ଜଣେ ସଫଳ ମହିଳା ଚାଷୀ ଭାବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଇଏଏସ୍‌ ଅଫିସରଙ୍କ ୨୮ ବର୍ଷୀୟ ଝିଅ ବୈଷ୍ଣବୀ ସିହ୍ନା!

ଯେଉଁଠି ଚାଷ କାମ କରିବାକୁ ଗାଁ ଗହଳିର ଯୁବକମାନେ ନାକ ଟେକୁଛନ୍ତି ସେଭଳି ସ୍ଥଳେ ଶିକ୍ଷିତ ଯୁବକ ଯୁବତୀମାନେ ବଡ଼ ବଡ଼ କମ୍ପାନିରେ ଚାକିରୀ ଛାଡ଼ି ଚାଷ କ୍ଷେତକୁ ନିଜର ନୂଆ କର୍ମଭୂମି ଭାବେ ବାଛି ନେଉଛନ୍ତି। ଏପରିକି ଶିକ୍ଷିତ ଯୁବତୀମାନେ ମଧ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଯାହା ଏବେ ଭାରତରେ ଚାଷକୁ ଏକ ନୂଆ ଦିଶା ଦେଖାଇଛି। ଆଉ ସେହିଭଳି ଜଣେ ସଫଳ ମହିଳା ଚାଷୀ ହେଉଛନ୍ତି ବୈଷ୍ଣବୀ ସିହ୍ନା।

ଉତ୍ତର ପ୍ରଦେଶର ବୈଷ୍ଣବି ସିହ୍ନା। ଜଣେ ପ୍ରଫେସନାଲ ଗଲ୍‌ଫ ପ୍ଲେୟାର ଭାବେ ପୂରା ଭାରତରେ ଜଣାଶୁଣା। ଆମେରିକାରେ ରହୁଥିବା ସମୟରେ ବୈଷ୍ଣବୀଙ୍କ ପରିଚୟ ଗଲ୍‌ଫ ଖେଳାଳି ଥିଲା । କିନ୍ତୁ ଭାରତରେ ପାଦ ଦେବା ପରେ ବୈଷ୍ଣବିଙ୍କ ପରିଚୟ ବଦଳିଯାଇଛି । ଭାରତରେ ବୈଷ୍ଣବୀଙ୍କୁ ଗଲ୍‌ଫ ଖେଳାଳୀ ନୁହେଁ ବରଂ ଜଣେ ସଫଳ ଚାଷୀ ଭାବେ ଏବେ ପୂରା ଦେଶ ଜାଣୁଛି। ୨୮ ବର୍ଷିୟା ବୈଷ୍ଣବୀ ୧୯୯୦ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ବାପା ଆଇଏଏସ ଅଫିସର ହୋଇଥିବାରୁ ବୈଷ୍ଣବୀଙ୍କ ପିଲାଦିନ ବେଶ ଆରାମରେ କଟିଥିଲା।

ଯୁକ୍ତ ଦୁଇ ପାଠପଢ଼ା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଚିକାଗୋ ଚାଲି ଯାଇଥିଲେ ବୈଷ୍ଣବୀ। ୫ ବର୍ଷ ପାଠପଢ଼ା ମଧ୍ୟରେ ଗଲ୍‌ଫ ଖେଳିବା ଆରମ୍ଭ କରିଥିଲେ ବୈଷ୍ଣବୀ। ଗଲ୍‌ଫ କୋର୍ଟରେ କଠିନ ପରିଶ୍ରମ କରିବା ପରେ ୨୦୧୩ରେ ପ୍ରଫେସନାଲ ଗଲ୍‌ଫ ଖେଳାଳି ଭାବେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ ବୈଷ୍ଣବୀ। ତେବେ ୨୦୧୫ରେ ଭାରତକୁ ଆସିବା ପରେ ବୈଷ୍ଣବୀଙ୍କ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ସାନ ଭଉଣୀ ସହ ମିଶି କିଛି ଦିନ ଇ-କମର୍ସ ବ୍ୟବସାୟରେ କାମ କରିବା ଆରମ୍ଭ କରିଥିଲେ। ହେଲେ ବନ୍ଦ କୋଠରୀରେ ବସି କାମ କରିବାକୁ ଆଦୌ ଚାହୁଁନଥିଲେ ବୈଷ୍ଣବୀ। କିଛି ନୂଆ କରିବାକୁ ଦେଖାଇବାକୁ ବୈଷ୍ଣବୀଙ୍କର ଇଚ୍ଛା ଥିଲା।

