ଗୃହିଣୀଙ୍କୁ ଯଦି ବେତନ ମିଳୁଥାଆନ୍ତା

ଆଜି ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ - ଗାର୍ଗୀ ଶତପଥୀ

ଭେଦଭାବ ସମାଜ ବିରୋଧରେ ନାରୀ ଚେତନାର ବିଚାର ପାଶ୍ଚାତ୍ୟ ପରିକଳ୍ପନା ନୁହେଁ। ରାଣୀ ମୀରାବାଇ ରାଜମହଲରୁ ବାହାରି ଭକ୍ତି ମାର୍ଗରେ ଦେଶର ବିଭିନ୍ନ ଅଞ୍ଚଳ ବୁଲିଥିଲେ। ତାଙ୍କ ସହିତ ଥିଲେ ଆହୁରି ଅନେକ ମହିଳା ସନ୍ନ୍ୟାସୀ। ଯେଉଁମାନେ କୃଷ୍ଣ ଭଜନ ସହିତ ସେତେବେଳର ମହିଳାଙ୍କ ସ୍ଥିତି ବିଷୟରେ ଜଣାଉଥିଲେ। ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଯେତେବେଳେ ମା’ ସାବିତ୍ରୀବାଇ ଫୁଲେ, ଫାତିମା ଶେଖଙ୍କ ସହିତ ସ୍କୁଲକୁ ଯାଉଥିଲେ ତାଙ୍କ ଉପରେ ଯେଉଁଭଳି ଭାବରେ ମଳ ଏବଂ ଗୋବର ପକାଯାଉଥିଲା ଏହାହିଁ କହୁଥିଲା ସେତେବେଳର ସାମାଜିକ ବିଚାର। ଓଡ଼ିଶା ମଧ୍ୟ ନାରୀ ଚେତନାରେ ପଛରେ ପଡ଼ିନାହିଁ। ଉତ୍କଳ ଗୌରବ ମଧୁସୂଦନ ଦାସ ରାଜ୍ୟରେ ପ୍ରଥମ ମହିଳା କଲେଜ ସ୍ଥାପନ କରିଥିଲେ। ନିଜ ପାଳିତ ଝିଅ ସୁଧାଂଶୁବାଳା ହାଜରାଙ୍କୁ ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବରେ ଅବସ୍ଥାପିତ କରିବା ପାଇଁ ଦୀର୍ଘ ଦିନ ଧରି ଲଢ଼େଇ କରିବାରେ ସଫଳ ହୋଇଥିଲେ। ଯାହାର ଫଳ ସ୍ବରୂପ ପରବର୍ତ୍ତୀ ଜୀବନରେ ଅନେକ ସଂଖ୍ୟାରେ ମହିଳା ଆଇନ ପେଶାକୁ ଆସିଥିଲେ। ଆଜି ମଧ୍ୟ ଲିଙ୍ଗଭେଦ ଶୂନ୍ୟ ସମାଜ ପାଇଁ ଲଢ଼େଇର ସମାପ୍ତ ହୋଇ ନାହିଁ।

