ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟନାମ ‘ଶ୍ରୀଗୁଣ୍ଡିଚା ଯାତ୍ରା’। କାରଣ, ଏହି ରଥଯାତ୍ରାରେ ଜଗନ୍ନାଥାଦି ଦେବତା ତିନିଟି ନୂଆ ରଥରେ ଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାଆନ୍ତି।
ଏହି ରଥଯାତ୍ରାର ଆଉ ଗୋଟିଏ ନାମ ‘ମହାବେଦୀ ମହୋତ୍ସବ’। କାରଣ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ବମେଧ ଯଜ୍ଞ ଫ‌ଳରେ ମହୋଦଧିରେ ଯେଉଁ ଦିବ୍ୟଦାରୁ ଆବିର୍ଭୂତ ‌େହାଇଥିଲେ, ସେହି ମହାଦାରୁରେ ଶ୍ରୀଗୁଣ୍ଡିଚା ମନ୍ଦିରର ମହାବେଦୀରେ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂତ୍ତି ନିର୍ମିତ ହୋଇଥିଲେ। ତେଣୁ, ଶ୍ରୀଗୁଣ୍ଡିଚା ମନ୍ଦିରର ମହା‌େବଦୀ ହେଉଛି ତାଙ୍କର ଜନ୍ମସ୍ଥାନ। ସେଥିପାଇଁ ବର୍ଷକୁ ଥରେ, ଶ୍ରୀଜଗନ୍ନାଥାଦି ଦେବତା ନିଜର ସେହି ଜନ୍ମସ୍ଥାନକୁ ଯାତ୍ରା କରିଥାଆନ୍ତି।
ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଶ୍ରୀଜଗନ୍ନାଥଙ୍କର ଏହି ଶ୍ରୀଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ‌ହୁଏ। ସେଠାର ମନ୍ଦିରରେ ସାତଦିନ ଅବସ୍ଥାନ କରିବା ପରେ, ଆଷାଢ଼ ଶୁକ୍ଳ ଦଶମୀରେ ସେମାନେ ବାହୁଡ଼ା ବିଜେ କରିଥାଆନ୍ତି। ଶ୍ରୀମନ୍ଦିର ସିଂହଦ୍ବାରକୁ ଫେରିବା ପରେ, ରଥରେ ସୁନାବେଶ ଓ ଅଧରପଣା ଆଦି ନୀତି ସଂପନ୍ନ ହୁଏ। ତାହା ପରେ ଯାଇ, ସେମାନେ ‘ନୀଳାଦ୍ରି ବିଜେ’ରେ ପୁନଶ୍ଚ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି।
ଏଣୁ, ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ- ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀଗୁଣ୍ଡିଚାଯାତ୍ରାରେ ବାହାରିଯିବା ପରେ, ଶ୍ରୀମନ୍ଦିରକୁ ଜଗେ କିଏ? ପୁଣି ବାହୁଡ଼ାଯାତ୍ରାରେ ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପରେ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜଗେ କିଏ?
ଏହା ଏକ ଏକ ରହସ୍ୟମୟ ପ୍ରଶ୍ନ। କାରଣ, ଶ୍ରୀମନ୍ଦିର ବା ନୀଳାଚଳ ହେଉଛି ଶ୍ରୀଜଗନ୍ନାଥଙ୍କର ନିତ୍ୟସ୍ଥଳ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ (ଅଧ୍ୟାୟ ୨୯)ରେ ‘ଶ୍ରୀପ୍ରତିମା’ ବା ଶ୍ରୀଜଗନ୍ନାଥ ନିଜେ କହିଛନ୍ତି- ‘‘ହେ ରାଜେନ୍ଦ୍ର (ଇନ୍ଦ୍ରଦ୍ୟୁମ୍ନ)! ତୁମ୍ଭେ ଯେତେ‌େବଳେ କୋଟି କୋଟି ରତ୍ନ ଉତ୍ସର୍ଗ କରି ମୋର ମନ୍ଦିର ସ୍ଥାପନ କରିଅଛ, ମୁଁ ତୁମ୍ଭଙ୍କୁ ଏହି ବର ଦେଉଅଛି, ଯେ ମୋ ପ୍ରତି ତୁମ୍ଭର ଭକ୍ତି ଅଚଳା ହେବ। ଏହି ମନ୍ଦିର ଭଗ୍ନ ହୋଇଗଲେ ମଧ୍ୟ ମୁଁ କଦାପି ଏହି ସ୍ଥାନ ପରିତ୍ୟାଗ କରିବି ନାହିଁ। ଏହି ପ୍ରାସାଦ (ମନ୍ଦିର)  ଭୂମିସାତ୍‌ ହେଲେ ମଧ୍ୟ, ମୁଁ ଏହି ଦାରୁମୟ ଦେହରେ ପଦ୍ମଯୋନି ବ୍ରହ୍ମାଙ୍କ ଦ୍ବିତୀୟ ପରାର୍ଦ୍ଧକାଳ ପରିସମାପ୍ତି ପର୍ଯ୍ୟନ୍ତ ଅବସ୍ଥାନ କରିବି। ମୁଁ ତୁମ୍ଭ ନିକଟରେ ଏହା ଚତୁର୍ବାର ସତ୍ୟ କରି କହୁଛି।’’
ତା’ହେଲେ ଆଷାଢ଼ ଶୁକ୍ଳ ଦ୍ବିତୀୟା ଦିନ ନୂଆରଥ ଚଢ଼ି ସେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଚାଲିଯାଆନ୍ତି କିପରି? ଏହା କ’ଣ ତାଙ୍କର ସତ୍ୟଭଙ୍ଗ ନୁହେଁ?
