ମୁମ୍ବାଇ: କୁହାଯାଏ ସଫଳତା ପାଇବା ପାଇଁ କଠିନ ପରିଶ୍ରମ ହିଁ ସବୁକିଛି ହୋଇଥାଏ | ଆଉ ଏହାକୁ ପ୍ରମାଣିତ କରି ଦେଖାଇଦେଇଛନ୍ତି ଜଣେ ଯୁବକ | ଯିଏ କି ମାତ୍ର ୨୧ ବର୍ଷ ବୟସରେ ଆଇଏଏସ୍ ପାଇଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବାବଦରେ କହିବୁ, ଯିଏ କି ସବୁ କଠିନ ପରିସ୍ଥିତି ସତ୍ତ୍ୱେ ନିଜ ଲକ୍ଷ୍ୟ ହାସଲ କରିପାରିଛନ୍ତି | ଏହି ଯୁବକଙ୍କ ନାମ ହେଉଛି ଅନସର ଶେଖ୍ | ଅନସର ୨୧ ବର୍ଷ ବୟସରେ ଆଇଏଏସ୍ ପାଇଥିଲେ | ତାଙ୍କ ନାମରେ ଦେଶର ସର୍ବକନିଷ୍ଠ ଆଇଏଏସ୍ ହେବାର ରେକର୍ଡ ରହିଛି । ବାପା ଅଟୋରିକ୍ସା ଚଳାଉଥିବା ବେଳେ ଅନସରଙ୍କ ଜୀବନରେ ଦିନେ ଏମିତି ବି ସମୟ ଆସିଥିଲା ଯେତେବେଳେ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧିହୋଇଯାଇଥାନ୍ତା | ବାସ୍ତବରେ ଅନସର ପିଲାଟିଦିନରୁ ଜଣେ ମେଧାବୀ ଛାତ୍ର ଥିଲେ | ମହାରାଷ୍ଟ୍ରର ଜଲନା ଗାଁର ଅନସରଙ୍କ ପିତା ଅନାସ ଶେଖ ମହାରାଷ୍ଟ୍ରର ମରାଠୱାଡାରେ ଅଟୋରିକ୍ସା ଚଳାଉଥିଲେ। ତେବେ ଅନସରଙ୍କୁ ପିଲାଦିନରୁ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡିଥିଲା |
ଅର୍ଥ ଅଭାବରୁ ତାଙ୍କ ସାନଭାଇ ପାଠପଢା ଛାଡି ଏକ ଦୋକାନରେ କାମ କରୁଥିଲେ | ତାଙ୍କ ପାଠପଢା ବନ୍ଦ କରିବାକୁ ସମ୍ପର୍କୀୟମାନେ ମଧ୍ୟ ଅନସରଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲରୁ ତାଙ୍କ ନାମ କାଟିବା ପାଇଁ ବାପା ସ୍କୁଲରେ ମଧ୍ୟ ପହଞ୍ଚିଥିଲେ | କିନ୍ତୁ, ଶିକ୍ଷକମାନେ ତାଙ୍କ ବାପାଙ୍କୁ ବୁଝାଇଥିଲେ ଯେ ପୁଅ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ନାମ କାଟନ୍ତୁ ନାହିଁ | କହିଥିଲେ ଯେ ସେ ବହୁତ ସ୍ମାର୍ଟ। ଭବିଷ୍ୟତରେ ସେ ବହୁତ ଭଲ କରିପାରିବେ। ଦଶମ ବୋର୍ଡ ପରୀକ୍ଷାରେ ଅନସର ୯୧ ପ୍ରତିଶତ ମାର୍କ ହାସଲ କରିଥିଲେ | ସେ ପୁଣେର ଫର୍ଗୁସନ୍ କଲେଜରୁ ରାଜନୀତି ବିଜ୍ଞାନରେ ଅଧ୍ୟୟନ କରିଥିଲେ। ଏହାପରେ ସେ ୟୁପିଏସସି ପରୀକ୍ଷା ପାଇଁ କୋଚିଂ ନେବାକୁ ସ୍ଥିର କରିଥିଲେ | ଏକ ବର୍ଷ କୋଚିଂ ପରେ ସେ ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ | ୨୦୧୫ରେ ଯେତେବେଳେ ଅନସର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା | ଏହିପରି ଭାବରେ ସେ ଦେଶର ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/c3ac19ec-bf11-45d7-9a80-44678d53ef1b.jpg)