ନୂଆଦିଲ୍ଲୀ: ସାଧାରଣତଃ ବିବାହ ପରେ ମା’ ହେବାପରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜର ସ୍ୱପ୍ନକୁ ଭାଙ୍ଗି ଦେଇଥାଆନ୍ତି। ଏପରି ମହିଳାମାନଙ୍କ ପାଇଁ ହରିୟାଣାର ବାସିନ୍ଦା ପୁଷ୍ପଲତା ଯାଦବ ପ୍ରେରଣା ହୋଇ ସାମ୍ନାକୁ ଆସିଛନ୍ତି।  

Advertisment

ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ପୁଷ୍ପଲତା ଗାଁରେ ହିଁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପାଠପଢ଼ାରେ ସର୍ବଦା ଟପ୍ପର ରହୁଥିବା ପୁଷ୍ପଲତା ପୋଷ୍ଟ ଗ୍ରାଜୁଏସନ୍ ପରେ ଏକ ଘରୋଇ ଚାକିରି ଆରମ୍ଭ କରିଥିଲେ ଏବଂ ସରକାରୀ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଏହାରି ଭିତରେ ୨୦୧୧ରେ ପୁଷ୍ପଲତାଙ୍କ ବାହାଘର ହୋଇଯାଇଥିଲା । ବାହାଘରର ଦୁଇ ବର୍ଷ ପରେ ପୁଷ୍ପଲତା ମା’ ହୋଇଥିଲେ। ପୁଅ ଜନ୍ମ ହେବାପରେ ପୁଷ୍ପଲତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଯେତେବେଳେ ତାଙ୍କ ପୁଅ ଦୁଇ ବର୍ଷର ହୋଇଥିଲା ସେ ପୁଣି ତାଙ୍କ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। 

ଏହା ପୁଷ୍ପଲତାଙ୍କ ପାଇଁ ସହଜ ନଥିଲା। କାରଣ ତାଙ୍କୁ ଗୋଟିଏ ପଟେ ଘରର ଦାୟିତ୍ୱ ଏବଂ ଅନ୍ୟପଟେ ଛୋଟ ପିଲାର ଯତ୍ନ ନେବାକୁ ପଡ଼ୁଥିଲା। ଏସବୁ ପରିସ୍ଥିତି ସାମ୍ନାରେ ପୁଷ୍ପଲତା ହାର ମାନ ନଥିଲେ। କାରଣ ତାଙ୍କ ପଛରେ ଛାଇ ହୋଇ ଛିଡ଼ା ହୋଇଥିଲେ ସ୍ବାମୀ ଓ ଶ୍ବଶୁର।

ପୁଷ୍ପଲତାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିଥିଲେ। ପିଲାର ଯତ୍ନ ନେବାଠାରୁ ଆରମ୍ଭ କରି ଘରର ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। 

ପୁଷ୍ପଲତା ତାଙ୍କ ତୃତୀୟ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇଥିଲେ। ପ୍ରଥମ ଦୁଇଟି ପ୍ରୟାସରେ ବିଫଳ ହୋଇଥିଲେ ସୁଦ୍ଧା ହାର ମାନି ନଥିଲେ ସେ।


ପୁଷ୍ପଲତାଙ୍କ ସଫଳତା ଦର୍ଶାଏ ଯେ ବିବାହ କିମ୍ବା ମାଆ ହେବା ପରେ ସ୍ୱପ୍ନକୁ ପରିତ୍ୟାଗ କରିବା ଉଚିତ୍ ନୁହେଁ, ବରଂ ଦୃଢ଼ ନିଷ୍ଠାର ସହିତ ସେଗୁଡ଼ିକୁ ହାସଲ କରିବାକୁ ଚେଷ୍ଟା କରିବା ଉଚିତ।