ଜୟପୁର: ସୀମାନ୍ତ ଅଞ୍ଚଳ ହୋଇଥିବାରୁ ରାଜସ୍ଥାନ ଜୈସଲମେର୍‌ରେ ପାକିସ୍ତାନୀ ଅତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ଭାବନା ସବୁବେଳେ ଲାଗି ରହିଥାଏ। ଗତ ରାତିରେ ଏକ ପଞ୍ଚ ତାରିକା ହୋଟେଲ୍‌ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସୂଚନା ପାଇ ଏନ୍‌ଏସ୍‌ଜି କମାଣ୍ଡୋ ସହରର ଉକ୍ତ ପଞ୍ଚ ତାରିକା ହୋଟେଲ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମକ୍‌ଡ୍ରିଲ୍‌ କରିଥିବାର ସୂଚନା ରହିଛି। ଏହି ମକ୍‌ଡ୍ରିଲ୍‌ରେ ପ୍ରାୟ ୨୦୦ରୁ ଅଧିକ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ସହିତ ବିଏସ୍‌ଏଫ୍‌ ଓ ପୁଲିସ୍‌ର ଯବାନ ସାମିଲ୍‌ ହୋଇଥିଲେ।

Advertisment

ଏହି ଅବସରରେ ଏସ୍‌ପି, ଏସ୍‌ଡିଏମ୍‌, ଡିଏସ୍‌ପି ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲା କଲେକ୍ଟର ଟିନା ଡାବି ମଧ୍ୟ ସାମିଲ୍‌ ହୋଇଥିଲେ। ବିଳମ୍ବିତ ରାତିରେ ସହରର ରାସ୍ତାରେ ପୁଲିସ୍‌, ଅଗ୍ନିଶମ କର୍ମୀ, ଆମ୍ବୁଲାନ୍ସ ଓ ଅନେକ ଗାଡ଼ିର ସାଇରନ୍‌ ଶୁଣି ଲୋକେ ଚିନ୍ତିତ ହୋଇ ଯାଇଥିଲେ। ଏହି ଡ୍ରିଲ୍‌ ଜରିଆରେ ଆତଙ୍କବାଦୀ ହୋଟେଲ୍‌ରେ ପଶିଥିବା ସୂଚନା ଦିଆ ଯାଇଥିଲା। ଗେଟ୍‌ରେ ଡ୍ୟୁଟି କରୁଥିବା ସୁରକ୍ଷାକର୍ମୀଙ୍କ ଉପରେ ବି ଗୁଳି ବାଜିଥିବାର ସୂଚନା ଦିଆଯାଇଥିଲା। ସମସ୍ତ ହୋଟେଲ୍‌ କର୍ମଚାରୀ ଓ ସେଠାରେ ଥିବା ଲୋକଙ୍କୁ ମୁକୁଳାଇବାରେ ଉଦ୍ୟମରେ ଲାଗିପଡ଼ିଥି‌ଲେ ପୂରା ଟିମ୍‌

ଆତଙ୍କବାଦୀ ହୋଟେଲ୍‌ରେ ଥିବା ଶୁଣିବା ପରେ ଏନ୍‌ଏସ୍‌ଜି କମାଣ୍ଡୋ, ସୀମା ସୁରକ୍ଷା ବଳ, ଯବାନ ଓ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଏହାର ସୂଚନା ପାଇବା ପରେ ହିଁ ସିଭିଲ୍‌ ଡିଫେନ୍ସ ଟିମ୍‌, ଦମକଳ ଓ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ପୁଲିସ୍‌ ଗ୍ରୀନ୍‌ କରିଡର କରି ଏନ୍‌ଏସ୍‌ଜିକୁ ଘଟଣାସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରିଥିଲା।

ଘଟଣାସ୍ଥଳରେ ପହଞ୍ଚିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନ୍‌ଏସ୍‌ଜି ଓ ପୁଲିସ୍‌ ଟିମ୍‌ର ଅପରେସନ୍‌ ହୋଇଥିଲା। ଡ୍ରିଲ୍ ସମୟରେ କିଛି ଆତଙ୍କବାଦୀଙ୍କ ଉପରେ ଗୁଳି ଚାଳନା ହୋଇଥିବା ବେଳେ ସେଠାରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।