତାଙ୍କ ସହ ରାସ୍ତା କଡ଼ରେ ଏକ ଛୋଟ ଚା’ ଦୋକାନରେ ଚା’ ବି ବିକ୍ରି କରୁଥିଲେ। ଏଥିସହିତ ପରିବାରକୁ ସହାୟତା କରିବା ପାଇଁ ସେ ଟ୍ୟୁସନ ବି କରୁଥିଲେ।
ବହୁତ କଷ୍ଟରେ ହିମାଂଶୁ ଟଙ୍କା ଏକାଠି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରେ ପାଠପଢ଼ା ଶେଷ କରିଥିଲେ। ଏହାପରେ ସେ ଏକ ଭଲ ଚାକିରି ପାଇ ଯାଇଥିଲେ। ଏହାରି ଭିତରେ ସେ ୟୁପିଏସସି ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେବାକୁ ସ୍ଥିର କରିଥିଲେ।
ଏହାପରେ ହିମାଂଶୁ ବିନା କୋଚିଂରେ ତିନିଥର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଥମ ପ୍ରୟାସରେ ସେ ସିଭିଲ ସର୍ଭିସେସରେ ଉତ୍ତୀର୍ଣ୍ଣ ହେବାପରେ ଆଇଆରଟିଏସ ପାଇଁ ମନୋନୀତ ହୋଇଥିଲେ ।
ଏଥିରେ ସେ ସନ୍ତୁଷ୍ଟି ନପାଇବାରୁୂ ଦ୍ବିତୀୟଥର ପ୍ରସ୍ତୁତି ହୋଇ ୨୦୧୯ରେ ୟୁପିଏସସି ପରୀକ୍ଷାରେ ୩୦୯ ତମସ୍ଥାନ ପାଇ ଆଇପିଏସ୍ ହୋଇଥିଲେ। ଏହି ଫଳାଫଳକୁ ନେଇ ବି ହିମାଂଶୁ ଖୁସି ନଥିଲେ।
ତେଣୁ ତୃତୀୟଥର ସେ ପୁନର୍ବାର ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେଇଥିଲେ ଏବଂ ଶେଷରେ ୨୦୨୦ ମସିହାରେ ଅଲ ଇଣ୍ଡିଆ ୧୩୯ ତମ ସ୍ଥାନ ଅଧିକାର କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହେବାର ସ୍ବପ୍ନ ପୁରା କରିଥିଲେ ହିମାଂଶୁ।