ମୁମ୍ବାଇ: ସଫଳତା ପାଇଁ ମାର୍କ ଜରୁରୀ ଥିଲେ ବିରାଟ ଆଜି ଏଠି ନଥାନ୍ତେ। ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ଦଶମ ଶ୍ରେଣୀ ମାର୍କସିଟ୍ ସେୟାର କରି ଏଭଳି ଲେଖିଲେ ଆଇଏଏସ୍ ଜିତିନ ଯାଦବ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍ (ଆଇପିଏଲ୍‌ ୨୦୨୩) ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ଦଶମ ଶ୍ରେଣୀର ମାର୍କସିଟ୍ ପ୍ରଶଂସକଙ୍କ ସହ ସେୟାର୍‌ କରିଥିଲେ ବିରାଟ। ଜଣେ ସଫଳ କ୍ରିକେଟର ଦଶମରେ କେତେ ମାର୍କ ରଖିଥିଲେ, ତାହା ଦେଖିବାକୁ ମିଳିଥିଲା।

Advertisment

ବିରାଟଙ୍କ ପରେ ଏବେ ଆଇଏଏସ୍ ଜିତିନ ଯାଦବ କ୍ରିକେଟରଙ୍କ ମାର୍କସିଟ୍ ଏକ୍ସ(ଟ୍ବିଟରରେ) ସେୟାର କରି ପ୍ରେରଣାଦାୟୀ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, 'ଯଦି ପରୀକ୍ଷାରେ ରଖିଥିବା ମାର୍କ ସଫଳତାର ଚାବିକାଠି ହୋଇଥାନ୍ତା, ତେବେ ସମଗ୍ର ଦେଶ ଆଜି ତାଙ୍କ ପଛରେ ନଥାନ୍ତେ। ସଫଳତା ପାଇଁ ଆଗ୍ରହ ଓ ନିଷ୍ଠା ଜରୁରୀ।

‌ତେବେ ବିରାଟଙ୍କ ମାର୍କସିଟ୍ ଦେଖିଲେ ଆପଣ ଜାଣିପାରିବେ ଯେ, ଦଶମ ବୋର୍ଡ ପରୀକ୍ଷାରେ ବିରାଟ କୋହଲି କମ ମାର୍କ ପାଇଥିଲେ। ଇଂରାଜୀ ଏବଂ ସାମାଜିକ ବିଜ୍ଞାନରେ ୮୦ରୁ ଅଧିକ ମାର୍କ ରଖିଥିଲେ ବି ବିରାଟ ଗଣିତ ଏବଂ ବିଜ୍ଞାନରେ ମାତ୍ର ୫୧ ଏବଂ ୫୫ ମାର୍କ ପାଇଥିଲେ। କିନ୍ତୁ ଏହି ମାର୍କ ତାଙ୍କୁ ସଫଳ ହେବାରୁ ରୋକି ପାରିନଥିଲା। ପରୀକ୍ଷାରେ ସେ କମ ନମ୍ବର ରଖିଥିଲେ ବି ପଡ଼ିଆରେ ସେ କରିଥିବା ସ୍କୋର ଆଜି ତାଙ୍କୁ ଲୋକପ୍ରିୟ କ୍ରିକେଟର କରିପାରିଛି। ଏବେ କ୍ରିକେଟ୍ ପ୍ରତି ଆଗ୍ରହୀ ପ୍ରତ୍ୟେକ ପିଲା ବିରାଟ କୋହଲି ହେବାକୁ ଚାହାଁନ୍ତି।