ଏହାର ଉତ୍ତର ହେଉଛି- ଶ୍ରୀମନ୍ଦିରର ରତ୍ନସିଂହାସନରେ ଯେଉଁ ସପ୍ତଧା ବିଗ୍ରହ ଅବସ୍ଥାନ କରନ୍ତି, ସେମାନଙ୍କ ମଧ୍ୟରେ ଥାଆନ୍ତି ପାଞ୍ଚ ଦାରୁବିଗ୍ରହ ଓ ଦୁଇ ଧାତୁବିଗ୍ରହ। ଦୁଇ ଧାତୁବିଗ୍ରହ ହେଉଛନ୍ତି- ସୁବର୍ଣ୍ଣବିଗ୍ରହ ଶ୍ରୀଦେବୀ ଓ ରୌପ୍ୟବିଗ୍ରହ ଭୂଦେବୀ। ପାଞ୍ଚ ଦାରୁବିଗ୍ରହଙ୍କ ମଧ୍ୟରେ, ଚତୁର୍ଦ୍ଧା ବିଗ୍ରହ- ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ବ୍ୟତୀତ ଥାଆନ୍ତି ଶ୍ରୀମାଧବ। ଏହି ମାଧବ ପ୍ରାୟ ଦେଢ଼ଫୁଟ ଉଚ୍ଚତାର ଜଗନ୍ନାଥ ମୂର୍ତ୍ତି। ଏହାଙ୍କର ଅନ୍ୟନାମ ‘ଶ୍ରୀବାଳପୁରୁଷୋତ୍ତମ’। ଶ୍ରୀଜଗନ୍ନାଥାଦି ଦେବତା ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଚାଲିଯିବା ପରେ, ଏହି ‘ଶ୍ରୀବାଳପୁରୁଷୋତ୍ତମ’ ବା ‘ଶ୍ରୀମାଧବ’ ହିଁ ଶ୍ରୀମନ୍ଦିରକୁ ଜଗି ରହନ୍ତି। ଏଣୁ ଦାରୁରୂପରେ ଆବିର୍ଭାବ ହେବା ପରେ ‘ଶ୍ରୀପ୍ରତିମା’ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ ହୁଏନାହିଁ।
ଏ ପ୍ରସଙ୍ଗରେ ମନକୁ ଆଉ ଏକ ପ୍ରଶ୍ନ ଆସେ- ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରରୁ ଚାଲିଯିବା ପରେ, ଅବଶିଷ୍ଟ ତ୍ରିମୂର୍ତ୍ତି- ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମାଧବ କ’ଣ ରତ୍ନସିଂହାସନରେ ହିଁ ରହନ୍ତି?
