ବୃତ୍ତିଧାରୀ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଯେପରି ବ୍ୟକ୍ତିଗତ ସୁରକ୍ଷା, ସମ୍ମାନ ଓ ସ୍ବାଭିମାନ ବଜାୟ ରଖି ନିରନ୍ତର କାର୍ଯ୍ୟ କରିପାରିବେ ସେଥିପାଇଁ ‘ପ୍ରିଭେନ୍‌ସନ୍‌ ଅଫ୍‌ ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ୍‌ ଅଫ୍‌ ୱିମେନ୍‌ ଆଟ୍‌ ୱାର୍କପ୍ଲେସ୍‌ (POSH)’ ଅଧିନିୟମଟି ୨୦୧୩ରେ ପାର୍ଲିଆମେଣ୍ଟ୍‌ରେ ପାରିତ ହୋଇ ଲାଗୁ ହୋଇଛି। ଏହି ଆଇନ୍‌ ଅନୁସାରେ ଦଶଜଣରୁ ଅଧିକ ମହିଳା କାମ କରୁଥିବା ସଂସ୍ଥାରେ ନିଶ୍ଚିତ ଭାବରେ ଏକ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଇଣ୍ଟର୍‌ନାଲ୍‌ କମ୍ପ୍ଲେଣ୍ଟ୍‌ କମିଟି’ (ଆଇ.ସି.ସି.) ରହିବ। କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନକୁ ରୋକିବା ଦିଗରେ ଏହା କାର୍ଯ୍ୟ କରିବ। କାର୍ଯ୍ୟାଳୟରେ ଏକ ନିରାପଦ ପରିବେଶ ସହ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। କର୍ମଚାରୀମାନଙ୍କ ପାଇଁ ଏକ ସ୍ବଚ୍ଛନ୍ଦ ଲିଙ୍ଗଭେଦ ମୁକ୍ତ, ସମ୍ବେଦନଶୀଳ ପରିବେଶ ତିଆରି ହେବ। କୌଣସି ଅପ୍ରୀତିକର ପରିସ୍ଥିତିର ସମାଧାନ ପାଇଁ ଏକ ସ୍ଥାୟୀ କୌଶଳ ତଥା ନୀତିନିୟମ ନିର୍ଦ୍ଧାରିତ ହେବ। 

Advertisment

ଆଇ.ସି.ସି କମିଟିରେ ଅତିକମ୍‌ରେ ୪ଜଣ ସଦସ୍ୟ ରହିବେ। ଯେଉଁଥିରେ ଅର୍ଦ୍ଧେକ ସଂଖ୍ୟାରେ ମହିଳା ଥିବେ। ଅଧିକ ମହିଳା କର୍ମଚାରୀ ଥିଲେ ଏହି ସଂଖ୍ୟା ଅଧିକ ମଧ୍ୟ ହୋଇପାରିବ। ଏକ ଅଣ-ସରକାରୀ ସଂଗଠନ(N.G.O.) ବା ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିଥିବା ଓ ଆଇନ ଜ୍ଞାନ ଥିବା ଜଣେ ସଦସ୍ୟ ଏହି କମିଟିରେ ରହିବେ। ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ମହିଳା କର୍ମଚାରୀ ଅଧ୍ୟକ୍ଷା ବା ପ୍ରିଜାଇଡିଂ ଅଫିସର୍‌ ରହିବେ। ପୋସ (POSH) ଆଇନର ଧାରା ୬ ଅନୁଯାୟୀ ପୀଡ଼ିତା ବା ତାଙ୍କ ପକ୍ଷରୁ କେହିଜଣେ କମିଟିରେ ଅଭିଯୋଗ କରିପାରିବେ। ଅଭିଯୋଗର ୬ କପି ନକଲ ସହିତ ସହାୟକ ତଥ୍ୟ ପ୍ରମାଣ ସାକ୍ଷୀ ତାଲିକା ଯଦି ଥାଏ ସବୁ ଯୁକ୍ତକରି କମିଟି ପାଖରେ ଘଟଣା ଘଟିବାର ୩ ମାସ ଭିତରେ କମିଟି ପାଖରେ ଦାଖଲ କରିବେ। ଯଦି ଘଟଣା ଲଗାତାର ଘଟିଥାଏ ବା ଘଟୁଥାଏ ତେବେ ଶେଷଥର ଘଟିଥିବା ତାରିଖରୁ ୩ ମାସ ପୂର୍ବ ପର୍ଯ୍ୟନ୍ତ ସମୟ ଗ୍ରହଣ କରାଯିବ ବା କମିଟି ଚାହିଲେ ବିଶେଷ ପରିସ୍ଥିତିରେ ତା’ର ୩ ମାସ ପୂର୍ବ ସମୟକୁ ମଧ୍ୟ ଯୋଗ କରିପାରିବେ। ଅଭିଯୋଗର କପି ୩ ଦିନ ଭିତରେ ପ୍ରିଜାଇଡିଂ ଅଫିସର୍‌ଙ୍କ ପାଖରେ ପହଞ୍ଚିବା ଜରୁରି। ଆଇ.ସି.ସି ଏହି ଅଭିଯୋଗର ଗୋଟିଏ କପି ଉତ୍ତରଦାତା ବା ଅଭିଯୁକ୍ତଙ୍କୁ ୭ ଦିନ ଭିତରେ ପଠାଇବା ଜରୁରି ଏବଂ ଏହାର ଜବାବ ଦଶଟି କାର୍ଯ୍ୟଦିବସ ଭିତରେ ମିଳିବା ଦରକାର। ଅଭିଯୋଗର ୯୦ ଦିନ ଭିତରେ ଅନୁସନ୍ଧାନ ଶେଷ ହେବା ଉଚିତ। 