‘ଆତ୍ମନିର୍ଭରଶୀଳ ହେଲେହିଁ’ ମହିଳା ଶୋଷଣର ଅନ୍ତ ହେବ। ଯୌତୁକ ଠାରୁ ଯୌନ ନିର୍ଯାତନା ପର୍ଯ୍ୟନ୍ତ ଯେକୌଣସି ମହିଳାଙ୍କ ସମସ୍ୟା କିମ୍ବା ଶୋଷଣର ଆଲୋଚନା ବେଳେ ଏହି ଉପସଂହାରଟି ନିଶ୍ଚିତ ଆସେ। ଅର୍ଥାତ ଜଣେ ମହିଳା ଘରେ ଲୁଗା ସଫା, ବାସନ ମାଜିବା, ରାନ୍ଧିବା, ଶିଶୁ ଯତ୍ନ ଠାରୁ ଆରମ୍ଭ କରି ସବୁ ପ୍ରକାର ଯାବତୀୟ କାର୍ଯ୍ୟ କରିବା ପରେବି ସେ ଆତ୍ମନିର୍ଭରଶୀଳ ନୁହେଁ। ଏହି କାର୍ଯ୍ୟ ସେ ପଡ଼ୋଶୀଙ୍କ ଘରେ କରିଥିଲେ, ଅର୍ଥ ଉପାର୍ଜନ କରିଥାଆନ୍ତେ ଏବଂ ଆତ୍ମନିର୍ଭରଶୀଳ ହୋଇ ପାରନ୍ତେ। କେବଳ ଭାରତ ବର୍ଷ ନୁହେଁ, ସମଗ୍ର ବିଶ୍ବରେ ନିଜ ଘରେ କରାଯାଉଥିବା କାର୍ଯ୍ୟର ଆର୍ଥିକ ମୂଲ୍ୟାୟନ ହେଉନଥିବାରୁ ସେହି କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ କଠିନ ପରିଶ୍ରମ ପରେବି ତାଙ୍କୁ ଆତ୍ମ ନିର୍ଭରଶୀଳ କୁହାଯାଏ ନାହିଁ। ସେହି କାର୍ଯ୍ୟ ଜିଡିପିରେ ମଧ୍ୟ ସାମିଲ ହୁଏ ନାହିଁ। ପୁରୁଷମାନେ ମୁଖ୍ୟତଃ ବାହାରେ କାର୍ଯ୍ୟ କରୁଥିବାରୁ ନିଜ ଘର କାର୍ଯ୍ୟର ଆର୍ଥିକ ମୂଲ୍ୟାୟନ ନହେବା ସେମାନଙ୍କୁ ପ୍ରଭାବିତ କରୁ ନାହିଁ କିନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି ପରିବାର ପାଇଁ ଜୀବନର ମୂଲ୍ୟବାନ ସମୟ ଦେଉଥିବା ଗୃହିଣୀ ବା ମହିଳାମାନେ। ସ୍ଥିତି ଏଭଳି ଯେ ସକାଳୁ-ରାତି ପର୍ଯ୍ୟନ୍ତ କଠିନ ଏବଂ ଦାୟିତ୍ବବାନ କାର୍ଯ୍ୟ କରୁଥିବା ଗୃହିଣୀ ଉଭୟ ସମାଜ ଏବଂ ନିଜ ଦୃଷ୍ଟିକୋଣରୁ ବେକାର ଅଟେ। କିଛି ଦିନ ପୂର୍ବରୁ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ନିଜର ଏକ ବୟାନରେ ପରୋକ୍ଷ ଭାବରେ ଗୃହିଣୀଙ୍କୁ ଅଳସୁଆ ବୋଲି କହିଥିଲେ। ତାଙ୍କ ଅନୁସାରେ ଆଜିକାଲି ଅଧିକାଂଶ ଝିଅ ଅଳସୁଆ ହୋଇଯାଉଥିବାରୁ ସେମାନେ ଏଭଳି ପାର୍ଟନର ଚାହୁଁଛନ୍ତି ଯେମିତି ସେମାନଙ୍କୁ ଆଉ କାର୍ଯ୍ୟ କରିବାକୁ ପଡ଼ିବ ନାହିଁ। ଏହି ବୟାନ ନେଇ ସମାଲୋଚନା ପରେ ସେ କ୍ଷମା ମାଗିଥିଲେ। ଭୁବନେଶ୍ବର ସ୍ଥିତ ମହିଳା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ମହିଳାଙ୍କ ଅବୈତନିକ କାର୍ଯ୍ୟର ରିପୋର୍ଟ ପ୍ରସ୍ତୁତ କରାଯାଇଛି।

