ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବି ମାଆ ବନିବାକୁ ଯାଉଛନ୍ତି। ଆଗାମୀ ସେପ୍ଟେମ୍ବରରେ ଟିନା ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଟିନାଙ୍କର ଅନେକ ପ୍ରଶଂସକ ଥିବା ବେଳେ ଏହି ଖବର ନିଶ୍ଚିତ ସେ ସମସ୍ତଙ୍କୁ ଖୁସି କରିବ। ଗର୍ଭବତୀ ଥିବାରୁ ଜୈସଲମେରର ଜିଲ୍ଲାପାଳ ଏବେ ସରକାରଙ୍କୁ ତାଙ୍କୁ ନନ୍ ଫିଲ୍ଡ ନିଯୁକ୍ତ କରାଯାଉ ବୋଲି ଆବେଦନ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ମାତୃତ୍ବ ଛୁଟିରେ ଯିବେ।
ଗତବର୍ଷ ଏପ୍ରିଲ୍ ମାସରେ ଟିନା ଡାବି ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତା’ପରେ ସେ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ। ଗତ ମାସ ଟିନା ତାଙ୍କ ଜିଲ୍ଲାରେ ବିସ୍ଥାପିତ ପାକିସ୍ତାନ ନାଗରିକଙ୍କୁ ଭେଟିବାକୁ ଯାଇଥିବା ବେଳେ ସେ ଗର୍ଭବତୀ ଥିବା କଥା ଜଣା ପଡ଼ିଥିଲା। ପାକିସ୍ତାନର ବୟସ୍କା ମହିଳାମାନେ ଟିନା ଡାବିଙ୍କୁ ପୁଅ ହେଉ ବୋଲି କହି ଆଶୀର୍ବାଦ ବି କରିଥିଲେ।
ଏହି କଥା ଶୁଣି ଟିନା ହସି ପକାଇଥିଲେ ଓ ସେ ପୁଅ-ଝିଅ ମଧ୍ୟରେ କୌଣସି ଫରକ ଦେଖନ୍ତି ନାହିଁ ବୋଲି କହିଥିଲେ। ହେଲେ ବୟସ୍କ ମହିଳାମାନେ ତାଙ୍କୁ ଲଗାତର ପୁଅ ହେଉ ବୋଲି ଆଶୀର୍ବାଦ କରି ଚାଲିଥିଲେ।
କୋଭିଡ ଦ୍ୱିତୀୟ ଲହର ସମୟରେ ଆଇଏଏସ୍ ଟିନା ଡାବିଙ୍କର ପ୍ରଦୀପ ଗାୱାଣ୍ଡେଙ୍କ ସହ ସାକ୍ଷାତ ହୋଇଥିଲା । ୨୦୨୧ ମସିହାରେ ସେ ଏବଂ ପ୍ରଦୀପ ସ୍ୱାସ୍ଥ୍ୟ ବିଭାଗରେ ଏକାଠି ଥିଲେ। ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ। ଏକାଠି କାମ କରିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢି ଯାଇଥିଲା।
ପୂର୍ବରୁ ଟିନା ପ୍ରଥମେ କଶ୍ମୀରର ଆଇଏଏସ୍ ଅଧିକାରୀ ଅଥହରଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ବିବାହ ବେଶି ଦିନ ତିଷ୍ଠି ପାରି ନଥିଲା। ଉଭୟ ପାରସ୍ପରିକ ସମ୍ମତି ଦ୍ୱାରା ଅଲଗା ହୋଇ ଯାଇଥିଲେ। ଛାଡପତ୍ର ପରେ ଟିନା ପୁନର୍ବାର ବିବାହ କରିଥିଲେ। ସେ ନିଜ ଦ୍ବିତୀୟ ବିବାହକୁ ନେଇ ବେଶ ଖୁସି ଅଛନ୍ତି।