ନୂଆଦିଲ୍ଲୀ: ‘କଚ୍ଚା ବାଦାମ’ ଅଙ୍କଲଙ୍କ ପରେ ସୋସିଆଲ ମିଡିଆରେ ଜଣେ ସାଇକେଲ ଅଙ୍କଲଙ୍କୁ ନେଇ ଚର୍ଚ୍ଚା ହେଉଛି। ଏହି ସାଇକେଲ ଅଙ୍କଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଉକ୍ତ ସାଇକେଲ ଅଙ୍କଲଙ୍କୁ ନେଇ ଚର୍ଚ୍ଚା ହେବାର କାରଣ, ସେ ମନ୍ଦିର ସାମ୍ନାରେ ଓ ରାସ୍ତାରେ ସାଇକେଲ ଧରି  ଯାଉଥିବା ବେଳେ ଭଜନ ଗାଇଥାଆନ୍ତି। ଅଙ୍କଲର ଭଜନର ଗାଇବାର ସ୍ବର ଶୁଣିବା ପରେ ପବନ ମିଣା ନାମକ ଜଣେ ବ୍ୟକ୍ତି ତାଙ୍କ ଭିଡିଓ କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ଉକ୍ତ ସାଇକେଲ ଅଙ୍କଲଙ୍କ ବିଷୟରେ ଜାଣିବା ପାଇଁ ଚାହିଁଥିଲେ।

ଭାଇରାଲ ହୋଇଥିବା ସାଇକେଲ ଅଙ୍କଲଙ୍କ ନାମ ହେଉଛି ମୁକେଶ କୁମାର ନାୟକ। ମୁକେଶ ଜୟପୁରରେ ବସବାସ କରୁଥିବା ବେଳେ ବୟସ ୫୦ବର୍ଷ ହେବ। ମୁକେଶ କୌଣସି କଣ୍ଠଶିଳ୍ପୀ ନୁହନ୍ତି କି ଗୀତ ଗାଇବା ପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି। ମୁକେଶ ସିକ୍ୟୁରଟି ଗାର୍ଡ ଭାବେ କାମ କରି ପରିବାର ପୋଷୁଥିବା ବେଳେ ବାକି ସମୟରେ ବଡ଼ବଡ଼ ବଙ୍ଗଳା ସଫା କରିଥାଆନ୍ତି। ଏଥିପାଇଁ ବଙ୍ଗଳା ମାଲିକ ମୁକେଶଙ୍କୁ କିଛି ପାରିଶ୍ରମିକ ବି ଦେଇଥାଆନ୍ତି।

ଭିଡିଓ ଭାଇରାଲ ହେବାପରେ ମୁକେଶ କହିଛନ୍ତି, ‘ଲୋକେ ମୋ ସ୍ବରକୁ ଏତେ ପସନ୍ଦ କରିବେ ମୁଁ ଜାଣି ନଥିଲି। ପ୍ରତିଦିନ ଭଗବାନଙ୍କ ଦ୍ବାରରେ ୨ଘଣ୍ଟା ବିତାଇବା ପରେ ମୁଁ ସାଇକେଲ ଧରି ବାହାରି ଯାଇଥାଏ। ଆଉ ମୋର କର୍ମସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିବା ବାଟ ଯାଏଁ ମୁଁ ଭଜନ ଗାଇଗାଇ ଯାଇଥାଏ। ଲୋକେ ମୋତେ ପାଗଳ ଭାବି ଥାଆନ୍ତି କିନ୍ତୁ ମୋତେ ଏସବୁ କିଛି ଫରକ ପଡେ ନାହିଁ।

ପିଲାଟି ବେଳରୁ ଭଜନ ଗାଇବା ପ୍ରତି ମୋର ଅହେତୁକ ରୁଚି ରହିଛି। ଏମିତି କୌଣସି ଦିନ ନାହିଁ ‌ଯେଉଁଦିନ ମୁଁ ଭଜନ ଗାଇ ନାହିଁ। ଦେହ ଭଲ ଥିଲେ ବି ଭଜନ ଗାଏ, ନଥିଲେ ବି ଗାଏ। ସେହିପରି ମନ ଭଲ ନଥିଲେ ଭଜନ ଗାଏ ମନ ଭଲ ଥିଲେ ବି ଭଜନ ଗାଏ।’