ନୂଆଦିଲ୍ଳୀ: ଆଇଏଏସ୍ ରିୟା ଡାବିଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ନିକଟ ଅତୀତରେ ସେ ଜଣେ ଆଇପିଏସ୍ଙ୍କୁ ବିବାହ କରିଥିବା ଶୁଣାହେଉଛି। ତାହା ପୁଣି ଗୋପନରେ। ରାଜସ୍ଥାନର ଜୈସ୍ଲେମର୍ର ଆଇଏଏସ୍ ଟିନା ଡାବିଙ୍କର ଭଉଣୀ ହେଉଛନ୍ତି ରିୟା । ରିୟା ଆଇପିଏସ୍ ଅଫିସର୍ ମନୀଷ କୁମାରଙ୍କୁ କୋର୍ଟରେ ବିବାହ କରିଛନ୍ତି। ଖୁବ୍ ଶୀଘ୍ର ସେ ଦୁହିଁଙ୍କ ବିବାହ ଭୋଜିର ଆୟୋଜନ ହେବ ବୋଲି ଶୁଣାହେଉଛି।
ସୂଚନାରୁ ପ୍ରକାଶ ଯେ ରିୟା ଏବଂ ମନୀଷ ଗତ ଏପ୍ରିଲ୍ ମାସରେ ଗୋପନ ବିବାହ କରିଛନ୍ତି। ଉଭୟ ରିୟା ଏବଂ ମନୀଷ ୨୦୨୧ ବ୍ୟାଚ୍ର ସର୍ବଭାରତୀୟ ଅଧିକାରୀ। ସେମାନେ ପରସ୍ପରଙ୍କୁ ପ୍ରଥମେ ମସୁରୀ ଅକାଦମୀରେ ଭେଟିଥିଲେ ଓ ପରେ ସଂପର୍କ ଗଢ଼ିଉଠିଥିଲା।
୨୦୨୧ ୟୁପିଏସ୍ସି ପରୀକ୍ଷାରେ ରିୟା ସର୍ବଭାରତୀୟସ୍ତରରେ ୧୫ତମ ରାଙ୍କ୍ରେ ଥିଲେ। ସେତେବେଳେ ସେ ପ୍ରାୟ ୨୩ ବର୍ଷର ଥିଲେ। ତାଙ୍କ ବଡ଼ ଭଉଣୀ ଟିନା ଡାବି ୨୦୧୬ ମସିହାରେ ୟୁପିଏସ୍ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିଲେ।
ଦୁଇ ଜଣ ଯାକ ଆଇଏଏସ୍ ଭଉଣୀଙ୍କୁ ରାଜସ୍ଥାନ କ୍ୟାଡର୍ ମିଳିଛି। ଟିନା ଜୈସ୍ଲେମର୍ ଜିଲ୍ଲାର ଜିଲ୍ଲାପାଳ ହୋଇଥିବା ବେଳେ ରିୟା ଅଲୱର୍ ଜିଲ୍ଲାରେ ଏସିଏମ୍ ଅଛନ୍ତି। ରିୟା ଦିଲ୍ଲୀରେ ଥିବା ଲେଡି ଶ୍ରୀରାମ କଲେଜ୍ରେ ରାଜନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି।
ରିୟା କହନ୍ତି ଯେ ସେ ନିଜର ୟୁପିଏସ୍ସି ପ୍ରସ୍ତୁତି ପାଇଁ ତାଙ୍କ ବଡ଼ ଭଉଣୀ ଟିନାଙ୍କଠାରୁ ପ୍ରେରଣା ପାଇଥିଲେ। ଟିନାଙ୍କ ପରି ରିୟା ମଧ୍ୟ ପ୍ରଥମ ଉଦ୍ୟମରେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।