ଲଖନଉ: କୁହାଯାଏ କଠିନ ପରିଶ୍ରମ ହିଁ ସଫଳତା ଆଣିଦେଇଥାଏ | ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଛଡା ଆଉ କିଛି ବିକଳ୍ପ ନାହିଁ | ଆଜି ଆମେ ଆପଣଙ୍କୁ ଆଇଏଏସ ଅଧିକାରୀ ଗୋବିନ୍ଦ ଜୟସ୍ବାଲଙ୍କ ବାବଦରେ କହିବୁ, ଯାହାଙ୍କୁ ସମସ୍ତେ ଅପମାନ ଦେଉଥିଲେ ବି ସେ ନିଜ ମନୋବଳ ଭାଙ୍ଗିନଥିଲେ, ପରିଶ୍ରମ କରିବାରେ ଥକି ଯାଇନଥିଲେ | ଆଉ ଶେଷରେ ସଫଳତା ପାଇଛନ୍ତି | ତାଙ୍କ ପିତା ଏକ ରିକ୍ସା ଟାଣୁଥିଲେ। ବେଳେବେଳେ ଲୋକମାନେ କହୁଥିଲେ ଯେ ଗୋବିନ୍ଦଙ୍କୁ ବେଶୀ ପାଠ ପଢ଼ିବାର ଆବଶ୍ୟକତା ନାହିଁ, ବରଂ ସେ ବି ଅଟୋ ଚଳାଇବା ଉଚିତ୍ | ସେ ଲୋକଙ୍କ ଟାହିଟାପରା ଶୁଣୁଥିଲେ ବି କିଛି କହୁନଥିଲେ | ଗୋବିନ୍ଦ ଜୟସ୍ବାଲ ଉତ୍ତରପ୍ରଦେଶର ବାରାଣାସୀର ବାସିନ୍ଦା | ସେ ଏବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ପିଲାଦିନରୁ ସେ ଜୀବନରେ ବହୁତ ସଂଘର୍ଷ ଦେଖିଛନ୍ତି | ତଥାପି ଏହି କଠିନ ଯାତ୍ରାରେ ସେ ତାଙ୍କ ପିତା ଏବଂ ଭଉଣୀମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇଥିଲେ | ବାସ୍ତବରେ ଗୋବିନ୍ଦଙ୍କ ପିତା ନାରାୟଣ ଏକ ରିକ୍ସା ଚଳାଉଥିଲେ । ତାଙ୍କ ମା ଜଣେ ଗୃହିଣୀ ଥିଲେ। ତେବେ ଗୋବିନ୍ଦ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ମା'ଙ୍କର ମୃତ୍ୟୁ ହୋଇଯାଇଥିଲା। ମା’ଙ୍କ ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା |
ଏହି କାରଣରୁ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା |ପରିବାରର ଦାରିଦ୍ର୍ୟ ଦେଖି ଲୋକମାନେ କହୁଥିଲେ ଗୋବିନ୍ଦ ଅଟୋ ଚଳାଇବା ଉଚିତ୍। ଭଉଣୀମାନଙ୍କୁ ଅନ୍ୟ ଘରେ ବାସନ ଧୋଇବାକୁ ପରାମର୍ଶ ଦିଆଯାଇଥିଲା | ତେବେ ଗୋବିନ୍ଦ ଚୁପଚାପ୍ ଏହି ସବୁ କଥା ଶୁଣୁଥିଲେ। ଗୋବିନ୍ଦ ବାରାଣାସୀର ହରିଶ୍ଚନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକ କରିବାପରେ ୨୦୦୬ରେ, ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଦିଲ୍ଲୀ ଆସିଥିଲେ | ବାପା ମଧ୍ୟ ତାଙ୍କ ପାଠପଢା ପାଇଁ ଜମି ବିକ୍ରି କରିଦେଇଥିଲେ | ତାଙ୍କ ବାପାଙ୍କ ଗୋଡରେ ଆଘାତ ଲାଗିଥିବା ସତ୍ତ୍ୱେ ରିକ୍ସା ଚଳାଇ ଗୋବିନ୍ଦଙ୍କୁ ଟଙ୍କା ପଠାଉଥିଲେ। ଗୋବିନ୍ଦ ଏହା ମଧ୍ୟ ଅନୁଭବ କରିଥିଲେ ଯେ ତାଙ୍କ ପରିବାର କେତେ କଷ୍ଟ କରି ତାଙ୍କୁ ପାଠ ପଢ଼ାଉଛନ୍ତି | ସେ ଦିଲ୍ଲୀ ଆସିବା ପରେ ମଧ୍ୟ କୋଚିଂରେ ଯୋଗ ଦେଇନଥିଲେ। ତଥାପି, ସେ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ | ଟଙ୍କା ସଞ୍ଚୟ କରିବାକୁ ସେ ଦିନକୁ ଥରେ ମାତ୍ର ଖାଉଥିଲେ | ୨୦୦୭ରେ, ଗୋବିନ୍ଦ ୟୁପିଏସସି ପରୀକ୍ଷାର ପ୍ରଥମ ପ୍ରୟାସରେ ୪୮ତମ ସ୍ଥାନ ହାସଲ କରିଥିଲେ |