The News Minute

ପ୍ରତିଦିନର ସମୟ ଖର୍ଚ-
ଗ୍ରାମୀଣ ଭାରତର କୃଷି କାର୍ଯ୍ୟରେ ପୁରୁଷ ଦୈନିକ ହାରାହାରି ୩୧୧ ମିନିଟ ଏବଂ ମହିଳା ଦୈନିକ ୨୩୪ ମିନିଟ ଖର୍ଚ କରିଥାଆନ୍ତି। ଅବୈତନିକ କାର୍ଯ୍ୟ ଯଥା ଘର କାର୍ଯ୍ୟ, ଯତ୍ନ ଏବଂ ଅନ୍ୟାନ୍ୟରେ ଦୈନିକ ଜଣେ ମହିଳା ୨୯୩ ମିନିଟ, ପୁରୁଷ ୯୧ ମିନିଟ କାର୍ଯ୍ୟ କରି ଥାଆନ୍ତି। ଅର୍ଥାତ ଉଭୟ ବେତନ ଏବଂ ଅବୈତନିକ କାର୍ଯ୍ୟକୁ ମିଶାଇଲେ ମହିଳା ୯.୫ ଘଣ୍ଟା ଏବଂ ପୁରୁଷ ୭.୯ ଘଣ୍ଟା କାର୍ଯ୍ୟ କରିଥାଆନ୍ତି। ଅର୍ଥାତ ଜଣେ ମହିଳା ପୁରୁଷଙ୍କ ତୁଳନାରେ ଦୈନିକ ୯୧ ମିନିଟ ସମୟ ଅଧିକ କାର୍ଯ୍ୟ କରି ଥାଆନ୍ତି। ଏଥିଯୋଗୁଁ ମହିଳାଙ୍କୁ ଶିକ୍ଷା, ସାମାଜିକ କାର୍ଯ୍ୟ ପାଇଁ ୫୦ ମିନିଟ ଏବଂ ନିଜସ୍ବ ଯତ୍ନ ଏବଂ ଶୋଇବା ପାଇଁ ପୁରୁଷଙ୍କ ତୁଳନାରେ ୪୧ ମିନିଟ କମ ସମୟ ମିଳିଥାଏ। କୃଷି କ୍ଷେତ୍ର ଏବଂ ଘରୋଇ କାର୍ଯ୍ୟରେ ଜଡ଼ିତ ମହିଳାଙ୍କ ସଂଖ୍ୟା ୫୩.୨ ପ୍ରତିଶତ, ପୁରୁଷଙ୍କ ସଂଖ୍ୟା ୪୬.୮ ପ୍ରତିଶତ ନିଆଯିବା ଉଚିତ। କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ ଥାଏ। କାରଣ ସେମାନେ ୩.୨ ଅଧିକ ଅବୈତନିକ କାର୍ଯ୍ୟରେ ପ୍ରୟୋଗ କରିଥାଆନ୍ତି। ତେଣୁ ଅବୈତନିକ କାର୍ଯ୍ୟର ବୋଝ ଉଭୟ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନ ଭାବରେ ଭାଗ କରି ଦିଆଗଲେ ଆର୍ଥିକ ଗତିବିଧିରେ ମହିଳାଙ୍କ ଅଂଶୀଦାର ବଢିବ। ସେମାନଙ୍କ ବେତନ ମଧ୍ୟ ବଢିବ।

World Bank

ଅବୈତନିକ କାର୍ଯ୍ୟରୁ ଲିଙ୍ଗଭେଦ-
ବେଟି ପଢାଓ, ବେଟି ବଚାଓ। କେନ୍ଦ୍ର ସରକାରଙ୍କ ଏଭଳି ଏକ କାର୍ଯ୍ୟକ୍ରମ ଯେଉଁଥିରେ ସମୁଦାୟ ବଜେଟର ୮୦ ପ୍ରତିଶତ କେବଳ ପ୍ରଚାର ପାଇଁ ଖର୍ଚ କରାଯାଉଛି। ପ୍ରଶ୍ନ ଉଠେ, ଆମର ସାମାଜିକ ବ୍ୟବସ୍ଥା କେମିତି ଯେ ନିଜ ଝିଅଙ୍କୁ ନମାରିବା ପାଇଁ ସରକାରଙ୍କୁ କୋଟି-କୋଟି ଟଙ୍କା ଖର୍ଚ କରିବାକୁ ପଡ଼ୁଛି! ପ୍ରକୃତରେ ଅଭିଭାବକଙ୍କ ଝିଅ ବିରୋଧୀ ହେବାର ବଡ଼ ମାନସିକତା ହେଲା, ସେମାନେ ବାର୍ଧକ୍ୟ କିମ୍ବା ନିଜସ୍ବ ଅସହାୟ ସମୟରେ ପୁଅ ଭଳି ଝିଅକୁ ସହାୟକ ଭାବରେ ଦେଖି ପାରନ୍ତି ନାହିଁ। ବିବାହ ପରେ ଝିଅ ପରଘରି ହୋଇଯାଏ ବୋଲି ବିଶ୍ବାସ କରନ୍ତି। ଏଣେ ଝିଅଟି ବିବାହ ପରେ ଯେଉଁ ପରିବାରରେ ସେ ଏତେ ପରିଶ୍ରମ କରେ ନିଜସ୍ବ ଛୋଟ ଖର୍ଚ ପାଇଁତ ପତି ଉପରେ ନିର୍ଭରଶୀଳ ହୋଇଯାଏ, ସେଠାରେ ମା, ବାପାଙ୍କ ଦୈନନ୍ଦିନ ଖର୍ଚ ଉଠାଇବା କଥା କିଏ ପଚାରେ। ଘରେ ଗୃହିଣୀ ଦିନ ତମାମ କରୁଥିବା କାର୍ଯ୍ୟର ଯଦି ଆର୍ଥିକ ମୂଲ୍ୟ ଥାଆନ୍ତା, କର୍ମଜୀବୀ ଭଳି ଗୃହିଣୀ ନିଜ ଏବଂ ନିଜ ଅଭିଭାବକଙ୍କ ଦାୟିତ୍ବ ନିର୍ବାହ ବେଳେ ସଙ୍କୋଚର ମାନସିକତା ନଥାଆନ୍ତା। ସ୍ୱାମୀ, ସନ୍ତାନ ଏବଂ ପରିବାର ପାଇଁ ତ୍ୟାଗ କରୁଥିବା ଗୃହିଣୀଙ୍କ କାର୍ଯ୍ୟର କୌଣସି କଳନା ନାହିଁ । ଅନେକ ଏଥିପାଇଁ ସେମାନଙ୍କୁ ମାନବୀ ନୁହେଁ ବରଂ ଦେବୀର ଆଖ୍ୟା ଦିଅନ୍ତି। ଗୃହିଣୀଙ୍କ କାର୍ଯ୍ୟକୁ ଗୌରବାନ୍ୱିତ କରି ଅନେକ ଟେଲିଭିଜନ ଏବଂ ଚଳଚିତ୍ର ନିର୍ମାତା କୋଟିପତି। ଗୃହିଣୀଙ୍କ କାର୍ଯ୍ୟକୁ ମହାନ କହି ତାକୁ ତ୍ୟାଗଶୀଳ ଚରିତ୍ରକୁ ଯେଉଁଭଳି ଗୌରବାନ୍ୱିତ କରାଯାଏ, ତାଙ୍କ ଅଧିକାର ଏବଂ ବଦଳୁଥିବା ପରିବେଶରେ ସେମାନେ ସମ୍ମୁଖୀନ ସମସ୍ୟା ନେଇ ଆକଳନ ହେଉନଥିବାରୁ ଲିଙ୍ଗଭେଦ ଜନିତ ମୂଳ ସମସ୍ୟାର ସମାଧାନ ହୋଇପାରେ ନାହିଁ । ସ୍ୱାମୀ ଠାରୁ ଭିନ୍ନ ହେବା ବେଳକୁ ପତ୍ନୀଙ୍କୁ ଭରଣପୋଷଣ ଦେବା କଥା ଉଠେ । ପତ୍ନୀ ଥିବାବେଳେ ତାକୁ ନିର୍ଦିଷ୍ଟ ଅର୍ଥ ପ୍ରଦାନକୁ ଗ୍ରହଣତ ଦୂରର କଥା ଏହା ଶୁଣିଲେ କେହି ବରଦାସ୍ତ ମଧ୍ୟ କରିବେ ନାହିଁ। ବରଂ ବ୍ୟଙ୍ଗାତ୍ମକ ଭାବରେ କୁହାଯିବ ଯେ ଗୃହିଣୀହିଁ ପରିବାରର ସର୍ବେସର୍ବା। କିନ୍ତୁ ଅନେକ ଗୃହିଣୀ ଦିନ ତମାମ କଠିନ ପରିଶ୍ରମ କରି ମଧ୍ୟ ସ୍ୱାବଲମ୍ବୀ ବୋଲି କେହି ଅନୁଭବ କରନ୍ତି ନାହିଁ।