ଅାଭ୍ୟନ୍ତରୀଣ ଅଭିଯୋଗ କମିଟି ଘଟଣା ଘଟିବାର ସ୍ଥାନ, ସମୟ, ଉଭୟପକ୍ଷଙ୍କ ଦଲିଲ୍‌ ଯୁକ୍ତି ଶୁଣି ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରିବା ଦରକାର। ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ କମିଟି ନିଯୁକ୍ତିଦାତାଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିବେ। ଏଥିରେ ଘଟଣାର ଗୁରୁତ୍ବକୁ ଉପଲବ୍ଧ କରି ଆବଶ୍ୟକ ଅନୁଯାୟୀ ଏକ ଲିଖିତ କ୍ଷମା ପ୍ରାର୍ଥନା, ତାଗିଦ୍‌, ଚେତାବନୀ, ପଦୋନ୍ନତି ରଦ୍ଦ ବା ଚାକିରିର ସମାପ୍ତି ହୋଇପାରେ। ଆବଶ୍ୟକ ମନେକଲେ ଅଭିଯୋଗକାରୀ କିମ୍ବା ତାଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ଅଭିଯୁକ୍ତଙ୍କ ବେତନରାଶିରୁ କିଛି କାଟି କ୍ଷତିପୂରଣ ବା ଚିକିତ୍ସା ଇତ୍ୟାଦି ବାବଦରେ ଦେବାକୁ କମିଟି ସୁପାରିସ୍‌ କରିପାରନ୍ତି। ନିଯୁକ୍ତିଦାତା ମଧ୍ୟ ନିଶ୍ଚିତ ଭାବରେ ୬୦ ଦିନ ଭିତରେ ଆଇ.ସି.ସି.ର ସୁପାରିସ୍‌ ଅନୁସାରେ କାର୍ଯ୍ୟ କରିବେ। ନଚେତ୍‌ ଜରିମାନା/ ଲାଇସେନ୍ସ ବାତିଲ/ ପଞ୍ଜୀକରଣ ସମାପ୍ତି ବା ପ୍ରତ୍ୟାହାର କରାଯାଇପାରେ। ଆଇ.ସି.ସି. ମଧ୍ୟ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରି, ଯେପରିକି ସେମାନେ ଉଭୟ ପକ୍ଷର ପରିଚୟ ଗୋପନ ରଖିବେ। ସାକ୍ଷୀମାନେ ପୀଡ଼ିତ ବା ଅଭିଯୁକ୍ତ ପ୍ରତି ଯେପରି ଭେଦଭାବ ରଖିବେ ନାହିଁ। ଅଭିଯୋଗକାରୀଙ୍କ ବିରୋଧରେ ପ୍ରତିଶୋଧ ବା ପ୍ରତିକୂଳ କାର୍ଯ୍ୟକୁ ବାରଣ କରିବେ। ଅଭିଯୋଗକାରୀ ଚାହିଲେ ପୁଲିସ ନିକଟରେ ଅଭିଯୋଗ କରିପାରିବେ ଏଥିପାଇଁ ଆବଶ୍ୟକ ସହାୟତା ନିଶ୍ଚୟ କରିବେ। ଆଇ.ସି.ସି.ର କୌଣସି ସଦସ୍ୟ କ୍ଷମତାର ଦୁରୁ‌ପଯୋଗ କଲେ/ ବିଶ୍ବାସ ଭଙ୍ଗ କଲେ/ ଶୃଙ୍ଖଳା ଭାଙ୍ଗିଲେ ଇତ୍ୟାଦି କିଛି କାରଣ ପାଇଁ କମିଟିରେ ରହିବା ପାଇଁ ଅଯୋଗ୍ୟ ଘୋଷିତ ହୋଇପାରିବେ। ଅତଏବ୍‌ ଆଇ.ସି.ସି. ସକ୍ରିୟ ଥିବା କୌଣସି ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ, ସହଯୋଗୀ, ପରିଦର୍ଶନକାରିଣୀ, ଠିକା କର୍ମଚାରୀ, ଶିକ୍ଷାନବିସ, ଅତିଥି, ଚାକିରି ପାଇଁ ଆବେଦନକାରୀ କୌଣସି ମହିଳା ଏହି ଆଇନ ଦ୍ବାରା ଉପକୃତ ହୋଇପାରିବେ। ଭୟମୁକ୍ତ ଭାବରେ ନିଜର ବୃତ୍ତି ଜାରି ରଖିପାରିବେ।