ଏହାର ଉତ୍ତର ହେଉଛି- ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରତ୍ୟୁଷରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀକୁ ଆସିବା ପରେ, ଶ୍ରୀମନ୍ଦିରର ରତ୍ନସିଂହାସନ ଶୂନ୍ୟ ଥାଏ। କାରଣ, ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀକୁ ଆସିବାର ପ୍ରସ୍ତୁତି ରୂପେ, ପୂର୍ବରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରକୁ ନେଇ ନିଆଯାଇଥାଏ। ଶ୍ରୀମାଧବ ଯାଇ ରହିଥାନ୍ତି ଭଣ୍ଡାରଘର ଦ୍ବାରଠାରେ। ପନ୍ଦର ଦିନ ବ୍ୟାପୀ ଅଣସର ସମୟରେ, ସେ ସେହିଠାରେ ହିଁ ବିଜେ କରିଥାଆନ୍ତି। ନୀଳାଦ୍ରିବିଜେରେ ଚତୁର୍ଦ୍ଧା ବିଗ୍ରହ ପୁନଶ୍ଚ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବା ପରେ, ମହାସ୍ନାନ ଆଦି ନୀତି ସଂପନ୍ନ ହୁଏ ଏବଂ ତାହା ପରେ ହିଁ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମାଧବ ରତ୍ନସିଂହାସନକୁ ବିଜେ କରନ୍ତି।
ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଶାରଦୀୟ ଦୁର୍ଗାପୂଜାବେଳେ, ଶ୍ରୀମାଧବ ବିଜେପ୍ରତିମା ଶ୍ରୀଦୁର୍ଗାଙ୍କ ସହ ବାହାରବିଜେ କରନ୍ତି। ସେତେବେଳେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ହିଁ ଥାଆନ୍ତି। ଏଣୁ ଶ୍ରୀମନ୍ଦିର କେବେ ଜଗନ୍ନାଥଶୂନ୍ୟ ହୁଏନାହିଁ। ଶ୍ରୀଜଗନ୍ନାଥଙ୍କ ଅନୁପସ୍ଥିତି ସମୟରେ ଶ୍ରୀମାଧବ ବା ଶ୍ରୀବାଳପୁରୁଷୋତ୍ତମ ଏବଂ ଶ୍ରୀବାଳପୁ‌ରୁଷୋତ୍ତମଙ୍କ ଅନୁପସ୍ଥିତି‌ ସମୟରେ ସ୍ବୟଂ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଅବସ୍ଥାନ କରିଥାଆନ୍ତି।
ଏବେ ପ୍ରଶ୍ନ- ଶ୍ରୀଗୁଣ୍ଡିଚାଯାତ୍ରାରେ ଶ୍ରୀଜଗନ୍ନାଥାଦି ଦେବତା ଗୁଣ୍ଡିଚା ମନ୍ଦିରକୁ ଯିବା ପୂର୍ବରୁ, ସେଠାରେ ଥାଏ କିଏ? ପୁଣି ବାହୁଡ଼ାଯାତ୍ରାରେ ସେମାନେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପରେ, ସେଠାରେ ରହେ କିଏ?
ଏହାର ଉତ୍ତର ଅତ୍ୟନ୍ତ ରହସ୍ୟଜନକ ଓ ରୋଚକ। ଏହା ଅତ୍ୟନ୍ତ କୌତୂହଳପ୍ରଦ ମଧ୍ୟ। କିଂବଦନ୍ତି ଅନୁସାରେ, ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁ ନ ଥିବା ସମୟରେ, ତାହାକୁ ଜଗି ରହିଥାଏ ବାବନାଭୂତ।
କିନ୍ତୁ ସତ‌େର କ’ଣ ଏହା ସତ?
