ଲିଙ୍ଗ-ବୟସ ନିର୍ବିଶେଷରେ ସଭିଙ୍କ ପାଟିରୁ ଲାଳ ନିର୍ଗତ କରିପାରୁଥିବା ଦୁଗ୍‌ଧଜାତ ମିଷ୍ଟାନ୍ନ ମଧ୍ୟରୁ ଆଇସ୍‌କ୍ରିମ୍‌ ଅନ୍ୟତମ। ତେବେ ଏହାର ପ୍ରସ୍ତୁତି ସମୟସାପେକ୍ଷ। ହଠାତ୍‌ ଚାହିଁଲେ ପାରମ୍ପରିକ ପଦ୍ଧତିରେ ଏହାର ପ୍ରସ୍ତୁତି ସମ୍ଭବ ନୁହେଁ। ବିଭିନ୍ନ ଉପାଦାନକୁ ମିଶ୍ରଣ କରି ତାହାକୁ ବରଫୀକୃତ କରିବା ଲାଗି ସମୟ ଲାଗେ। ତେବେ ନିକଟରେ ଆମେରିକାର କର୍ଣ୍ଣେଲ ବିଶ୍ବବିଦ୍ୟାଳୟର ଖାଦ୍ୟ ବିଜ୍ଞାନ ପ୍ରାଧ୍ୟାପକ ସୟଦ ରିଜବି ଓ ପ୍ରାଧ୍ୟାପକ ମାଇକେଲ ଇ.ୱାଗନରଙ୍କ ଦ୍ବାରା ପ୍ରଣୀତ ଏକ ନୂଆ ପଦ୍ଧତି ଦ୍ବାରା ମାତ୍ର ୩ ସେକେଣ୍ଡ୍‌ରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ ହୋଇପାରିବ। ସେମାନଙ୍କ ଦ୍ବାରା ବିକଶିତ ତଥା ପାଟେଣ୍ଟ୍‌ ହୋଇଥିବା ଏକ ଅଭିନବ ଯନ୍ତ୍ରାଂଶରେ ପାରମ୍ପରିକ ଶୈଳୀରେ ଆଇସକ୍ରିମ୍‌ ପ୍ରସ୍ତୁତ କରାନଯାଇ ତାହାର ମିଶ୍ରିତ ଉପାଦାନଗୁଡ଼ିକୁ ଥଣ୍ଡା କରି କିଛି ମୁହୂର୍ତ୍ତରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ ହୋଇପାରୁଛି। ପୂର୍ବରୁ ଆଇସ୍‌କ୍ରିମ୍‌ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକୁ ଧୀରେ ଧୀରେ ବରଫୀକୃତ କରାଯାଉଥିଲା।

Advertisment

ମାତ୍ର ସଦ୍ୟ ବିକଶିତ ପଦ୍ଧତିରେ ଉକ୍ତ ମିଶ୍ରିତ ଉପାଦାନ ଦେଇ ଅଧିକ ଚାପଯୁକ୍ତ ଅଙ୍ଗାରକାମ୍ଳ ବାଷ୍ପ ପ୍ରବାହିତ କରାଇ ତାହାକୁ ତତ୍କାଳ ବରଫୀକୃତ କରାଯାଇପାରୁଛି। ଏହି ପଦ୍ଧତିରେ ଘରେ ହେଉ ବା ବ୍ୟାବସାୟିକ ଭିତ୍ତିରେ ହେଉ ଅତି ଅଳ୍ପ ସମୟ ଭିତରେ ଆଇସକ୍ରିମ୍‌ ତିଆରି କରିବା ସମ୍ଭବ। ଏଥି ସହିତ ପାରମ୍ପରିକ ଆଇସକ୍ରିମ୍‌ର ପରିବହନ ଜନିତ ଝଞ୍ଜଟରୁ ମଧ୍ୟ ନିସ୍ତାର ମିଳିପାରିବ। ଅପରପକ୍ଷେ, ପାରମ୍ପରିକ ଆଇସ୍‌କ୍ରିମ୍‌କୁ କଠିନ ଅବସ୍ଥାରେ ରଖିବା ଲାଗି ପ୍ରସ୍ତୁତକାରୀ କମ୍ପାନିମାନେ ସେଥିରେ ଅନ୍ୟାନ୍ୟ ରାସାୟନିକ ଉପଯୋଗ କରିଥା’ନ୍ତି। ମାତ୍ର ଏହି ନୂତନ ପଦ୍ଧତିରେ ସେଥିପାଇଁ ଅନ୍ୟ କୌଣସି ରାସାୟନିକ ମିଶୁନଥିବାରୁ ତାହାର ଗୁଣବତ୍ତା ମଧ୍ୟ ଉନ୍ନତ ରହିବ। ମୋଟାମୋଟି ଭାବେ ଏହି ନୂଆ ଆଇସ୍‌କ୍ରିମ୍‌ ଖାଦ୍ୟ ବଜାରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରଫେସର ରିଜବି ଓ ୱାଗନର ଆଶା ବ୍ୟକ୍ତ କରିଛନ୍ତି।