ଆଉ ବୈଷ୍ଣବୀଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ଆଗେଇ ଆସିଥିଲେ ଆଇଏଏସ ବାପା। ବୈଷ୍ଣବୀଙ୍କ କହିବା ଅନୁଯାୟୀ, ବାପାଙ୍କ ସାଙ୍ଗଙ୍କ ୪୦ ଏକର ଜମିରେ ଚାଷ କରିବାକୁ ଆଇଡ଼ିଆ ଦେଇଥିଲେ ତାଙ୍କ ବାପା। ଆଉ ଏଇଠୁ ଆରମ୍ଭ ହୋଇଥିଲା ବୈଷ୍ଣବୀଙ୍କ ନୂଆ ଯାତ୍ରା। ଗୋଟିଏ ବର୍ଷ ଜିରୋ ବଜେଟ ଚାଷ ଉପରେ ପ୍ରଶିକ୍ଷଣ ନେବା ପରେ ଆରମ୍ଭ କରିଥିଲେ ଚାଷ କାମ।ଯ ଯେହେତୁ ବାପାଙ୍କୁ ଦେଶୀ ଗାଈ ବହୁତ ପସନ୍ଦ ଥିଲା ତେଣୁ ଗାଈ ଫାର୍ମ କରି ବ୍ୟବସାୟ ଆରମ୍ଭ କରିବାକୁ କହିଥିଲେ। ୨୦୧୭ ମସିହାରେ ମାତ୍ର ୧୦ଟି ଗାଈ କିଣି ଫାର୍ମ ଆରମ୍ଭ କରିଥିଲେ ବୈଷ୍ଣବୀ। ଯାହା ଏବେ ୨୧ରେ ପହଞ୍ଚିଛି। ପ୍ରତି ଗାଈ ଦିନକୁ ୫୦ରୁ ୬୦ ଲିଟର କ୍ଷୀର ଦେଉଛନ୍ତି।

ଗୋ-ପାଳନ ସହ ଜିରୋ ବଜେଟ ଚାଷ କାମ ମଧ୍ୟ କରୁଛନ୍ତି ବୈଷ୍ଣବୀ। ଏବେ ଗାଈ ଗୋବରରୁ ଜୈବିକ ସାର ପ୍ରସ୍ତୁତ କରି ପ୍ରାକୃତିକ ଉପାୟରେ ଚାଷ କାମ କରୁଛନ୍ତି ବୈଷ୍ଣବୀ। ୨୦୧୮ରେ ଗାଈ ସଂଖ୍ୟା ୧୨୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧ କୋଟି ୪୦ ଲକ୍ଷ୍ୟ ଟଙ୍କାର ବ୍ୟବସାୟ କରିବାକୁ ଟାର୍ଗେଟ ରଖାଯାଇଛି। ବୈଷ୍ଣବୀଙ୍କ କହିବା ଅନୁଯାୟୀ, ଆଗକୁ ମଧ୍ୟ ଜୈବିକ ଉପାୟରେ ଚାଷ କାର୍ଯ୍ୟକୁ ଆଗକୁ ବଢ଼ାଇବେ। ଏହି କାମରେ ମୋ ବାପା ମା’ ଖୁସି ଅଛନ୍ତି କିନ୍ତୁ ଜେଜେ ବାପା ଓ ଜେଜେ ମା’ ଆଦୌ ଖୁସି ନାହାନ୍ତି । ମୋର ଚାଷ କାର୍ଯ୍ୟ ଓ ଗୋ-ପାଳନ କାମ ତାଙ୍କୁ ଆଦୌ ପସନ୍ଦ ନୁହେଁ ବୋଲି ବୈଷ୍ଣବୀ କହିଛନ୍ତି। ଚାଷ କାମ ବୈଷ୍ଣବୀଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ହାର ନ ମାନି ଲକ୍ଷ୍ୟ ସ୍ଥଳରେ ଆଗେଇ ଚାଲିଛନ୍ତି। ସବୁଠୁ ବଡ଼ କଥା ହେଲା, ଏସି ରୁମରୁ ଚାଷ କ୍ଷେତକୁ ଓହ୍ଲାଇ ବୈଷ୍ଣବୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଖାସକରି ସେହି ଯୁବଗୋଷ୍ଠୀଙ୍କ ପାଇଁ ଯେଉଁମାନେ ଚାଷ କାମ କରିବାକୁ ନାକ ଟେକୁଛନ୍ତି।

ସମ୍ବନ୍ଧିତ ଖବର