ଏ ସଂପର୍କରେ ଏକ ଅନୁମାନ ପାଇଁ, ଆମକୁ ମିଳେ ସାରଳାଦାସଙ୍କ ‘ମହାଭାରତ’ର ଏକ ଅାଖ୍ୟାନ। ସେହି ଆଖ୍ୟାନଟି ଅଛି ‘ବିରାଟ ପର୍ବ’ରେ। ସେ ସଂପର୍କିତ କାହାଣୀ ସମସ୍ତଙ୍କୁ ଜଣା। ତାହା ହେଉଛି—ଶକୁନିର କପଟ ପଶାଖେଳରେ ହାରି ପାଣ୍ଡବମାନଙ୍କୁ ବାରବର୍ଷ ବନବାସ କରିବାକୁ ପଡ଼ିଥିଲା ଏବଂ ତାହାର ଶେଷ ବର୍ଷଟି ଥିଲା ଅଜ୍ଞାତବାସ। ସେତେବେଳେ ଦ୍ରୌପଦୀଙ୍କ ସମେତ ପଞ୍ଚପାଣ୍ଡବ ବିରାଟନଗ୍ରରେ ଛଦ୍ମନାମରେ ଓ ଛଦ୍ମବେଶରେ ରହିଥିଲେ। ସେହି ଅଜ୍ଞାତବାସ ପୂର୍ବରୁ ଅର୍ଜୁନ ଓ ଅନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଏକ ଗଛ କୋରଡ଼ରେ ଲୁଚାଇ ରଖିଥିଲେ। ବ୍ୟାସଦେବଙ୍କ ‘ସଂସ୍କୃତ ମହାଭାରତ’ ଅନୁସାରେ, ତାହା ଥିଲା ଏକ ଶମୀବୃକ୍ଷ। ମାତ୍ର ‘ସାରଳା ମହାଭାରତ’ର ଏହି ବୃକ୍ଷ ପୃଥକ୍।
ସାରଳା ମହାଭାରତ ଅନୁସାରେ- ପୂର୍ବେ ହରି, ହର ଓ ଗିରିଜା (ପାର୍ବତୀ)ଙ୍କଠାରୁ ଅର୍ଜୁନ ଗୋଟିଏ ବର ପାଇଥିଲେ। ସେହି ବର ଥିଲା- ଗୋଟିଏ ଖଡ଼ିଗୋଟାଳି। ସେଥିରେ ଗାର କାଟିଲେ ମନୋବାଞ୍ଛା ପୂରଣ ହୁଏ। ତେଣୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଗଛ କୋରଡ଼ରେ ଲୁଚାଇ ରଖିବାର ମନୋବାଞ୍ଛାରେ ଅର୍ଜୁନ ସେଥିରେ ତିନିଟି ଗାର କାଟିଲେ। ସେଥିରୁ ଏକ ଦିବ୍ୟବୃକ୍ଷ ଜାତ ହେଲା। ସେହି ବୃକ୍ଷର ଅର୍ଦ୍ଧଅଙ୍ଗ ଥିଲା ସଦାଶିବ ଓ ଅର୍ଦ୍ଧଅଙ୍ଗ ବାସୁଦେବ। ବ୍ରହ୍ମାଙ୍କର ଚାରିମୁଖ ବା ଚାରିବେଦ ସେହି ବୃକ୍ଷର ଚାରିଶାଖା ଥିଲେ। ବୃକ୍ଷର କୋରଡ଼ରେ ସ୍ବୟଂ ଗିରିଜା ବିରାଜିତା ରହିଥିଲେ। ସେଥିରେ ସବୁ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଗଲା।
ମାତ୍ର ସେହି ଅସ୍ତ୍ରଶସ୍ତ୍ର ସବୁ ସୁରକ୍ଷିତ ରହିବ ତ? ଏହି ଶଙ୍କା ଯୁଧିଷ୍ଠିରଙ୍କ ମନକୁ ଆସିଲା। ତେଣୁ ଜଣେ ସୁରକ୍ଷାକାରୀ ପାଇଁ ମନୋବା‌ଞ୍ଛା କରି ଅର୍ଜୁନ ଆଉଥରେ ଖଡ଼ି ଗୋଟାଳି ଚଳାଇ ଏକ ପିତୁଳା ଆଙ୍କିଲେ। ସାରଳାଦାସଙ୍କ ଭାଷାରେ-
‘‘ଅର୍ଜୁନ ବୋଇଲା ୟେଥକୁ ଦେବ ନ କର ଚିନ୍ତା।
ବଡ଼ ବଳବନ୍ତ ପୁରୁଷେକ ଯେ ଅଛଇ ରଖନ୍ତା ାା
ସେହି ଖଡ଼ି ଘେନି ଲେଖନ କଲାକ ପିତୁଳୀ।
ସେହି ପିତୁଳୀ ବିଦାରି ବାହାର ହୋଇଲା ପ୍ରଚଣ୍ଡ ବଳୀ।’’
ଦିବ୍ୟବୃକ୍ଷ ଓ ଦିବ୍ୟ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସେହି ପିତୁଳୀ ଜଗି ରହିଲା। ସାରଳାଦାସଙ୍କ ବର୍ଣ୍ଣନାରେ ତାହାର ରୂପ ଏହିପରି-
‘‘କର ଚରଣ ନାହିଂ ଯେ ନାହିଂ ତାର ମୁଣ୍ଡ।
ପେଟ ପିଠି ନାହିଁ ଅଙ୍ଗ ମେଦ ମୃ୍ତ୍ୟୁପିଣ୍ଡ ାା
ଅଦଉତିରେ ଅବଂଧନେ ଲାଗିଲା ତାର କା‌େୟ।
ବୃକ୍ଷର ଉପରେ ବୁଲିଲା ସେ ତମ୍ବାଚକ୍ର ପ୍ରାୟେ।’’
ମନେହୁଏ, ସାରଳାଦାସଙ୍କ କଳ୍ପନାର ଏହି ରୂପଚିତ୍ରଟି ଆମ କିଂବଦନ୍ତିରେ ଗୁଣ୍ଡିଚାମନ୍ଦିରର ପ୍ରହରୀ ‘ବାବନାଭୂତ’ର ରୂପ ନେଇଛି। ଦିବ୍ୟବୃକ୍ଷର ସେହି ଦିବ୍ୟ ପ୍ରହରୀ ପରି, ଲୋକବିଶ୍ବାସ ଅଛି ଯେ ଶ୍ରୀଜଗନ୍ନାଥ ନ ଥିବା ବେଳେ ଏହି ବାବନାଭୂତ ହିଁ ତାଙ୍କର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜଗି ରହିଥାଏ।