ନିକଟରେ ବିଶ୍ବର ବୃହତ୍ତମ ବିଳାସପୂର୍ଣ୍ଣ ଭ୍ରମଣ ଜାହାଜର ପରୀକ୍ଷାମୂଳକ ଯାତ୍ରା ସଫଳ ହୋଇଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଏହା ପରିଭ୍ରମଣକାରୀଙ୍କ ସେବାରେ ଲାଗିପାରିବ ବୋଲି ତାହାର ପରିଚାଳକ କମ୍ପାନି ରୟାଲ କାରିବିୟାନ୍ ଇଣ୍ଟରନାସନାଲ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଫିନ୍ଲାଣ୍ଡର ମେୟେର ଟୁର୍କୁ ପୋତାଶ୍ରୟରେ ରହିଥିବା ‘ଆଇକନ୍ ଅଫ୍ ଦି ସି’ ନାମକ ଏହି ଜାହାଜଟିର ବୈଶିଷ୍ଟ୍ୟ ଜାଣିଲେ ତା’କୁ ଦେଖିବା ପାଇଁ ମନରେ ଉତ୍ସୁକତା ବଢ଼ିବ ନିଶ୍ଚୟ। ୨୦୨୨ ଏପ୍ରିଲ ମାସରେ ତାହାର ନିର୍ମାଣ ଆରମ୍ଭ ହେଲା ପରଠାରୁ ଜାହାଜଟି ସେହିଠାରେ ହିଁ ରହିଛି।
ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ବୃହତ୍ତମ ଜାହାଜ ‘ୱଣ୍ଡର ଅଫ୍ ଦି ସି’ଠାରୁ ଏହା ୬ ପ୍ରତିଶତ ବଡ଼ ଓ ୧୦ ପ୍ରତିଶତ ଲମ୍ବା, ଅର୍ଥାତ୍ ‘ଆଇକନ୍ ଅଫ୍ ଦି ସି’ର ଦୈର୍ଘ୍ୟ ୧,୨୦୦ ଫୁଟ ବା ୩୬୫ ମିଟର ହୋଇଥିବା ବେଳେ ଏହାର ଓଜନ ହେଉଛି ୨,୫୦,୮୦୦ ଟନ୍। ଏଥିରେ ୫,୬୧୦ ଜଣ ଯାତ୍ରୀ ଓ ୨,୩୫୦ ଜଣ କର୍ମଚାରୀ ଯିବା ପାଇଁ ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ସଂଖ୍ୟା ଆହୁରି ବଢ଼ାଇବାର କ୍ଷମତା ମଧ୍ୟ ଏହାର ରହିଛି। ଜାହାଜରେ ଯାତ୍ରୀମାନଙ୍କର ଆମୋଦପ୍ରମୋଦ ପାଇଁ ଏଥିରେ ୬ ପ୍ରକାରର ଜଳ ଖସଡ଼ା, ସାତଟି ସନ୍ତରଣାଗାର ସମେତ ସହସ୍ରାଧିକ ଗଛ ସମ୍ବଳିତ ଏକ ପ୍ରାକୃତିକ ଉଦ୍ୟାନ ମଧ୍ୟ ରହିଛି। ଏଥିରେ ୨୮ ପ୍ରକାରର କ୍ୟାବିନ୍ ରହିଛି ଏବଂ ୮୨ ପ୍ରତିଶତ କୋଠରିଗୁଡ଼ିକରେ ୩ରୁ ଅଧିକ ଅତିଥି ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ୭୦ ପ୍ରତିଶତ କୋଠରିର ବାଲ୍କୋନି ରହିଛି। ଆସନ୍ତା ବର୍ଷ ଜାନୁଆରି ୨୭ ତାରିଖରେ ଏହା ମିଆମି ଉପକୂଳରୁ ତାହାର ପ୍ରଥମ ଜଳଯାତ୍ରା ଆରମ୍ଭ କରିବ ଏବଂ ୨୦୨୫ ଏପ୍ରିଲ ସୁଦ୍ଧା କାରିବିୟାନ୍ ସାଗରରେ ବିଭିନ୍ନ ବନ୍ଦର ଦେଇ ୭ଟି ସମୁଦ୍ର ପରିଭ୍ରମଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ଯାତ୍ରା ପାଇଁ ଭଡ଼ା ନିର୍ଦ୍ଧାରିତ ହୋଇ ନାହିଁ।