ମାତୃତ୍ବ ଠାରୁ ବଡ଼ ଅବୈତନିକ କାର୍ଯ୍ୟ ନାହିଁ। ଜଣେ ମହିଳା ୯ ମାସ ଗର୍ଭଧାରଣ କରି ଶିଶୁ ଜନ୍ମ ଦେବା ଠାରୁ ଆରମ୍ଭ କରି ପାଳନ କରିବା ପର୍ଯ୍ୟନ୍ତ ତାର କାର୍ଯ୍ୟର ମୂଲ୍ୟର ଆକଳନ ମଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ତା ବଦଳରେ କେବଳ ଭାବନାତ୍ମକ ଭାବରେ ମାଙ୍କୁ ଗୌରବାନ୍ବିତ କରାଯାଏ ସତ କିନ୍ତୁ ବାସ୍ତବିକତା କଣ? ଅଧିକାଂଶ କ୍ଷେତ୍ରରେ ତ ମାତୃତ୍ବ ପରେ କର୍ମଜୀବୀ ମହିଳା ଚାକିରିରୁ ତଡ଼ା ଖାଆନ୍ତି। ଶିଶୁ ଜନ୍ମ ବେଳର କଷ୍ଟ, ସ୍ବାସ୍ଥ୍ୟଗତ ଜଟିଳତା, ବୃତ୍ତିଗତ ଜୀବନର ନକରାତ୍ମକ ପ୍ରଭାବକୁ ଧ୍ୟାନ ଦେଇ ଯଦି ମହିଳାମାନେ ଶିଶୁ ଜନ୍ମ କିମ୍ବା ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନିଅନ୍ତି ତେବେ କେଉଁ ଭଳି ସଙ୍କଟ ସୃଷ୍ଟି ହେବ ଆପଣ ନିଜେ ଚିନ୍ତା କରନ୍ତୁତ!

ସମ୍ବନ୍ଧିତ ଖବର